ସୃଜନର ଏକାଧିକ ଧାରାରେ ପାଦ ଥାପିଥିଲେ ସଂଗୀତଜ୍ଞ ପ୍ରଫୁଲ୍ଲ କର। ସଂଗୀତଜ୍ଞ, କଣ୍ଠଶିଳ୍ପୀ ଭାବେ କେବଳ ନୁହଁନ୍ତି ଗୀତିକାର, ଲେଖକ, ସ୍ତମ୍ଭକାର ଭାବେ ତାଙ୍କର ପୃଥକ୍‌ ପରିଚୟ ରହିଛି। ଚଳଚ୍ଚିତ୍ର ସଂଗୀତ, ଲଘୁ ସଂଗୀତ, ଭକ୍ତି ଓ ଓଡ଼ିଶୀ ସଂଗୀତରେ ତାଙ୍କର ଅନନ୍ୟ ପାରଦର୍ଶିତା ଶ୍ରୋତାଙ୍କୁ ବାନ୍ଧିରଖୁଥିଲା। ପରିଣତ ବୟସ ପର୍ଯ୍ୟନ୍ତ ସେ ସଙ୍ଗୀତ ସାଧନାରେ ବ୍ରତୀ ଥିଲେ। କଳା କ୍ଷେତ୍ରକୁ ଅତୁଳନୀୟ ଅବଦାନ ଲାଗି ୨୦୧୫ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଥିବା ବେଳେ ୨୦୦୪ ମସିହାରେ ଜୟଦେବ ପୁରସ୍କାରରେ ତାଙ୍କୁ ସମ୍ମାନିତ କରାଯାଇଥିଲା। ଗୀତିକବିତା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ମଧ୍ୟ ସେ ଲାଭ କରିଛନ୍ତି। ନିକଟରେ ଏହି କିଂବଦନ୍ତି ଗାୟକ ତଥା ସଂଗୀତ ନିର୍ଦ୍ଦେଶକଙ୍କର ତେୟାଅଶୀ ବର୍ଷ ବୟସରେ ପରଲୋକ ଘଟିଛି। ତାଙ୍କର ଅଭୁଲା ସ୍ମୃତିର କଥାକୁ ନେଇ ଏଥରର ପ୍ରଚ୍ଛଦ ପ୍ରସଙ୍ଗ।

Advertisment

ଏହା ସେହି ସମୟର କଥା ଯେତେବେଳେ ଓଡ଼ିଶାର ସଂଗୀତ କହିଲେ କେବଳ ଜଣକୁ ବୁଝାଉଥିଲା। ସେ ହେଉଛନ୍ତି ଅକ୍ଷୟ ମହାନ୍ତି। ଆକାଶବାଣୀ ହେଉ କି ଏଚ୍ଏମ୍‌ଭି ସବୁଠି ଥିଲା ଅକ୍ଷୟଙ୍କର ପ୍ରଭାବ। ଆଧୁନିକ, ଗ୍ରାମ୍ୟଗୀତିକା, ପୌରାଣିକ ଓ ଐତିହାସିକ ଗାଥା, ଖଞ୍ଜଣି ଗୀତ, ଜଗନ୍ନାଥ ଜଣାଣ, ଗୀତିନାଟ୍ୟ, ଦେଶାତ୍ମବୋଧ ସବୁଥିରେ ନୂଆପଣ ଭରିଦେଇ ସଂଗୀତର ଯାଦୁକର ଅକ୍ଷୟ ମହାନ୍ତି ଶ୍ରୋତାମାନଙ୍କୁ ମସ୍‌ଗୁଲ୍‌ କରି ରଖିଥିଲେ। ସେ ଥିଲେ ଅପ୍ରତିଦ୍ୱନ୍ଦ୍ୱୀ। ଠିକ୍ ସେତିକିବେଳେ ଓଡ଼ିଶାର ଶେଷସୀମା ବଙ୍ଗୋପସାଗର ପୂର୍ବତଟବର୍ତ୍ତୀ ଅଞ୍ଚଳରୁ ଆସି ସଂଗୀତ ଜଗତରେ ପାଦ ଥାପିଲେ ଜଣେ ଉଦୀୟମାନ ଯୁବକ ଯାହାଙ୍କୁ ଶୁଣିବା ପରେ ଶ୍ରୋତାମାନେ କହିବାକୁ ଲାଗିଲେ: ଅକ୍ଷୟ ମହାନ୍ତିଙ୍କୁ ଟକ୍କର ଦେବାକୁ କେହି ଜଣେ ଆସିଗଲା! କହିବା ନିଷ୍ପ୍ରୟୋଜନ, ସେଦିନର ସେହି ଉଦୀୟମାନ ଯୁବକ ଥିଲେ ଓଡ଼ିଆ ସଂଗୀତର କମଳଦେଶ ରାଜକୁମର ପଦ୍ମଶ୍ରୀ ପ୍ରଫୁଲ୍ଲ କର। ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଦେବାଶିଷ ମହାପାତ୍ର ତାଙ୍କ ସମ୍ପର୍କରେ ଥରେ କହିଥିଲେ, ‘‘ତାଙ୍କର ଗୋରା ତକ୍‌ତକ୍‌ ଚେହେରା ସାଙ୍ଗକୁ ଖଣ୍ଡା ଭଳିଆ ନାକ। ସେ ଯେତେବେଳେ ଡାର୍କ କଲର ସିଲ୍‌କି ପଞ୍ଜାବି ପିନ୍ଧି ଚାଲି ଆସୁଥିଲେ ସତରେ ସେ ଜଣେ ରାଜକୁମାର ଭଳି ଲାଗୁଥିଲେ। ତାଙ୍କୁ ଦେଖିଦେଲେ ଲୋକମାନେ ଖୁସି ହୋଇ ଯାଉଥିଲେ।’’
୧୯୩୯ ଫେବ୍ରୁଆରି ମାସ ୧୬ ତାରିଖ। ଏହି ଦିନ ପୁରୀର ଦୋଳମଣ୍ଡପ ସାହିରେ ବୈଦ୍ୟନାଥ କର ଏବଂ ସୁଶୀଳା କରଙ୍କ କୋଳରେ ଜନ୍ମ ହୋଇଥିଲେ ଏହି ବିସ୍ମୟ ପ୍ରତିଭା। ପରିବାରରେ ଥିଲା ଏକ ସଂଗୀତର ବାତାବରଣ। ଦଦେଇ (ବଡ଼ବାପା) କ୍ଷେତ୍ରମୋହନ କର ଥିଲେ ଓଡ଼ିଶାର ଜଣେ ପ୍ରସିଦ୍ଧ ତବଲା ବାଦକ। ତାଙ୍କ ନିକଟକୁ ବଡ଼ ବଡ଼ ସଂଗୀତଜ୍ଞମାନେ ଆସୁଥିଲେ। ସଂଗୀତ ଆସର କରୁଥିଲେ। ଅଳ୍ପ ବୟସରେ ପ୍ରଫୁଲ୍ଲ ବାପାଙ୍କୁ ହରାଇଲେ। ମାମୁ ଘରେ ଅଜାଆଈଙ୍କ କୋଳରେ ବଢ଼ିଲେ। ତାଙ୍କ ଆଈ ଆଉ ମାଈଁ ଉଭୟ ଥିଲେ ଭାଗବତ ପ୍ରେମୀ। ସବୁଦିନ ସନ୍ଧ୍ୟାରେ ସେମାନେ ଭାଗବତ ପଢୁଥିଲେ। ସେମାନଙ୍କ କୋଳରେ ବସି ସେ ଭାଗବତ ଶୁଣୁଥିଲେ। ସେମାନେ କାନ୍ଦିଲେ ସେ କାନ୍ଦୁଥିଲେ। ସେମାନେ ହସିଲେ ସେ ହସୁଥିଲେ। ଏମିତି ଭାବରେ ତାଙ୍କ ଅଜାଣତରେ ସେ କେତେବେଳେ ଯେ ସଂଗୀତକୁ ଭଲପାଇ ବସିଲେ ତାହା ଖୋଦ୍ ତାଙ୍କୁ ବି ଜଣା ନ ଥିଲା। ପୁଣି ଦଦେଇ କ୍ଷେତ୍ରମୋହନ ବାବୁଙ୍କ ନିକଟକୁ ଆସୁଥିବା କଳାକାରଙ୍କ ପ୍ରଭାବ ତ ତାଙ୍କ ଉପରେ ଥିଲା ସୁଦୂରପ୍ରସାରୀ।

“ମୋ ଦଦେଇଙ୍କ ନିକଟକୁ ଯେଉଁ ମହାନ୍‌ କଳାକାରମାନେ ଆସୁଥିଲେ ଲୋକମାନେ ତାଙ୍କୁ ଭାରି ଆଦର କରୁଥିଲେ। ସେମାନେ ଯେମିତି ଜଣେ ଜଣେ ରାଜା। ଏହାଦେଖି ମୁଁ ପିଲାବେଳୁ ଭାବି ନେଇଥିଲି ଯେ, ମୁଁ ବଡ଼ହେଲେ କେବଳ କଳାକାରଟେ ହିଁ ହେବି।” ପ୍ରଫୁଲ୍ଲଙ୍କର ଏହା ଭାବପ୍ରବଣତା ନ ଥିଲା; ଥିଲା ସ୍ୱପ୍ନ। ଯେଉଁଥିପାଇଁ ସେ ଓକିଲାତି ପଢ଼ିଥିଲେ ବି ଓକିଲାତି କଲେ ନାହିଁ। ଇଚ୍ଛା କରିଥିଲେ ସରକାରୀ ଚାକିରି ବି କରିପାରିଥାନ୍ତେ। ମାତ୍ର ତାଙ୍କ ଜନ୍ମଜାତକରେ ତ ଷଠୀବୁଢ଼ୀ ଲେଖି ଦେଇଥିଲା ସେ ହେବେ ସଂଗୀତ ରାଇଜର ରାଜକୁମର। ତା’ହେଲେ ସେ ଚାକିରି ବା କରିଥାନ୍ତେ କିପରି?

“ଓକିଲାତି ଛାଡ଼ିଦେଲି। କାରଣ ମୁଁ ପିଲାଟିବେଳୁ ସ୍ୱପ୍ନ ଦେଖୁଥିଲି କଳାକାର ହେବି। ରାଜା ଭଳି ବଞ୍ଚିବି। ଜାଣନ୍ତି, ସେତେବେଳେ ଯିଏ ଚାକିରିଟିଏ କରୁଥିଲା ତାକୁ ଲୋକେ ଉଚ୍ଚ ନଜରରେ ଦେଖୁଥିଲେ। ମୁଁ କିନ୍ତୁ କାହାର ଚାକର ହେବାକୁ ଚାହୁଁ ନ ଥିଲି।” ଏ କଥା ସେ ନିଜେ କହୁଥିଲେ। ୧୯୬୦ ମସିହା। ପ୍ରଫୁଲ୍ଲ ପାଦ ଦେଲେ ଓଡ଼ିଶାର ସଂଗୀତର ପ୍ରାନ୍ତରରେ। ସେତେବେଳେ ସଂଗୀତର ବହୁତ ଆଦର ଥିଲା। ହେଲେ ସଂଗୀତ ବଞ୍ଚିବାର ଖୋରାକ୍ ଯୋଗେଇ ପାରୁ ନ ଥିଲା। ଗୀତ ଗାଉଥିବା ପୁଅଝିଅକୁ ବାପାମା’ମାନେ ନାଲି ଆଖି ଦେଖେଇ ଆକଟ କରୁଥିଲେ। କାରଣ, ଗୀତ ଗାଇଲେ ଖାଇବାକୁ ମିଳିବନି- ଲୋକମାନଙ୍କ ପାଇଁ ଏହା ପାଲଟି ଯାଇଥିଲା ଏକ ବେଦବାକ୍ୟ। ପ୍ରଫୁଲ୍ଲ କର ଏକ ସାକ୍ଷାତକାରରେ କହିଥିଲେ, “ମୁଁ ଯେତେବେଳେ ସଂଗୀତକୁ ଆସିଲି ସେତେବେଳେ ଏହା ଭାରି ଭୟଙ୍କର ଅବସ୍ଥାରେ ଥିଲା। ଗୁଣୀ ଓ ଜ୍ଞାନୀଲୋକ ଥିଲେ। ହେଲେ ପଇସା ନ ଥିଲା। ବଡ଼ ବଡ଼ ଗୁରୁମାନେ ଖାଇବାକୁ ପାଉ ନ ଥିଲେ। ସେମାନେ ଭିକ୍ଷାମାଗିବା ଭଳି ପରିସ୍ଥିତି ଦେଇ ଗତି କରୁଥିଲେ। ଭାରି ଦୟନୀୟ ଅବସ୍ଥା।”
ମାତ୍ର ଏଭଳି ସ୍ଥିତିରେ ବି ନିଜର ଅତି ପ୍ରିୟ ହାର୍ମୋନିଅମ୍‌ଟିକୁ ଧରି ପ୍ରଫୁଲ୍ଲ ଓହ୍ଲେଇଲେ ସଂଗୀତର ମହାମଞ୍ଚକୁ। ତାଙ୍କ ନିକଟରେ ଥିଲା ଦୁଇଟା ସମ୍ବଳ। ପ୍ରଥମତଃ କଳାକାର ହେବାର ଦୃଢ଼ ସଂକଳ୍ପ। ଦ୍ୱିତୀୟତଃ, ହିନ୍ଦୁସ୍ତାନୀ ସଂଗୀତ ଗୁରୁ କୁଣ୍ଡଳ ଆଦିନାରାୟଣ ରାଓ, ଓଡ଼ିଶୀ ଗୁରୁ ସିଂହାରି ଶ୍ୟାମସୁନ୍ଦର କର ଏବଂ ମାର୍କଣ୍ଡେୟ ମହାପାତ୍ରଙ୍କ ପ୍ରଦତ୍ତ ଜ୍ଞାନ ଆଉ ଆଶୀର୍ବାଦ। ସାମ୍ନାରେ କିନ୍ତୁ ଉଭା ହୋଇଥିଲେ ଓଡ଼ିଆ ଆଧୁନିକ ସଂଗୀତର ଅଦ୍ବିତୀୟ ନାୟକ ଅକ୍ଷୟ ମହାନ୍ତି। ପ୍ରଫୁଲ୍ଲ ବି ନିଜକୁ ନେଇ କିଛି କମ୍ ପ୍ରତିଶ୍ରୁତିବଦ୍ଧ ନ ଥିଲେ।
“ମୁଁ ମ୍ୟାଟ୍ରିକ୍ ପଢ଼ିବା ବେଳକୁ ଅକ୍ଷୟ ମହାନ୍ତି ବିଏ ପାସ୍। ସେତେବେଳକୁ ସେ ଅକ୍ଷୟ ମହାନ୍ତି ହୋଇ ସାରିଲେଣି। ଆଉ ମୁଁ ଯେତେବେଳେ ଆସିଲି, ଆରେ ବାପ୍‌ରେ, ଯୁଆଡ଼େ ଶୁଣିବ ଖାଲି ଅକ୍ଷୟ ମହାନ୍ତି। ମୋ ଭିତରେ କ’ଣ ଆତ୍ମବିଶ୍ୱାସ କମ୍ ଥିଲା!”
ସେହି ଆତ୍ମବିଶ୍ୱାସର ଏକ ସଫଳ ପ୍ରତିବେଦନ ଥିଲା : ‘ଯନ୍ତର କଲି ମନ୍ତର କଲି କେତେ ବୁଝେଇଲି କେତେ ଶୁଝେଇଲି... କହ ସଭାଜନେ ଆଉ କିସ କଲେ ଫେରି ପାଇବି ମୋ ଚମ୍ପାଗୋରୀ କି!’ ହିଜ୍ ମାଷ୍ଟର୍ସ ଭଏସ୍ ବା ଏଚ୍ଏମ୍‌ଭିରେ ମୁକ୍ତିଲାଭ କରିଥିବା ଏହି ନନ୍-ଫିଲ୍ମ ଗୀତଟି ଥିଲା ତାଙ୍କ ଜୀବନର ସର୍ବପ୍ରଥମ ଗୀତ ଯାହା ତାଙ୍କୁ ଆଣିଦେଇଥିଲା ସର୍ବକାଳୀନ ସଫଳତା। ଏହାପରେ ସେ ପଛକୁ ପଛ ସୃଷ୍ଟିକରି ଚାଲିଲେ ଗୋଟିଏ ପରେ ଗୋଟେ ପଲ୍ଲୀଗୀତ, ଭଜନ, ଦେଶାତ୍ମବୋଧ, ଆଧୁନିକ ଓ ଲଘୁ ସଂଗୀତ। ଆଉ ଆକାଶବାଣୀ ତଥା ଏଚ୍ଏମ୍‌ଭି ପାଇଁ ପାଲଟିଗଲେ ଜଣେ ବ୍ୟସ୍ତବହୁଳ ଗାୟକ, ଗୀତିକାର, ସଂଗୀତ ନିର୍ଦ୍ଦେଶକ।
୧୯୬୩ ମସିହାରେ ତାଙ୍କୁ ଫିଲ୍ମରେ ଗାଇବାର ସୁଯୋଗ ମିଳିଲା। ସେ ପ୍ରଥମଥର କଣ୍ଠଦାନ କଲେ ସିନେମା ‘ଶ୍ରୀ ଶ୍ରୀ ପତିତପାବନ’ରେ। ଏହାପରେ ୧୧ ବର୍ଷର ଅପେକ୍ଷା। କାରଣ ସେ କେବଳ ଗୀତଗାଇ ବା ଗୀତ ଲେଖି ସନ୍ତୁଷ୍ଟ ହେବାର ପାତ୍ର ନ ଥିଲେ। ତାଙ୍କର ଆଖି ଥିଲା ବଡ଼ ପରଦା ବା ଫିଲ୍ମ ଉପରେ। ୧୯୭୪ ମସିହାରେ ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର ‘ମମତା’ ଯେଉଁଥିରେ ପ୍ରଥମଥର ପାଇଁ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରଫୁଲ୍ଲ କର। ପ୍ରଥମଥର ପାଇଁ ଫିଲ୍ମରେ ନିର୍ଦ୍ଦେଶନା ଦେଇଥିଲେ ବି ସେ ପ୍ରମାଣ କରିଦେଇଥିଲେ ତାଙ୍କ ନିକଟରେ ରହିଛି ଜଣେ ପରିପକ୍ୱ ସଂଗୀତ ନିର୍ଦ୍ଦେଶକର ଉପାଦାନ। ‘ହେ ଫଗୁଣ କାନ୍ଦନାରେ’, ‘ରେ ଆତ୍ମନ୍ ନିଦ୍ରା ପରିହରି’, ‘ହେ ମୋର ବାବୁ’, ‘ଆରେ ମିତ ଆ ସଂଗାତ’, ‘ଶ୍ୟାମକୁ ଜୁହାର ତା’ର ପ୍ରେମକୁ ଜୁହାର’, ‘ମୁଁ ତ ମଣିଷ ମାରିନି, ଦେଖି ସେ ବଣମଲ୍ଲୀ ରାଧା ହେଲେ ବାତୁଳି’ ଭଳି ସଂଗୀତ ଶୁଣିଲେ କିଏ କ’ଣ ଭାବି ସୁଦ୍ଧା ପାରିବ ଯେ, ସେ ଫିଲ୍ମ ଜଗତରେ ଥିଲେ ନୂଆ ବା ପ୍ରଥମ।
ପ୍ରଫୁଲ୍ଲ କର ଥିଲେ ନୂଆଧାରା (ଟ୍ରେଣ୍ଡ୍)ର ବିନ୍ଧାଣୀ। ତାଙ୍କର ନୂଆଧାରା ଓଡ଼ିଆ ସଂଗୀତ ଆକାଶରେ ସୃଷ୍ଟି କରିଥିଲା ନୂଆ ସୂର୍ଯ୍ୟୋଦୟର ଆଭାସ। ଓଡ଼ିଆ ସାହିତ୍ୟରେ ରଚିତ ମୂଲ୍ୟବାନ ପଦ୍ୟକୁ ସେ ସଂଗୀତରେ ସଜେଇ ଆଣିଥିଲେ ପରଦା ଉପରକୁ। ଭକ୍ତକବି ମଧୁରାଓଙ୍କ ‘ଜୀବନଚିନ୍ତା’ କବିତା ‘ରେ ଆତ୍ମନ୍ ନିଦ୍ରା ପରିହରି’, ‘ଅଖିଳ ବ୍ରହ୍ମାଣ୍ଡପତି ମୋ ଜୀବନ ସ୍ୱାମୀ’, ରାମକୃଷ୍ଣ ନନ୍ଦଙ୍କ ‘ଆହେ ଦୟାମୟ ବିଶ୍ୱ ବିହାରି’ ତାଙ୍କ ସ୍ୱରର ସ୍ପର୍ଶ ପାଇ ସବୁଦିନ ଲାଗି ହୋଇଯାଇଛି ଜୀବନ୍ତ। ସେ ଓଡ଼ିଆ ଗୀତରେ କରିଥିଲେ ଇଂରାଜୀର ସଫଳ ପ୍ରୟୋଗ। ପ୍ରଥମ ଫିଲ୍ମ ‘ମମତା’ରେ ‘ଭଲ ପାଇବା’ ବାକ୍ୟଟିକୁ ସେ ଏକସଙ୍ଗରେ ଇଂରାଜୀ, ଗୁଜରାଟୀ, ମରାଠୀ, ତେଲୁଗୁ, ପଞ୍ଜାବୀ, ଉର୍ଦ୍ଦୁ ଆଦି ଭାଷାରେ ପ୍ରକାଶ କରିଥିଲେ। କେବଳ ଓଡ଼ିଶାରେ ନୁହେଁ, ସମଗ୍ର ଦେଶରେ ଏହା ଥିଲା ସର୍ବପ୍ରଥମ ପରୀକ୍ଷଣ। କାରଣ, ‘ମମତା’ ମୁକ୍ତିଲାଭ କରିବାର ୮ ବର୍ଷ ପରେ ମୁକ୍ତିଲାଭ କଲା ଅମିତାଭ୍ ବଚ୍ଚନଙ୍କ ଅଭିନୀତ ଫିଲ୍ମ ‘ଖୁଦ୍ଦାର’; ଯେଉଁଥିରେ ସଂଗୀତ ନିର୍ଦ୍ଦେଶକ ରାଜେଶ ରୋସନ୍ ଠିକ୍ ଏଇଭଳି ଏକ ସଂଗୀତର ସଂଯୋଜନା କରିଥିଲେ। କିଶୋର କୁମାରଙ୍କ କଣ୍ଠରେ ରେକର୍ଡ ହୋଇଥିବା ସେ ଗୀତଟି ଥିଲା: ଅଂଗ୍ରେଜୀ ମେଁ କେହେତେ ହୈ କି ଆଇ ଲଭ୍ ୟୁ! ସେହିଭଳି ‘ସିନ୍ଦୂର ବିନ୍ଦୁ’ରେ ‘ଗୁଲ୍‌ଗୁଲି ଗୁଲ୍‌ଗୁଲି ମଲେଇ ଖାଇ ମୋ ଓଲେଇ ବିଲେଇ ଓ ମାଇଁ ପୁସି’ ଗୀତଟିକୁ ଆଜି ବି ଶୁଣିଲେ ଶ୍ରୋତା ହସ ସମ୍ବରଣ କରିପାରେନା। ଏଥିରେ ସେ ଭାରି କୌତୁକିଆ ଶୈଳୀରେ ଇଂରାଜୀ ବ୍ୟବହାର କରିଥିଲେ। ଅନୁରୂପ ଭାବରେ ଓଡ଼ିଆ ସଂଗୀତରେ ପ୍ରଥମ ଓ ଶେଷ କାଳିଶି ସଂଗୀତ ଥିଲା ତାଙ୍କରି ପରିକଳ୍ପନା। ଓଡ଼ିଶାର ଅନନ୍ୟ କାଳିଶି ପରମ୍ପରାକୁ ‘ଶେଷ ଶ୍ରାବଣ’ରେ ସେ ପରଦା ଉପରକୁ ଆଣିଥିଲେ। ଗୀତଟି ଥିଲା- କାଳି କପାଳି ନରମୁଣ୍ଡମାଳି

କିଏ ସାତ କିଏ ସତର, ହସିଦେଲେ ସବୁ ନିଜର
ଅକ୍ଷୟ ମହାନ୍ତି-ପ୍ରଫୁଲ୍ଲ କର

publive-image
ଓଡ଼ିଆ ସଙ୍ଗୀତ ଜଗତର ଦୁଇ ମହାଦ୍ରୁମ ଅକ୍ଷୟ ମହାନ୍ତି ଓ ପ୍ରଫୁଲ୍ଲ କର। କେହି ସାତ ନୁହେଁ, ଉଭୟ ସତର! ୨୦୦୨ ନଭେମ୍ବର ୧୭ରେ ଚାଲି ଯାଇଥିଲେ ଅକ୍ଷୟ ମହାନ୍ତି, ଆଉ ୨୦୨୨ ଏପ୍ରିଲ ୧୭ରେ ଚ‌ାଲିଗଲେ ପ୍ରଫୁଲ୍ଲ କର। ବହୁ ବର୍ଷ ଏହି ଦୁଇ ସଙ୍ଗୀତଜ୍ଞ ଓଡ଼ିଆ ସଙ୍ଗୀତ ଜଗତରେ ଛାଇ ଯାଇଥିଲେ। ଉଭୟଙ୍କ ସମ୍ପର୍କ ଭଲ ନ ଥିଲା ବୋଲି ଚର୍ଚ୍ଚା ହୁଏ। ଉଭୟଙ୍କୁ କେନ୍ଦ୍ର କରି ଓଡ଼ିଆ ସଙ୍ଗୀତ ଦୁନିଆରେ ଦୁଇ ଗୋଷ୍ଠୀ ସୃଷ୍ଟି ହୋଇଥିଲା ବୋଲି କୁହାଯାଏ। ସଙ୍ଗୀତ ଦୁନିଆର ଏହି ଦୁଇ ମହାରଥୀ ମିଳିତ ଭାବେ ଦୁଇଟି ଗୀତରେ କଣ୍ଠଦାନ କରିଥିଲେ; ‘ଦିନରେ ବସନ୍ତ ଆମେ ରାତିରେ ବାସନ୍ତୀ…’ ଓ ‘କିଏ ସାତ କିଏ ସତର…’। ଏହି ଗୀତ ଦୁଇଟି ଏବେ ବି ଶ୍ରୋତା ଗୁଣୁଗୁଣାନ୍ତି।
ଅକ୍ଷୟ ମହାନ୍ତି ଏବଂ ପ୍ରଫୁଲ୍ଲ କର ଦୁହେଁ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ। ଦୁହେଁ ଥିଲେ ଏକାଧାରରେ ଗାୟକ, ସଙ୍ଗୀତକାର। ଦୁହିଁଙ୍କ ମଧ୍ୟରେ ଥିଲା ପ୍ରବଳ ପ୍ରତିଦ୍ବନ୍ଦ୍ବିତା। ଅକ୍ଷୟ ମହାନ୍ତି ରଚନା କଲେ ଯାଯାବର ଚଳଚ୍ଚିତ୍ରର ଟାଇଟଲ୍‌ ସଙ୍ଗ୍‌ “ଯାଯାବର ମନ ମୋର....।” ଛ’ ମିନିଟ୍‌ର ଏହି ଗୀତ ଖୁବ୍‌ ଆଦୃତ ହେଲା। ପ୍ରଫୁଲ୍ଲ କର କେମିତି ପଛରେ ପଡ଼ି ରୁହନ୍ତେ ଭଲା? ସୃଷ୍ଟି କଲେ ବତୀଘର ଚଳଚ୍ଚିତ୍ରର ଟାଇଟଲ୍‌ ସଙ୍ଗ୍‌ “ସୀମାହୀନ ଦରିଆ ସାଥୀହୀନ ଦୁନିଆ।” ଏହା ମଧ୍ୟ ମାର୍କେଟରେ ହେଲା ହିଟ୍। ସଙ୍ଗୀତ ଦୁନିଆର ପ୍ରତିଦ୍ବନ୍ଦ୍ବିତା କ୍ରମେ ବ୍ୟକ୍ତିଗତ କଳହରେ ପରିଣତ ହେଲା। ଏହି ବିବାଦ ବଢ଼ି ଚାଲିଥିବା ବେଳେ ଅଭିନେତା, ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦଙ୍କୁ ଭଲ ଲାଗିଲାନି ଏକଥା। ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଦୁହିଁଙ୍କର ଅବଦାନ କମ୍ ନୁହେଁ। ଏଭଳି କଳିକଜିଆ କଣ ବାହାରକୁ ସୁନ୍ଦର ଦେଖାଯିବ?

ଏମିତି ଭାବନା ନେଇ ପ୍ରଶାନ୍ତ ପରବର୍ତ୍ତୀ ଚଳଚ୍ଚିତ୍ର ‘ମା ଓ ମମତା’ରେ ଦୁହିଁଙ୍କର ମିଳାମିଶା କରାଇଲେ। ଚଳଚ୍ଚିତ୍ରରେ ଅଭିନୟ କଲେ ପ୍ରଶାନ୍ତ ନନ୍ଦ, ଗୀତ ଗାଇଲେ ଅକ୍ଷୟ ମହାନ୍ତି ଓ ସଙ୍ଗୀତ ନିର୍ଦ୍ଦେଶନା ଦେଲେ ପ୍ରଫୁଲ୍ଲ କର। ଗୀତଟି ହେଲା “କିଏ ସାତ କିଏ ସତର, ହସିଦେଲେ ସବୁ ନିଜର”। ପ୍ରଫୁଲ୍ଲ କହୁଥିଲେ “ପ୍ରଶାନ୍ତ ନନ୍ଦ ଆମ ଦୁହିଙ୍କୁ ମିଶେଇବାର ଯୋଜନା କରିଥିଲେ। ମତେ ପଚାରିଲେ ତ ମୁଁ କହିଲି ମୋର କିଛି ଆପତ୍ତି ନାହିଁ। ଅକ୍ଷୟ ମହାନ୍ତି ଯଦି କାମ କରିବେ ତା’ହେଲେ ମୁଁ କାମ କରିବି। ସମ୍ଭବତଃ ଅକ୍ଷୟ ବି ତାହା କହିଥିବେ। ତେଣୁ ପ୍ରଶାନ୍ତ ଆମକୁ ନେଇ ସିଧା ବମ୍ବେ ପଳେଇଲେ। ଭୁବନେଶ୍ୱର ମିଶ୍ରଙ୍କ ଘରେ ରହିଲୁ। ସେଇଠି ଗୀତ ଲେଖାଗଲା, ସ୍ୱର କରାଗଲା, ରେକର୍ଡ ବି କରାଗଲା।” ଅକ୍ଷୟଙ୍କ ସମ୍ପର୍କରେ ସେ ମଧ୍ୟ କହୁଥିଲେ ‘‘ଅକ୍ଷୟ ମହାନ୍ତି ସଙ୍ଗୀତ ନେଇ ଅତ୍ୟନ୍ତ ଭଦ୍ର ଓ ନମ୍ର। ତାଙ୍କ ସହିତ ମୋର ସମ୍ପର୍କ ଅତ୍ୟନ୍ତ ଘନିଷ୍ଠ। ଆମେ ଦୁହେଁ ମିଶି ‘ମା ଓ ମମତା’ ଚଳଚ୍ଚିତ୍ରରେ ଯେଉଁ ସ୍ବରଦାନ କରିଥିଲୁ, ତାହା ଆମ ସମ୍ପର୍କକୁ ଆହୁରି ସୁଦୃଢ଼ କରିଥିଲା।’’

ଭାରି ଏକା ଏକା ଲାଗୁଛି
ଦିନେ ସମ୍ବର୍ଦ୍ଧନ‌ା ଗ୍ରହଣ କରିବା ପାଇଁ ଗୋଟିଏ କାର୍ଯ୍ୟକ୍ରମକୁ ଯାଇଥିଲି। ସମ୍ବର୍ଦ୍ଧନା ପରେ ଉପସ୍ଥିତ ଶ୍ରୋତାମାନେ ମୋତେ ଗୋଟିଏ ଗୀତ ପରିବେଷଣ ପାଇଁ ଅନୁରୋଧ କଲେ। ମୁଁ ମଞ୍ଚ ଉପରେ ଗାଇଥିଲି ‘ଶେଷ ଶ୍ରାବଣ’ ଚଳଚ୍ଚିତ୍ରର ‘ମାଝୀରେ’ ଗୀତ। କାର୍ଯ୍ୟକ୍ରମରୁ ଘରକୁ ଫେରିଲି। ପରଦିନ ସକାଳେ ମୋ ସ୍ତ୍ରୀ ମୋତେ କହିଲେ- ଶୁଣୁଛ, ପ୍ରଫୁଲ୍ଲ କର ଆଉ ନାହାନ୍ତି। ମୁଁ ସ୍ତବ୍‌ଧ ହେଇଗଲି। ପୁଣି ଶୁଣିଲି, ମୁଁ ଯେତେବେଳେ ତାଙ୍କ ଗୀତ ଗାଉଥିଲି ଠିକ୍ ସେତିକିବେଳେ ସେ ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି। ନିଜକୁ ଧନ୍ୟ ମଣିଲି। ଏହାଠାରୁ ତାଙ୍କ ପାଇଁ ଆଉ କ’ଣ ଅଧିକ ସମର୍ପଣ କରିପାରିଥାନ୍ତି। ଆହୁରି କୃତାର୍ଥ ହେ‌ଲି, ଭାବିଲି ଯେ ଆମ ଦୁହିଙ୍କ ମଧ୍ୟରେ କି ଅପୂର୍ବ ସଂଯୋଗ ଥିଲା। ସବୁବେଳେ ସେ ମୋତେ ‘ଗୁରୁ’ ବୋଲି ସମ୍ବୋଧନ କରୁଥିଲେ। ଯେତେ ଚଳଚ୍ଚିତ୍ର ପାଇଁ ସଙ୍ଗୀତ ପ୍ରସ୍ତୁତ କରୁଥିଲେ ସେଥିରେ ମୋତେ ନିଶ୍ଚିତ ଭାବେ ଗୋଟିଏ ଦୁଇଟି ଗୀତ ଗାଇବାର ସୁଯୋଗ ଦେଉଥିଲେ। ଆମ ଦୁହିଙ୍କର ପାରିବାରିକ ସମ୍ପର୍କ ଥିଲା। ଦୁହିଙ୍କ ଭିତରେ ଉତ୍ତମ ବନ୍ଧୁତା ଥିଲା। ସେ ସଙ୍ଗୀତ ପରିବାରରେ ଜନ୍ମ ହେଇଥିଲେ ଏବଂ ଉପଯୁକ୍ତ ସଙ୍ଗୀତ ଶିକ୍ଷା ନେଇଥିଲେ। ଓଡ଼ିଶୀ, ହିନ୍ଦୁସ୍ତାନୀ, ଲୋକଗୀତ, ଭକ୍ତିସଙ୍ଗୀତ ଏବଂ ଚଳଚ୍ଚିତ୍ର ସଙ୍ଗୀତ ସବୁଥିରେ ତାଙ୍କର ପ୍ରଚଣ୍ଡ ଦକ୍ଷତା ଥିଲା। ଲୋକ ସଙ୍ଗୀତ ସହ ପଶ୍ଚିମୀ ସଙ୍ଗୀତ ଫ୍ୟୁଜନ୍ କରିବାର କଳା ତାଙ୍କୁ ଅଧିକ ଜଣାଥିଲା। ତାଙ୍କର ଦୁଇଟି ଗୀତ ‘ମାଝୀରେ’ ଓ ‘ରେ ଆତ୍ମନ୍’ ମୁଁ ଷ୍ଟୁଡିଓ ଭିତରେ ଗାଇ ସାରିବା ପରେ ଦେଖିଥିଲି ତାଙ୍କ ଆଖିରୁ ଧାର ଧାର ଲୁହ ଝରୁଛି। ମୋତେ ଚାହିଁ ସେ କହିଥିଲେ- ତୁମକୁ ଶ୍ରୀଜଗନ୍ନାଥ ଆଶୀର୍ବାଦ କରନ୍ତୁ। ସମ୍ଭବତଃ ତାଙ୍କ ଆଶୀର୍ବାଦରେ ମୋ ସାରାଜୀବନ ସଙ୍ଗୀତମୟ ହେଇଗଲା। ଗୀତ ସଙ୍ଗୀତରେ ତାଙ୍କର ଅଗାଧ ଜ୍ଞାନ ଥିଲା, ପୁଣି ସ୍ବଭାବରେ ସେ ଜଣେ ଉତ୍ତମ ମଣିଷ ଥିଲେ। ସେ ଚାଲିଗଲା ପରେ ମୋତେ ଭାରି ଏକା ଏକା ଲାଗୁଛି।
ପ୍ରଣବ ପଟ୍ଟନାୟକ, ବିଶିଷ୍ଟ କଣ୍ଠଶିଳ୍ପୀ

publive-image

ଭଗବାନ ତାଙ୍କ ପରି ବରପୁତ୍ର ଏ ମାଟିକୁ ପଠାନ୍ତୁ
କେବଳ ବୟସର ବ୍ୟବଧାନ ଦୃଷ୍ଟିରୁ ମୁଁ ତାଙ୍କୁ ସମ୍ମାନ କରିଥିଲି ତାହାନୁହେଁ, ତାଙ୍କ ଭିତରେ ଥିବା ପ୍ରଚଣ୍ଡ ପ୍ରତିଭା ମୋତେ ପ୍ରଭାବିତ କରୁଥିଲା। ଓଡ଼ିଶୀ, ଛାନ୍ଦ, ଚମ୍ପୁ, ଲୋକଗୀତ, ହିନ୍ଦୁସ୍ତାନୀ ସଙ୍ଗୀତ ସବୁଥିରେ ତାଙ୍କର ଦଖଲ ଥିଲା। ଏପରିକି ସେ ସ୍ବର ସଂଯୋଜନା ଓ କଣ୍ଠଦାନ ସହିତ ସିନେମାର ସିନ୍‌ ସିକ୍ୟୁଏନ୍ସ ଆବଶ୍ୟକ କରୁଥିବା ଗୀତ ବି ଲେଖିପାରୁଥିଲେ। ଚଳଚ୍ଚିତ୍ରରେ ଯେଉଁ ପ୍ରଚ୍ଛଦ ସଙ୍ଗୀତ ଥାଏ ସେ ମଧ୍ୟ ଲୋକଗୀତ ଶୈଳୀରେ ସଂଯୋଜିତ କରିଦେଉଥିଲେ। ମୁଁ ସିନେମା ଗୀତରେ ଟିକେ ଆମ ମାଟିର ବାସ୍ନା ରଖିବାକୁ ଚାହୁଥିଲି, ଆଉ ସେ ସେତକ ଦେଇପାରୁଥିଲେ। ନିର୍ଦ୍ଦେଶକ ଭାବେ ମୁଁ ତାଙ୍କୁ ଯେତେବେଳେ ଯାହା କହିଛି, ସେ କରିଛନ୍ତି। ଦୁହେଁ ସାଙ୍ଗ ହେଇ କୋଲ୍‌କାତା, ମୁମ୍ବାଇ, ମାଡ୍ରାସ ଆଦି ବିଭିନ୍ନ ସ୍ଥାନ ବୁଲିଛୁ। ଆମେ ଦି’ଜଣ ଏକାଠି ହେଇଥିଲୁ ‘ମମତା’ ଚଳଚ୍ଚିତ୍ରରୁ, ଏହାପରେ ଶେଷଶ୍ରାବଣ, ବଳିଦାନ, ସିନ୍ଦୂରବିନ୍ଦୁ, ଗୌରୀ, ହିସାବ ନିକାଶ, ବୋହୂ ହେବ ଏମିତି ଆଦି ଅନେକ ଚଳଚ୍ଚିତ୍ରରେ ମିଳିମିଶି କାମ କରିଛୁ। ଗୋଟେ ଅଭୁଲା ଅନୁଭୂତି ମୋର ମନେପଡୁଛି। ଅକ୍ଷୟ ମହାନ୍ତି ଓ ପ୍ରଫୁଲ୍ଲ କରଙ୍କ ଭିତରେ କୌଣସି କାରଣରୁ ବଚସା ହେଲା। ହାତାହାତି ହେବା ଯାଏ କଥାଗଲା। ପୋଲିସ ଷ୍ଟେସନରେ ବି ଦୁହେଁ ପହଞ୍ଚିଲେ। ସେତିକିବେଳେ ମୁଁ ଯାଇ ସେମାନଙ୍କୁ ବୁଝାସୁଝା କରି ଏକାଠି କରିଥିଲି। ଉଭୟଙ୍କୁ କହିଥିଲି- ଆପଣ ଦି’ଜଣ ବିଦ୍ବାନ, ଜ୍ଞାନୀଗୁଣି, ଏତେବଡ଼ ସଙ୍ଗୀତ ନିର୍ଦ୍ଦେଶକ ଟିକେ ଛାତିଟାକୁ ବଡ଼ କରିଦିଅନ୍ତୁ। ସେତେବେଳେ ‘ପୂଜା’ ଫିଲ୍ମ ପାଇଁ ମୁଁ ଗୀତ ପ୍ରସ୍ତୁତ କରୁଥାଏ। ପ୍ରଫୁଲ୍ଲ କରଙ୍କୁ କହିଲି ଏଇ ଫିଲ୍ମରେ ଅକ୍ଷୟ ମହାନ୍ତି ଦି’ଟା ଗୀତ ଗାଇବେ। ପ୍ରଫୁଲ୍ଲ କର ବିସ୍ମିତ ହେଲେ, କହିଲେ-ଅକ୍ଷୟ କ’ଣ ମୋ ଗୀତ ଗାଇବ? ଅକ୍ଷୟ ମହାନ୍ତି ବି ଅନୁରୂପ ଭାବେ କହିଥିଲେ- ସିଏ ‌କ’ଣ ମୋତେ ଗାଇବାକୁ ଦେ‌େବ? ଶେଷରେ ପ୍ରଫୁଲ୍ଲ ଦେଲେ ଏବଂ ଅକ୍ଷୟ ଗା‌ାଇଲେ। ଏହାପରେ ତିଆରି ହେଲା ଚଳଚ୍ଚିତ୍ର ‘ମା ଓ ମମତା’। ଏଥିରେ ମୁଁ ଉଭୟଙ୍କୁ ଦୁଇଟି ଗୀତରେ ଯୁଗ୍ମଭାବେ କଣ୍ଠଦାନ କରିବାକୁ ଚାହିଲି। ଦୁହିଙ୍କୁ ନେଇ ମାଡ୍ରାସ ପଳେଇଲି। ହୋଟେଲରେ ବସି ଦି’ଜଣଙ୍କୁ କହିଲି ଦୁଇଟି ଭିନ୍ନ ସ୍ବାଦର ଗୀତ ତିଆରି ହେବ। ଏଥିରେ ଆପଣ ଉଭୟ ମୋତେ ସାହାଯ୍ୟ କରନ୍ତୁ। ତାହା ହିଁ ହେଲା। ‘ଦିନରେ ବସନ୍ତ ଆମେ ରାତିରେ ବାସନ୍ତୀ’ ଓ ‘କିଏ ସାତ କିଏ ସତର’ ଦୁଇଟି ଗୀତରେ ପ୍ରଫୁଲ୍ଲ କର ଓ ଅକ୍ଷୟ ମହାନ୍ତି କଣ୍ଠଦାନ କଲେ। ଏଇ ଦୁଇଟି ଗୀତ ବାଜିବା ପରେ ଅକ୍ଷୟ ଓ ପ୍ରଫୁଲ୍ଲଙ୍କ ଭିତରେ ଯେଉଁ ମନୋମାଳିନ୍ୟ ଥିବା କଥା ଗୁଜବ ହେଉଥିଲା ତାହା ଦୂର ହେଇଗଲା। ଆଜି ଉଭୟ ଆମ ଗହଣରେ ନାହାନ୍ତି। ଭଗବାନଙ୍କୁ ନିବେଦନ କରୁଛି ଏ ଦୁହିଁଙ୍କ ପରି ବରପୁତ୍ର ଏ ମାଟିକୁ ପଠାନ୍ତୁ। ତେବେ ଆମ ସଙ୍ଗୀତ ବଞ୍ଚିରହିବ।
ପ୍ରଶାନ୍ତ ନନ୍ଦ, ଅଭିନେତା-ନିର୍ଦ୍ଦେଶକ

ଭିନ୍ନ ଭାବ, ଭାଷା ଓ ସ୍ବର
ପ୍ରଥମତଃ ସେ ଜଣେ ସୁନ୍ଦର ମଣିଷ ଥିଲେ। ଏହା ବ୍ୟତୀତ ଜଣେ ସୁଦକ୍ଷ ସଙ୍ଗୀତଜ୍ଞ ଥିଲେ। ତାଙ୍କର ଅନେକ ସୁନ୍ଦର ସ୍ବର ସଂଯୋଜନାରେ ମୁଁ ଓଡ଼ିଆ ଚଳଚ୍ଚିତ୍ର ସଙ୍ଗୀତରେ କଣ୍ଠଦାନ କରିବାର ସୁଯୋଗ ପାଇଛି। ଶେଫାଳୀ ଯାଅନା ଝରି, ପାଇଛି ଏ ଜୀବନ, କୁହୁ କୁହୁ ବନେ କୁହୁ କୁହୁ, ନାଚରେ ପ୍ରିୟା ପରି ଅନେକ ଗୀତ। ଗୋଟିଏ ଗୀତରେ ସେ ସ୍ଥାୟୀଟିକୁ ଗୋଟେ ସ୍ବାଦରେ କରୁଥିବା ବେଳେ ଏହାର ଅନ୍ତରା ଗୁଡ଼ିକୁ ଭିନ୍ନ ସ୍ବାଦରେ ପରିବେଷଣ କରିବାର କଳାକୌଶଳ ପ୍ରୟୋଗ କରୁଥିଲେ। ଏପରିକି ଗୋଟିଏ ଗୀତ ପାଇଁ ମୋତେ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ମିଳିଥିଲା। ଗୀତରେ ଥିବା ତାଙ୍କର ଭିନ୍ନ ଭାବ, ଭିନ୍ନ ଭାଷା ଓ ଭିନ୍ନ ସ୍ବରର ସମନ୍ବୟ ପ୍ରତିଟି ଗୀତକୁ ଚିରସବୁଜ କରିଛି।
ବାଣୀ ଜୟରାମ, କଣ୍ଠଶିଳ୍ପୀ

ଗୁରୁ ଭାବେ ଅତୁଳନୀୟ, ବାପା ଭାବେ ଅବର୍ଣ୍ଣନୀୟ
ବାପା ଜଣେ ସ୍ନେହୀ ଓ ଶୃଙ୍ଖଳିତ ମଣିଷ ଥିଲେ। ଖାଦ୍ୟ ଓ ପୋଷାକ ପରିପାଟୀରେ ସେ ଆଦୌ ସାଲିସ କରିନ୍ତି ନାହିଁ। ଜଣେ ଗୁରୁ ଭାବେ ‌ତ ସେ ଅତୁଳନୀୟ ପୁଣି ବାପା ଭାବେ ସେ ଅବର୍ଣ୍ଣନୀୟ। ସେ କେବେ ବସିଯାଆନ୍ତି ନାହିଁ। ସଙ୍ଗୀତରୁ ସମୟ ପାଇଲେ ଲେଖାଲେଖି, ପୁଣି ଲେଖାଲେଖିରୁ ନିବୃତ୍ତ ହେଲେ ରୋଷେଇ କାମରେ ଲାଗିପଡ଼ନ୍ତି। ସଙ୍ଗୀତରେ ସେ ବିବିଧବର୍ଣ୍ଣ ପୁଣି ସାହିତ୍ୟ ଓ ସମ୍ବାଦରେ ମଧ୍ୟ ପାରଦର୍ଶୀ। ବଡ଼ଭାଇ ମହାଦୀପଙ୍କୁ ସେ ଗୀଟାର ଓ ହାରମୋନିୟମରେ ପ୍ରବୀଣ କରିଛନ୍ତି। ଭଉଣୀ ସନ୍ଧ୍ୟାଦୀପାଙ୍କୁ ସେ ଓଡ଼ିଶୀ ନୃତ୍ୟରେ ପ୍ରବୀଣା କରିଛନ୍ତି। ଆଉ ମୋତେ ମାର୍ଜିତ ଶୈଳୀରେ ଓଡ଼ିଶୀ ଓ ଶାସ୍ତ୍ରୀୟ ସଙ୍ଗୀତ ଗାୟନରେ ନିୟୋଜିତ କରିଛନ୍ତି। ମହାପ୍ରଭୁଙ୍କ ଅପାର କରୁଣା ଯେ ତାଙ୍କ କୋଳରେ ମୁଁ ଜନ୍ମ ନେଇଛି। ସେ ଆଜି ନାହାନ୍ତି, ହେଲେ ଆମ ପ୍ରତିଟି ସ୍ପନ୍ଦନରେ ସଙ୍ଗୀତ ଭରି ରହିଛି।
ମହାପ୍ରସାଦ କର, ପୁତ୍ର