ଓଡ଼ିଆ ଚଳଚ୍ଚିତ୍ର ‘ତୁ ମୋ କମଜୋରି’ର ଶୁଭମହୁରତ

ଭୁବନେଶ୍ବର:  ଶ୍ରଦ୍ଧାସବୁରି ପ୍ରଡକ୍ସନ ନିବେଦିତ ତଥା ସୁପ୍ରିମ୍ ଏଂଟରଟେନମେଂଟ ସହ ପ୍ରଯୋଜନାରେ ନିର୍ମିତ ନୂଆ ଓଡିଆ ଚଳଚ୍ଚିତ୍ର ‘ତୁ ମୋ କମଜୋରି’ର ଶୁଭମହୁରତ ହୋଇଯାଇଛି । ପଟିଆସ୍ଥିତ ସାଇ ମନ୍ଦିରରେ ଆୟୋଜିତ ଏହି ମହୁରତ ଉତ୍ସବରେ ତରଙ୍ଗ ଟିଭିର ମୁଖ୍ୟ ଶ୍ୟାମା ପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେବା ସହ କ୍ଲାପ ଦେଇ ଚଳଚ୍ଚିତ୍ରର ଶୁଭାରମ୍ଭ କରିଥିଲେ । ଏହି ଉତ୍ସବରେ ‘ତୁ ମୋ କମଜୋରି’ ସହ ସମ୍ପୃକ୍ତ କଳାକାର ତଥା ଟେକ୍ନିସିଆନଙ୍କ  ସମେତ ଓଡିଆ ଚଳଚ୍ଚିତ୍ର ଓ ସଙ୍ଗୀତ ଜଗତର ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଥିଲା ।

‘ତୁ ମୋ କମଜୋରି’ହେଉଛି ଏକ ନିଆରା ପ୍ରେମ କାହାଣୀ, ଯେଉଁଥିରେ ଲଭ୍ ଅଛି ରୋମାନ୍ସ ଅଛି ଇମୋସନ ଅଛି, ଅଛି ସସ୍ପେନ୍ସ । ଆଉ ରହିଛି କମଜୋରି ବା ଦୁର୍ବଳତା । ନାୟକ ପାଇଁ ନାୟିକାର ନା ନାୟିକା ପାଇଁ ନାୟକର, କାହା ପାଇଁ କାହାର ରହିଛି କମଜୋରି ତାହା ଚଳଚ୍ଚିତ୍ର ରିଲିଜ୍ ହେବା ପରେ ହିଁ ଜଣାପଡିବ । ଏହି ମ୍ୟୁଜିକାଲ୍ ଲଭଷ୍ଟୋରିରେ ପ୍ରମୁଖ ଭୂମିକାରେ ରାକେଶ ଦେଓ, ଅନୁଭାସୌର୍ଯ୍ୟା ଏବଂ ଲିପିକା ନଜର ଆସିବେ । ରାକେଶ ଓ ଅନୁଭା ଯୋଡିର ଏହା ପ୍ରଥମ ଚଳଚ୍ଚିତ୍ର । ଏଥିରେ ଦେବଙ୍କୁ ଏକ ବିଶେଷ ଖଳ ଚରିତ୍ରରେ ଦେଖିବାକୁ ମିଳିବ। ଅନ୍ୟାନ୍ୟ ଭୂମିକାରେ ଅଛନ୍ତି ଆଶିଷ, ସୋମୁ, ବର୍ଷା, ଜ୍ୟୋତି, ନଟିଆ, ଜୋଜୋ, ଗୀତିମୟ ନନ୍ଦ ଓ ବିଜୁ ବଡଜେନା ପ୍ରମୁଖ । ମୌଳିକ ତଥା ବଳିଷ୍ଠ କାହାଣୀକୁ ନେଇ ନିର୍ମିତ ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ଭାର୍ଗବୀ ତ୍ରିପାଠୀ, ଟିକି ପଟ୍ଟନାୟକ ଓ ଲିଙ୍ଗରାଜ ପାତ୍ର । ନିର୍ଦ୍ଦେଶନା ଦେଉଛନ୍ତି ସନ୍ତୋଷ ବିଶ୍ୱାଳ । କାହାଣୀ ରଚନା କରିଛନ୍ତି ଆଶୁତୋଷ ତ୍ରିପାଠୀ ଏବଂ ସଂଳାପ ଦେଇଛନ୍ତି ଡ. ନିର୍ମଳ ନାୟକ ।

ସଙ୍ଗୀତ ଏ ଚଳଚ୍ଚିତ୍ର ପାଇଁ ବିଶେଷ ଗୁରୁତ୍ୱ ରଖୁଥିବାବେଳେ ଏଥିରେ ସଙ୍ଗୀତ ଦେଇଛନ୍ତି ମେଲୋଡି ମେକର୍ ପ୍ରେମ୍ ଆନନ୍ଦ । ଗୀତରଚନା କରିଛନ୍ତି ବସନ୍ତରାଜ ସାମଲ, ଡ. ନିର୍ମଳ ନାୟକ ଓ ସୁବ୍ରତ ସ୍ୱାଇଁ । କଣ୍ଠଦାନ କରିଛନ୍ତି ଓଡିଶାର ଆଗଧାଡିର କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ଅନନ୍ୟା, ଦୀପ୍ତିରେଖା, ଆଶୁତୋଷ, ସବିଶେଷ ଓ ଦେବବ୍ରତ । କ୍ୟାମେରାରେ କାହ୍ନୁ ନନ୍ଦ ଶୁଭମ୍, ସମ୍ପାଦନାରେ ରଞ୍ଜନ ଖଟେଇ ଓ କଳା ନିର୍ଦ୍ଦେଶନାରେ ପାଣ୍ଡିଆ ଥିବାବେଳେ ନୃତ୍ୟ ନିର୍ଦ୍ଦେଶନା ଦେବେ ରାକେଶ ।

ସମ୍ବନ୍ଧିତ ଖବର