ଆଇଟମ୍ ନମ୍ବର ନେଇ ଫେରୁଛନ୍ତି ମଲାଇକା

ଦୀର୍ଘ ଚାରିବର୍ଷ ହେଲା ଦର୍ଶକେ ମଲାଇକା ଅରୋଡ଼ାଙ୍କୁ ବଡ଼ ପରଦାରେ ଦେଖିବାକୁ ପାଇ ନ ଥିଲେ। ଶେଷ ଥର ପାଇଁ ୨୦୧୮ରେ ମୁକ୍ତିଲାଭ କରିଥିବା ‘ପଟାଖା’ ଚଳଚ୍ଚିତ୍ରର ‘ହ୍ୟାଲୋ ହ୍ୟାଲୋ’ ଗୀତରେ ତାଙ୍କର ମନୋମୁଗ୍ଧକର ନୃତ୍ୟ ଦେଖିବାକୁ ମିଳିଥିଲା। ଚାରି ବର୍ଷରୁ ଅଧିକ ସମୟ ପରେ ସେ ‘ଆନ୍ ଆକ୍‌ସନ ହିରୋ’ ସିନେମାର ଏକ ଆଇଟମ୍ ଗୀତ ଜରିଆରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି ବୋଲି ଜଣାପଡ଼ିଛି। ଆସନ୍ତା ଡିସେମ୍ବର ୨ରେ ମୁକ୍ତିଲାଭ କରିବାକୁ ଥିବା ଚଳଚ୍ଚିତ୍ରର ଟ୍ରେଲର୍‌ରୁ ମଲାଇକାଙ୍କ ଆକର୍ଷଣୀୟ ଅଙ୍ଗଭଙ୍ଗୀର ଝଲକ ଦେଖି ଲାଗୁଛି ଯେ ଏହା ନିଶ୍ଚିତ ଭାବେ ଉକ୍ତ ଚଳଚ୍ଚିତ୍ରର ଆକର୍ଷଣ ବୃଦ୍ଧି କରିବ। ‘ଆନ୍ ଆକ୍‌ସନ ହିରୋ’ର ଅଭିନେତା ଆୟୁଷ୍ମାନ ଖୁରାନା ବଲିଉଡ୍‌ରେ ନିଜ ଲାଗି ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ ହେଁ ମହାମାରୀ ପରେ ତାଙ୍କର ଚଳଚ୍ଚିତ୍ରଗୁଡ଼ିକ ସେତେଟା ସଫଳତା ଅର୍ଜନ କରିପାରିନାହିଁ। ତେଣୁ ମଲାଇକାଙ୍କ ଆଇଟମ୍ ଗୀତ ସହିତ ତାଙ୍କର ପ୍ରଥମ ଆକ୍‌ସନ୍ ଚଳଚ୍ଚିତ୍ର ସଫଳ ହେବ ବୋଲି ଆଶା କରାଯାଉଛି।

ଦୁଇ ଦଶନ୍ଧିରୁ ଅଧିକ ସମୟ ହେଲା ମଲାଇକା ଅରୋଡ଼ା ଅନେକ ସ୍ମରଣୀୟ ଆଇଟମ୍ ଗୀତରେ ନୃତ୍ୟ କରି ନିଜର ପ୍ରାସଙ୍ଗିକତା ବଜାୟ ରଖି ପାରିଛନ୍ତି। ୧୯୯୮ରେ ‘ଦିଲ୍‌ ସେ’ର ଶାହରୁଖଙ୍କ ସହିତ ‘ଛେୟାଁ ଛେୟାଁ’ରେ ମଲାଇକାଙ୍କ ନୃତ୍ୟ ବଲିଉଡ୍‌ର ଏକ ‘କ୍ଲାସିକ୍‌’ ଦୃଶ୍ୟ ରୂପେ ପରିଗଣିତ। ସେହିପରି ‘କାଲ୍‌’ (୨୦୦୫)ର ‘କାଲ୍ ଧମାଲ’, ‘ୱେଲକମ୍’ (୨୦୦୭)ର ‘ହୋଁଠ ରସିଲେ’, ‘ଦବଙ୍ଗ’ (୨୦୧୦)ର ‘ମୁନ୍ନି ବଦନାମ’, ‘ହାଉସ୍‌ଫୁଲ୍ ୨’ (୨୦୧୨)ର ‘ଅନାରକଲୀ ଡିସ୍କୋ ଚଲି’ ଆଦି ଆଇଟମ୍ ଗୀତରେ ମଲାଇକାଙ୍କ ନୃତ୍ୟାଭିନୟ ବେଶ ଆଦୃତିଲାଭ କରିଛି। ନିକଟରେ ମଲାଇକା ‘ଇନ୍‌ଷ୍ଟାଗ୍ରାମ’ରେ ନିଜର ଏକ ସୁନ୍ଦର ଫଟୋ ସହିତ ସେ ହଁ କହିଥିବାର ଘୋଷଣା କରିଥିଲେ। ତେଣୁ ଏକଥା ଚର୍ଚ୍ଚା ହେଉଛି ଯେ ସେ ତାଙ୍କର ପୁରୁଷବନ୍ଧୁ ଅର୍ଜୁନ କପୁରଙ୍କ ବିବାହ ପ୍ରସ୍ତାବକୁ ବୋଧହୁଏ ସ୍ବୀକାର କରିଦେଇଛନ୍ତି! ଆଗାମୀ ଦିନରେ ସେମାନଙ୍କ ପକ୍ଷରୁ ବିବାହ ନେଇ ଆନୁଷ୍ଠାନିକ ଘୋଷଣା ହୋଇପାରେ ବୋଲି ପ୍ରଶଂସକମାନେ ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି। ଆଉ ଏକ କାରଣରୁ ମଧ୍ୟ ମଲାଇକା ଏବେ ଚର୍ଚ୍ଚିତ। ଓଟିଟି ମଞ୍ଚରେ ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ଏକ ଅଭିନବ କାର୍ଯ୍ୟକ୍ରମ ମୁକ୍ତିଲାଭ କରିବାକୁ ଯାଉଛି। ଡିସେମ୍ବର ୫ ତାରିଖରେ ‘ମୁଭିଙ୍ଗ ଇନ୍ ଉଇଥ୍ ମଲାଇକା’ ଶୀର୍ଷକ ସହିତ ଏହା ଲୋକଲୋଚନକୁ ଆସିବ।

ସମ୍ବନ୍ଧିତ ଖବର