ସାମ୍ନାକୁ ଆସିଲା ରିୟା ଚକ୍ରବର୍ତ୍ତୀ ଓ ମହେଶ ଭଟ୍ଟଙ୍କ ନୂଆ ଭିଡିଓ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ବଲିଉଡର ଡ୍ରଗ୍ସ ଲିଙ୍କରେ ଏନସିବି ଦ୍ୱାରା ଗିରଫ ରିୟା ଚକ୍ରବର୍ତ୍ତୀଙ୍କ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କ ସହ ନଜର ଆସିଛନ୍ତି ରିୟା । ପୂର୍ବରୁ ରିୟାଙ୍କ ସହ ମହେଶ ଭଟ୍ଟଙ୍କ କିଛି ଅନ୍ତରଙ୍ଗ ଫଟୋ ଭାଇରାଲ ହୋଇଥିଲା । ସୋସିଆଲ ମିଡିଆରେ ସେହି ଫଟୋକୁ ନେଇ ଉଭୟଙ୍କ ଚରିତ୍ରକୁ ଭିନ୍ନ ଢଙ୍ଗରେ ଚିତ୍ରଣ କରାଯାଇଥିବା ବେଳେ ଏବେ ସାମ୍ନାକୁ ଆସିଛି ଚର୍ଚ୍ଚିତ ଭିଡିଓ ।

ହ୍ୱାଟସଆପ୍ ଚାଟକୁ ନେଇ ଝଡ ଥମି ନ ଥିବାବେଳେ ଏବେ ପ୍ରଥମ ଥର ପାଇଁ ରିୟା ଓ ମହେଶ ଭଟ୍ଟଙ୍କ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ଦେଖାଯାଉଛି ଗୋଟିଏ ରୁମରେ କେବଳ ମହେଶ ଭଟ୍ଟ ଓ ରିୟା ଅଛନ୍ତି । ଏକ କାଉଚରେ ସାମ୍ନାସାମ୍ନି ବସିଛନ୍ତି ରିୟା ଓ ମହେଶ ଭଟ୍ଟ ।

ଏଥିରେ ମହେଶ ଭଟ୍ଟ ଏକ ବହିକୁ ପଢ଼ୁଛନ୍ତି ଓ ଜଣେ ଅନୁଶାସିତ ଛାତ୍ରୀ ଭଳି ରିୟା ଶୁଣୁଛନ୍ତି । ମହେଶ ଭଟ୍ଟ ଇଂରାଜୀରେ କିଛି ଗପ ପଢ଼ି ଶୁଣାଉଥିବାବେଳେ ସାମ୍ନାରେ ବସି ଅତି ଆଗ୍ରହର ସହ ଶୁଣୁଛନ୍ତି ରିୟା ଚକ୍ରବର୍ତ୍ତୀ । ଆଉ ଶେଷରେ ରିୟା ତାଳି ବି ବଜାଉଛନ୍ତି । ଏହି ଭିଡିଓ ଦେଖିଲେ ସ୍ପଷ୍ଟ ଜଣା ପଡୁଛି ମହେଶ ଭଟ୍ଟଙ୍କର କେତେ ଅତି ନିକଟବର୍ତ୍ତୀ ଥିଲେ ରିୟା ଚକ୍ରବର୍ତ୍ତୀ ।

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଯେତେବେଳେ ଦେଶବ୍ୟାପୀ ସନ୍ଦେହ ବଢ଼ିବାରେ ଲାଗିଥିଲା ସେହି ସମୟରେ ତଦନ୍ତକାରୀ ସଂସ୍ଥାକୁ ମହେଶ ଭଟ୍ଟ ଓ ରିୟାଙ୍କ ଚାଟ ସାମ୍ନାକୁ ଆସିଥିଲା । ଏହି ଚାଟ ଜୁନ୍ ୮ ତାରିଖର ଥିଲା । ଅର୍ଥାତ ଯେଉଁଦିନ ରିୟା ସୁଶାନ୍ତଙ୍କ ଘର ଛାଡିଥିଲେ ସେହିଦିନ ମହେଶ ଭଟ୍ଟଙ୍କ ସହ ସେ ଏହି ଚାଟ୍ କରିଥିଲେ । ଘର ଛାଡିବା ପରେ ରିୟା ମହେଶ ଭଟ୍ଟଙ୍କୁ ପ୍ରଥମ ଚାଟ କରିଥିଲେ । ଏହି ଚାଟରେ ମହେଶ ଭଟ୍ଟ ଲେଖିଥିଲେ ……

ମହେଶ ଭଟ୍ଟ: ତୁମେ ମୋ ଝିଅ ଭଳି । ମୋତେ ବହୁତ ଖୁସୀ ଅନୁଭବ ହେଲା ।
ରିୟା: ମୋ ପାଖରେ ଶବ୍ଦ ନାହିଁ । କିନ୍ତୁ ଆପଣଙ୍କୁ ନେଇ ମୋର ଭାବନା ହୃଦୟରୁ ରହିଛି।
ମହେଶ ଭଟ୍ଟ: ସାହାସୀ ପଦକ୍ଷେପ ପାଇଁ ଶୁଭେଚ୍ଛା
ରିୟା: ଭାଗ୍ୟକୁ ବହୁତ ବହୁତ ଧନ୍ୟବାଦ, କି ଆପଣ ମୋତେ ମିଳିଛନ୍ତି

ଚାଟ ସାମନାକୁ ଆସିବା ପରେ ଉଠିଥିଲା ଝଡ । ରିୟାଙ୍କ ସହ ମହେଶ ଭଟ୍ଟଙ୍କ ମଧ୍ୟରେ କି ପ୍ରକାର ସମ୍ପର୍କ ରହିଛି ତାକୁ ନେଇ ଜୋର ଧରିଥିଲା ଚର୍ଚ୍ଚା । ଏହି ସମୟରେ ରିୟା ଓ ମହେଶ ଭଟ୍ଟଙ୍କ କେତେକ ପୁରୁଣା ଫଟୋ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା । ଏପରିକି କେହି କେହି ରିୟାଙ୍କୁ ମହେଶଙ୍କ ପ୍ରେମିକା ମଧ୍ୟ କହିବାକୁ ପଛାଇ ନଥିଲେ । ହେଲେ ପରେ ଏଭଳି ଅଭିଯୋଗକୁ ଖଣ୍ଡନ କରିବା ସହ ମହେଶ ତାଙ୍କ ବାପା ଭଳି ବୋଲି ସଫେଇ ଦେଇଥିଲେ ରିୟା ।

ରିୟା ଓ ମହେଶ ଭଟ୍ଟଙ୍କ ସମ୍ପର୍କ ଯାହା ବି ଥାଉ କିନ୍ତୁ ଉଭୟ ଅନେକ ସମୟରେ କଥା ହେଉଥିଲେ । ସୁଶାନ୍ତ ଓ ରିୟାଙ୍କ ସମ୍ପର୍କ କିଭଳି ଥିଲା ସେ ନେଇ ମହେଶ ଭଟ୍ଟଙ୍କ ସହ ନିଜର ଭାବନା ବାଂଟୁଥିଲେ ରିୟା । ଏହାକୁ ରିୟା ନିଜେ ସ୍ୱୀକାର ମଧ୍ୟ କରିଛନ୍ତି । ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇବା ପାଇଁ ସିବିଆଇ ସମେତ ଦେଶର ତିନି ପ୍ରମୁଖ ତଦନ୍ତକାରୀ ସଂସ୍ଥା କାର୍ଯ୍ୟ କରୁଛନ୍ତି । ସେମାନଙ୍କ ନିକଟରେ ରିୟାଙ୍କ ହ୍ୱାଟସଆପ୍ ଚାଟ ଠାରୁ ଆରମ୍ଭ କରି ତାଙ୍କର ସମସ୍ତ ଭିଡିଓ ରହିଛି । ହେଲେ ଏପର୍ଯ୍ୟନ୍ତ ମହେଶ ଭଟ୍ଟଙ୍କୁ ଏହି ତିନି ସଂସ୍ଥା ପଚରାଉଚରା କରି ନାହାଁନ୍ତି । ତେଣୁ ଆଗାମୀ ଦିନରେ ମହେଶ ଭଟ୍ଟଙ୍କୁ ତଦନ୍ତ ପରିସରଭୁକ୍ତ କରିବାର ବେଶ୍ ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର