ମୁମ୍ବାଇ: ଶ୍ରୀଦେବୀଙ୍କ ମରଶରୀର ହସ୍ତାନ୍ତର ନେଇ ଅନୁମତି ପତ୍ର ତାଙ୍କ ପରିବାର ଓ ଭାରତୀୟ କନସୁଲେଟକୁ ଦୁବାଇ ପୁଲିସ କର୍ତ୍ତୃପକ୍ଷ ପ୍ରଦାନ କରିବା ପରେ ମରଶରୀର ଭାରତ ଆସିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିସହ ଶ୍ରୀଦେବୀଙ୍କ ମୃତଦେହ ସଂରକ୍ଷଣ କରିବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ଏହା ୩ରୁ ୪ଘଣ୍ଟା ଲାଗିବ ବୋଲି ଜଣା ପଡ଼ିଛି। ତେବେ ଶ୍ରୀଦେବୀଙ୍କ ପାର୍ଥବ ଶରୀରକୁ ନେବା ପାଇଁ ପରିବାରବର୍ଗ ହସ୍ପିଟାଲରେ ପହଞ୍ଚି ସାରିଛନ୍ତି।
ଉଲ୍ଲେଖଯୋଗ୍ୟ, ଅଭିନେତ୍ରୀ ଶ୍ରୀଦେବୀ ଦୁବାଇରେ ତାଙ୍କ ପୁତୁରାର ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ। ବିବାହ ଉତ୍ସବ ପରେ ସେ ଏକ ହୋଟେଲରେ ରହିଥିଲେ। ସ୍ୱାମୀଙ୍କ ସହ ଡିନର୍କୁ ଯିବା ପୂର୍ବରୁ ଶ୍ରୀଦେବୀ ଗାଧୁଆଘରକୁ ଯାଇଥିଲେ। ସେଠାରୁ ଦୀର୍ଘ ସମୟ ଧରି ନ ଫେରିବାରୁ ବୋନି କପୁର୍ କବାଟ ଭାଙ୍ଗି ଥିଲେ ଏବଂ ଶ୍ରୀଦେବୀଙ୍କୁ ବାଥ୍ ଟବ୍ ଭିତରେ ପଡ଼ି ରହିଥିବାରୁ ଦେଖିବାକୁ ପାଇଥିଲେ। ସେଠାରୁ ତୁରନ୍ତ ଦୁବାଇର ରସିଦ୍ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କ ମୃତ ବୋଲି ଘୋଷଣା କରିଥିଲେ।
ତେବେ ଶୀଦେବୀଙ୍କ ମୃତ୍ୟୁକୁ ନେଇ ତାଙ୍କର ଜଣେ ବଡ଼ ଫ୍ୟାନ୍ ଅର୍ଥାତ୍ ଶ୍ରୀଦେବୀଙ୍କ ନିଜର ମେକ୍ଅପ୍ ମ୍ୟାନ୍ ସୁଭାଷ ସିନ୍ଦେ ନିଜର ଇନ୍ଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି...
*ଶ୍ରୀଦେବୀ ମ୍ୟାଡମ! ଏହି ଦୁଃଖଦ ଖବର ମିଳିବାର କିଛି ଘଣ୍ଟା ପୂର୍ବରୁ ମୁଁ ଆପଣଙ୍କ ମେକ୍ଅପ୍ କରିଥିଲି। ଆପଣ ଖୁବ୍ ସୁନ୍ଦର ଓ ଫିଟ୍ ଲାଗୁଥିଲେ। ଗତ ଶନିବାର ହଠାତ୍ ଆପଣ ଆଉ ନାହାନ୍ତି ବୋଲିି ଖବର ଶୁଣିବା ପରେ ମୁଁ ସ୍ତବ୍ଧ ହୋଇଯାଇଥିଲି। ଏହି ଖବରକୁ ମୁଁ ଯେତେ ଚେଷ୍ଟା କଲେ ମଧ୍ୟ ବିଶ୍ୱାସ କରି ପାରି ନଥିଲି।
* ମୁଁ ଆପଣଙ୍କ ସହିତ ୧୦ବର୍ଷ ହେବ କାମ କରି ଆସୁଛି। ଆପଣ ମୋତେ ସବୁବେଳେ ନିଜ ପରିବାରର ଏକ ସଦସ୍ୟ ବୋଲି ଭାବି ଥାଆନ୍ତି । କେବେ ହେଲେ ପର ଲୋକ ବୋଲି ମୋତେ ଅନୁଭବ କରିବା ପାଇଁ ଦେଇ ନାହାନ୍ତି। ଅାପଣ ସବୁବେଳେ ଅନ୍ୟମାନଙ୍କ କଥା ପଚାରି ପଚାରି ବୁଝି ଥାଆନ୍ତି।
* ଆପଣ ସବୁବେଳେ ସକରାତ୍ମକ ଚିନ୍ତା କରୁଥାଆନ୍ତି। ସବୁବେଳେ ସମସ୍ତଙ୍କୁ କିଭଳି ପୋଷାକ ପିନ୍ଧିବା କଥା, କିଭଳି ମେକ୍ଅପ୍ ନେଲେ ସୁନ୍ଦର ଦେଖାଯିବ ସେ କଥା ନିଜ ପରିବାର ଲୋକଙ୍କ ଭଳି କହୁ ଥାଆନ୍ତି।
*ଶ୍ରୀଦେବୀ ଜଣେ ଭଲ ଚିତ୍ରଶିଳ୍ପୀ ଥିଲେ। ରଙ୍ଗକୁ ନେଇ ତାଙ୍କର ପ୍ରଖର ଜ୍ଞାନ ଥିଲା। କିଭଳି ରଙ୍ଗର ପୋଷାକରେ କିଭଳି ବିନ୍ଦି ପିନ୍ଧିବାକୁ ହୁଏ ତାହାକୁ ସେ ଖୁବ୍ ସୁନ୍ଦର ଭାବରେ ଜାଣିଥିଲେ। ମୁଁ ଏସବୁ ବିଷୟରେ ତାଙ୍କଠାରୁ ବହୁ କିଛି ଶିକ୍ଷା କରିଛି।
* ଶ୍ରୀଦେବୀ ମେକ୍ଅପ୍ ନେବାରେ କେବେ ବି ବିଳମ୍ବ କରନ୍ତି ନାହିଁ। ସେ ସମୟକୁ ସଦୁପଯୋଗ କରନ୍ତି ଓ ଅନ୍ୟକୁ ବି ଏଭଳି କରିବା ପାଇଁ ପ୍ରବର୍ତ୍ତାଇ ଥାଆନ୍ତି।