ନାମକରା ନୃତ୍ୟଶିଳ୍ପୀ ସପ୍ନା ଚୌଧୁରୀଙ୍କ ସଂଘର୍ଷ ଓ ସଫଳତାର କାହାଣୀକୁ ନେଇ ସିନେମା ନିର୍ମାଣ କରିବେ ନିର୍ମାତା-ନିର୍ଦ୍ଦେଶକ ମହେଶ ଭଟ୍ଟ। ମାତ୍ର ୩୩ ବର୍ଷ ବୟସରେ ନିଜ ଠୁମ୍କାରେ ଜନମନ ମୋହିଥିବା ସପ୍ନା ବଲିଉଡ୍ର ବରିଷ୍ଠ ନିର୍ମାତା ମହେଶ ଭଟ୍ଟଙ୍କ ମନକୁ ବି ଛୁଇଁ ପାରିଛନ୍ତି। ୧୯୯୦ ମସିହାରେ ହରିୟାଣାର ମହିପାଲପୁରରେ ଜନ୍ମ ଗ୍ରହଣ କରିଥିଲେ ସପ୍ନା ଚୌଧୁରୀ।
ସପ୍ନାଙ୍କ ଉପରେ ସିନେମା କରିବେ ମହେଶ
ରୋହତକର ବାସିନ୍ଦା ସପ୍ନାଙ୍କ ବାପା ୨୦୦୮ ମସିହାରେ ରୋଗରେ ପଡ଼ି ଆରପାରିକୁ ଚାଲିଯିବା ପରେ ପୂରା ପରିବାରର ବୋଝ ପଡ଼ିଗଲା ସପ୍ନାଙ୍କ ଉପରେ। ତା’ପରେ ସେ ପରିବାର ପ୍ରତିପୋଷଣ ଲାଗି ନୃତ୍ୟକଳାକୁ ରୋଜଗାରର ମାଧ୍ୟମ କଲେ। ଧୀରେଧୀରେ ନୃତ୍ୟରୁ ସେ ଟଙ୍କା ରୋଜଗାର କରିବା ସହ ଲୋକପ୍ରିୟତା ବି ସାଉଁଟିବାରେ ଲାଗିଲେ। ଦେଶର ସବୁଠୁ ବଡ଼ ରିୟଲିଟି ସୋ’ ‘ବିଗ୍ ବସ୍-୧୧’ରେ ଭାଗ ନେବା ପରେ ସପ୍ନାଙ୍କ ବିଷୟରେ ଲୋକ ଜାଣିଲେ। ଏହା ପରେ ସପ୍ନାଙ୍କ ଲୋକପ୍ରିୟତା ଆହୁରି ବଢ଼ିବାରେ ଲାଗିଛି।