ଅଭିନେତା-ପ୍ରଯୋଜକ-ନିର୍ଦ୍ଦେଶକ ମନୁ ଦ୍ବିବେଦୀଙ୍କ ନୂଆ ସିନେମା ‘ମିଡ୍ନାଇଟ୍’ ଏବେ ମୁକ୍ତି ପ୍ରତୀକ୍ଷାରେ ରହିଛି। ଏଣେ ସେ ଆଉ ଏକ ଓଡ଼ିଆ ଛବି କାମ ହାତକୁ ନେଇଛନ୍ତି। ଏହାର ଶୀର୍ଷକ ହେଲା ‘ବାଉଁଶରାଣୀ’। ଏହାର କଥାବସ୍ତୁ ଜଣେ ସିନେନିର୍ଦ୍ଦେଶକ ଓ ନାୟକଙ୍କ ସଂପର୍କ ଉପରେ ଆଧାରିତ। ଯେଉଁ ନିର୍ଦ୍ଦେଶକ ଦିନେ ନାୟକଙ୍କୁ ଷ୍ଟାର୍ ବନାଇ ଥିଲେ, ସେ ଘଟଣାଚକ୍ରରେ ମାନସିକ ବିକାରଗ୍ରସ୍ତ ପାଲଟିଯାଆନ୍ତି। କାହିଁକି ତାଙ୍କର ଏଭଳି ଦୁରବସ୍ଥା ଏବଂ ସେଥିରୁ ନାୟକ କିପରି ତାଙ୍କୁ ସୁସ୍ଥକରାଇ ପୁଣି ନିର୍ଦ୍ଦେଶନା କ୍ଷେତ୍ରରେ ସକ୍ରିୟ କରିବାରେ ସଫଳ ହେବେ, ତାହା ଦେଖିବାକୁ ମିଳିବ ‘ବାଉଁଶରାଣୀ’ରେ। ମନୁ ଦ୍ବିବେଦୀ ଏହାର କାହାଣୀକାର, ଚିତ୍ରନାଟ୍ୟକାର, ନିର୍ଦ୍ଦେଶକ ତଥା ପ୍ରଯୋଜକ। ଡକ୍ଟର ରଜନୀରଂଜନ ଏହି ସିନେମାର ସଂଳାପ ରଚନା କରିଛନ୍ତି।
ତେବେ ଏହି ସିନେମାରେ ସଂଗୀତ ନିର୍ଦ୍ଦେଶନା ଦେବାଲାଗି ମନୁ ଆଗଧାଡ଼ିର ସଂଗୀତକାର ଅଭିଜିତ୍ ମଜୁମ୍ଦାର୍ଙ୍କ ସହ କଥା ହୋଇଥିଲେ। ମନୁଙ୍କ କହିବା ଅନୁଯାୟୀ, ଯେଉଁଦିନ ସେ କଥା ହୋଇଥିଲେ, ସେହିଦିନ ହିଁ ଅଭିଜିତ୍ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ନଚେତ ଏତେବେଳକୁ ବୋଧହୁଏ ‘ବାଉଁଶରାଣୀ’ର ମ୍ୟୁଜିକ୍ କାମ ଶେଷ ହୋଇଥାନ୍ତା। ଯଦିଓ ସେ ଅଭିଜିତ୍ଙ୍କ ସହ କେବେ କାମ କରିନାହାନ୍ତି, ହେଲେ ସବୁବେଳେ ‘ଦାଦା’ ବୋଲି ସମ୍ବୋଧନ କରି କଥା ହୁଅନ୍ତି। ଏବେ ଅଭିଜିତ୍ଙ୍କ ସ୍ଥାନରେ ମଳୟ ମିଶ୍ରଙ୍କୁ ନେବାର ଯୋଜନା ରଖିଥିବା କହିଛନ୍ତି ମନୁ ଦ୍ବିବେଦୀ।