ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମଲାଇକା ଆରୋରାଙ୍କ ଉପରେ ଭାଙ୍ଗିଛି ଦୁଃଖର ପାହାଡ଼। ତାଙ୍କ ବାପା ଅନିଲ ମେହେତା ଜୀବନ ହାରିବା ପରେ ପୂରା ଆରୋରା ପରିବାରକୁ ଶକ୍ତ ଧକ୍କା ଲାଗିଛି। ଅନିଲ କାହିଁକି ଏଭଳି ପଦକ୍ଷେପ ନେଲେ ସେ ପ୍ରଶ୍ନ ଏବେ ପରିବାର ଲୋକଙ୍କ ମନରେ। ସୁଇସାଇଡ ନୋଟ ମିଳିନଥିବାରୁ ଏବେ ଆତ୍ମହତ୍ୟାର କାରଣ ଖୋଜୁଛି ପୁଲିସ । ପ୍ରଥମେ କୁହାଯାଉଥିଲା ଯେ, ଦୀର୍ଘ ଦିନ ଧରି ଅସୁସ୍ଥ ଥିବାରୁ ଅନିଲ ଏଭଳି ପଦକ୍ଷେପ ନେଇଥାଇ ପାରନ୍ତି । ହେଲେ ତାଙ୍କ ପୂର୍ବ ପତ୍ନୀ ତଥା ମଲାଇକାଙ୍କ ମା’ ଜୋଏସ ଏହା ଆତ୍ମହତ୍ୟାର କାରଣ ନହୋଇପାରେ ବୋଲି କହିଛନ୍ତି।

Advertisment

ଏ ମଧ୍ୟରେ ମୃତ୍ୟୁ ପୂର୍ବରୁ ଅନିଲଙ୍କ ସ୍ବଭାବରେ କିଭଳି ପରିବର୍ତ୍ତନ ଆସିଥିଲା ତାହା ଜଣାଇଛନ୍ତି ପଡୋଶୀ । ସେ କହିଛନ୍ତି, "ଅନିଲ ମେହେତାଙ୍କ ସହ ମଲାଇକାଙ୍କର ବହୁତ ଭଲ ସମ୍ପର୍କ ଥିଲା। ସେମାନେ ପ୍ରାୟତଃ ଏକାଠି ପାର୍ଟି କରୁଥିଲେ | ମଲାଇକା ଆରୋରାଙ୍କ ପୁଅ ଅରହାନ ମଧ୍ୟ ଏଠାରେ କିଛି ସମୟ ଆସି ରହିଥିଲେ। ଅନିଲ ଷଷ୍ଠ ମହଲାରେ ରହୁଥିଲେ। ସେମାନଙ୍କ ଛାଡପତ୍ର ସତ୍ତ୍ବେ ଜୋଏସଙ୍କ ସହ ତାଙ୍କର ଭଲ ସମ୍ପର୍କ ଥିଲା। କିଛି ଦିନ ପୂର୍ବରୁ ଆମ ପଡ଼ୋଶୀଙ୍କ ଘରେ ଲିକ୍ ସମସ୍ୟା ଦେଖାଦେଇଥିଲା। ଅନିଲ ବ୍ୟକ୍ତିଗତ ଭାବରେ ଜିନିଷ ଯାଞ୍ଚ କରିବାକୁ ଆସିଥିଲେ | ସେ ଜଣେ ଏଭଳି ବ୍ୟକ୍ତି ଥିଲେ, ଯିଏ ଖୁସିରେ ରହିବାକୁ ଓ ଲୋକଙ୍କୁ ଖୁସିରେ ରଖିବାକୁ ଚାହାନ୍ତି। ସେ ବହୁତ ଥଟ୍ଟାମଜା କରନ୍ତି। ହେଲେ କିଛି ଦିନ ପୂର୍ବରୁ ଯେତେବେଳେ ମୁଁ ତାଙ୍କୁ ଭେଟିଥିଲି, ସେତେବେଳେ ସେ ଦୁର୍ବଳ ଦେଖାଯାଉଥିଲେ । ପୂର୍ବଭଳି ହସୁନଥିଲେ କି ବେଶୀ କଥା ହେଉନଥିଲେ।"