କେବଳ ବାନ୍ତି ହେବା ବାକି ଥିଲା; ‘ମେନେ ପାୟଲ ହେ ଛନକାଇ’ର ରିମିକ୍ସକୁ ନେଇ ନେହାଙ୍କ ଉପରେ ବର୍ଷିଲେ ଫାଲଗୁନି

ମୁମ୍ବାଇ: କିଛି ଦିନ ତଳେ ରିଲିଜ୍ ହୋଇଥିଲା ୯୦ଦଶକର ଗୀତ ‘ମେନେ ପାୟଲ ହେ ଛନକାଇ’ର ରିମିକ୍ସ। ୯୦ଦଶକରେ ଏହାକୁ ଗାଇଥିଲେ ଫାଲଗୁନି ପାଠକ। ସେ ସମୟରେ ରିଲିଜ୍ ହୋଇଥିବା ଏହି ଗୀତର ଲୋକପ୍ରିୟତା ଏତେ ଥିଲା ଯେ, ‌ଏବେ ବି ଏହାର ପ୍ରଭାବ ଲୋକଙ୍କ ଉପରେ ରହିଛି। ତେବେ ଏହାର ରିମିକ୍ସ ଆସିବା ପରେ ଲୋକେ ଏହାକୁ ନାପସନ୍ଦ କରୁଥିବା ଦେଖାଯାଇଛି। ଗୀତଟି ‌କଣ୍ଠଶିଳ୍ପୀ ନେହା କକ୍କର ଗାଇଥିବା ବ‌େଳେ ଏଥିରେ ନେହା କକ୍କର, ଅଭିନେତା ପ୍ରିୟାଙ୍କ ଶର୍ମା ଏବଂ କୋରିଓଗ୍ରାଫର ଧନଶ୍ରୀ ବର୍ମା ଅଭିନୟ କରିଛନ୍ତି।

ଗୀତଟି କେବଳ ଶ୍ରୋତାଙ୍କୁ ନୁହେଁ ଫାଲଗୁନି ପାଠକଙ୍କୁ ମଧ୍ୟ ନିରାଶ କରିଥିବା ଜଣାପଡ଼ିଛି। ଏଭଳି ବିନା ଅନୁମତିରେ ଗୀତର ରିମିକ୍ସ କରିବାକୁ ନେଇ ନେହାଙ୍କ ଉପରେ ଫାଲଗୁନି ବର୍ଷିବା ସହ କେବଳ ବାନ୍ତି ହେବା ବାକି ଥିଲା ବୋଲି କହିଛନ୍ତି। ସେ କହିଛନ୍ତି ଯେ, ‘ମେନେ ପାୟଲ ହେ ଛନକାଇ’ର ରିମିକ୍ସ ସଂସ୍କରଣ ଗୀତର ମୌଳିକତା ସହିତ ଗୀତର ଭାବନାକୁ ବଦଳାଇ ଦେଇଛି। ମୁଁ ୩-୪ ଦିନ ପୂର୍ବରୁ ରିମିକ୍ସ ସଂସ୍କରଣ ବିଷୟରେ ଜାଣିବାକୁ ପାଇଲି। ଗୀତ ଶୁଣିବା ପରେ ମୋର ପ୍ରଥମ ପ୍ରତିକ୍ରିୟା ଭଲ ନଥିଲା। ମୋତେ ଏତେ ଖରାପ ଲାଗିଲା ଯେ, କେବଳ ବାନ୍ତି ଆସିବା ବାକି ଥିଲା।

ସେ ଆହୁରି କହିଛନ୍ତି ଯେ, ପ୍ରଥମ ଭିଡିଓରେ ଥିବା କାହାଣୀରେ ଯେଉଁ ନିରୀହତା ଥିଲା, ତାହା ଏହି ଗୀତରେ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି। ରିମିକ୍ସ କରିବାରେ ସମସ୍ୟା ନାହିଁ, କିନ୍ତୁ ମୂଳ ଗୀତର ଭାବନାକୁ ନଷ୍ଟ କରିବା ଉଚିତ୍ ନୁହେଁ।

ସମ୍ବନ୍ଧିତ ଖବର