ନୂଆଦିଲ୍ଲୀ: ଇଟାଲିର କୋମୋ ହ୍ରଦ କୂଳରେ ରଣବୀର ସିଂ ଓ ଦୀପିକା ପାଦୁକୋନ୍ଙ୍କର ବ୍ୟୟବହୁଳ ବିବାହ ପରେ ସେଠାରେ ଏକ ବିବାଦ ସୃଷ୍ଟି ହୋଇଛି। ନଭେମ୍ବର ୧୪ ତାରିଖରେ କୋଙ୍କଣୀ ରୀତିରେ ବିବାହ ପରେ ନଭେମ୍ବର ୧୫ରେ ସିନ୍ଧୀ ରୀତିରେ ବିବାହ ପରେ ଦୁହିଁଙ୍କର ଆନନ୍ଦ କରଜ୍ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବ ଲାଗି ସେଠାରେଏକ ଅସ୍ଥାୟୀ ଗୁରୁଦ୍ୱାରା ନିର୍ମାଣ କରାଯାଇ ସେଠାରେ ଗୁରୁଗ୍ରନ୍ଥ ସାହିବ ସ୍ଥାପନ ହୋଇଥିଲା। ଏହାକୁ ନେଇ ବିବାଦ ଦେଖାଯାଇଛି।
ଇଟାଲୀୟ ଶିଖ୍ ସଂଘର ସଭାପତି ଏ ନେଇ ଅକାଲ ତଖତ୍ ଜାଠେଦାରଙ୍କ (ଶିଖମାନଙ୍କ ମୁଖ୍ୟ) ନିକଟରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ ନିୟମ ଅନୁସାରେ ଗୁରୁଗ୍ରନ୍ଥ ସାହିବଙ୍କୁ ଗୁରୁଦ୍ୱାରା ବାହାରକୁ ନେବାର ନିୟମ ନ ଥିଲେ ହେଁ ଦୀପିକା-ରଣବୀରଙ୍କ ବିବାହସ୍ଥଳୀରେ ନିର୍ମିତ ଅସ୍ଥାୟୀ ଗୁରୁଦ୍ୱାରାରେ ଏପରି କରାଯାଇଥିଲା। ଅଭିଯୋଗ ଶୁଣିବା ପରେ ଅକାଲ ତଖତ୍ ପକ୍ଷରୁ କୁହାଯାଇଛି କି, ଲିଖିତ ଅଭିଯୋଗ ମିଳିବା ପରେ ଶିଖ ସମୁଦାୟର ୫ ଶୀର୍ଷ ଧର୍ମଗୁରୁଙ୍କ ମତାମତ ଲୋଡାଯିବ ଓ ପଦକ୍ଷେପ ନିଆଯିବ।
ତେବେ ଏ ନେଇ ଦୀପିକା-ରଣବୀରଙ୍କ ମତାମତ ଜଣାପଡ଼ି ନାହିଁ। ଆସନ୍ତାକାଲି ସେମାନେ ବେଙ୍ଗାଲୁରୁରେ ବିବାହ ଭୋଜି ଦେଉଥିବା ବେଳେ ୨୮ ତାରିଖରେ ମୁମ୍ବାଇରେ ପାର୍ଟି ଦେବାର କାର୍ଯ୍ୟକ୍ରମ ରହିଛି।