ପୁଣି ଜଣେ ଫିଲ୍ମ ପରିବାରର ସନ୍ତାନ ଅଭିନୟକୁ ଆସୁଛନ୍ତି। ବଲିଉଡ୍ ନୁହେଁ, ଟଲିଉଡ୍ରେ ତାଙ୍କ ଆଗମନ ବେଶ୍ ଚର୍ଚ୍ଚାରେ ଅଛି। ସେ ହେଉଛନ୍ତି ତେଲୁଗୁ ସୁପର୍ଷ୍ଟାର୍ ମହେଶ ବାବୁଙ୍କ ପୁତୁରା ଘଟ୍ଟାମନେନୀ ଜୟା କ୍ରିଷ୍ଣା। ତେଲୁଗୁ ଅଭିନେତା-ପ୍ରଯୋଜକ ରମେଶ ବାବୁଙ୍କ ପୁଅ ଜୟା କ୍ରିଷ୍ଣା ଆମେରିକାରେ ରହି ଅଭିନୟ ତାଲିମ ଗ୍ରହଣ କରିଛନ୍ତି। ବାବୁ ଖାନ୍ଦାନ୍ର ତୃତୀୟ ପିଢ଼ି ହେଉଛନ୍ତି ଜୟା କ୍ରିଷ୍ଣା। ତାଙ୍କ ଜେେଜବାପା କ୍ରିଷ୍ଣା ତେଲୁଗୁ ସିନେମାରେ ଜଣେ କିଂବଦନ୍ତି ପୁରୁଷ ହୋଇଥିବା ବେଳେ ବାପା ରମେଶ ବାବୁ ୮୦ରୁ ୯୦ ଦଶକ ମଧ୍ୟରେ ବହୁ ହିଟ୍ ଛବି ଉପହାର ଦେଇ ଦର୍ଶକଙ୍କ ହୃଦୟରେ ରାଜ୍ କରିଥିଲେ। ତାଙ୍କ ଅଭିନୀତ ‘ସମ୍ରାଟ୍’, ‘ବଜାର ରାଓଡି’ ଓ ‘ମୁଗୁରୁ କୋଡୁକୁଲ୍ଲୁ’ ଆଦି ତେଲୁଗୁ ଛବି ସୁପର୍ଡୁପର୍ ହିଟ୍ ହୋଇଥିଲା।
ଏହାପରେ ସେ ପ୍ରଯୋଜନାକୁ ଆସି ସାନଭାଇ ମହେଶ ବାବୁଙ୍କ ସୁପର୍ହିଟ୍ ଛବି ‘ଡୁକୁଡୁ’, ‘ଅର୍ଜୁନ୍’, ‘ଅଥିଧି’ର ନିର୍ମାଣ କରିଥିଲେ। ସୂଚନା ଅନୁସାରେ, ‘ଆର୍ଏକ୍ସ ୧୦୦’ ଫେମ୍ ନିର୍ଦ୍ଦେଶକ ଅଜୟ ଭୂପତିଙ୍କ ନିର୍ଦ୍ଦେଶିତ ଏକ ଆକ୍ସନ୍ ଭର୍ତ୍ତି ଚଳଚ୍ଚିତ୍ର ଜରିଆରେ ଜୟା କ୍ରିଷ୍ଣାଙ୍କୁ ଲଞ୍ଚ୍ କରିବ ତେଲୁଗୁ ସିନେମାର ପ୍ରତିଷ୍ଠିତ ପ୍ରଯୋଜନା ସଂସ୍ଥା ବୈଜୟନ୍ତୀ ଫିଲ୍ମସ୍। ଏକ ପ୍ରତିଷ୍ଠିତ ଫିଲ୍ମ ପରିବାରରୁ ଆସିଥିବାରୁ ଜୟା କ୍ରିଷ୍ଣାଙ୍କ ଡେବ୍ୟୁ ନେଇ ତେଲୁଗୁ ଫିଲ୍ମ ଶିଳ୍ପରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଛି।