କୋଝିକୋଡ(କେରଳ): ଫିଲ୍ମର ପ୍ରଚାର କରିବାକୁ ଯାଇଥିବା ବେଳେ ଅସଦାଚରଣର ଶିକାର ହେଲେ ଅଭିନେତ୍ରୀ। ଅସମ୍ଭାଳ ଭିଡ ଭିତରୁ ଜଣେ ତାଙ୍କୁ ଜାବୁଡ଼ି ଧରିଥିବା ସାମ୍ନାକୁ ଆସିଛି। କେରଳର କୋଝିକୋଡରେ ଥିବା ଏକ ମଲରେ ଫିଲ୍ମର ପ୍ରଚାର କରିବାକୁ ଯାଇଥିଲେ ୨ ମାଲୟାଲମ ଅଭିନେତ୍ରୀ। ଭିଡର ସୁଯୋଗ ନେଇ ୨ଜଣଙ୍କ ସହ ଅସଦାଚାରଣ କରାଯାଇଥିବା ଜଣାପଡ଼ିଛି। ତେବେ ଜଣେ କୌଣସି ପ୍ରତିକ୍ରିୟା ରଖିନଥିବା ବେଳେ ଅନ୍ୟ ଜଣେ ଅଭିନେତ୍ରୀ ଅସଦାଚାରଣ  କରିଥିବା ଯୁବକଙ୍କୁ ଉଚିତ୍ ଜବାବ ଦେବାକୁ ଚେଷ୍ଟା କରିଥିବା ଭାଇରାଲ ଭିଡିଓରେ ସାମ୍ନାକୁ ଆସିଛି। ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

Advertisment

ମଙ୍ଗଳବ‌ାର ଘଟିଥିବା ଘଟଣାର ଭିଡିଓ ଇନଷ୍ଟା ପୋଷ୍ଟ‌ରେ ସେୟାର କରି ଅଭିନେତ୍ରୀ ଜଣକ ପୂରା ଘଟଣା ବିଷୟରେ କହିଛନ୍ତି। ସେ ଲେଖିଛନ୍ତି ଯେ, କୋଜିକୋଡ ହେଉଛି ଏଭଳି ଏକ ସ୍ଥାନ ଯାହାକୁ ମୁଁ ବହୁତ ଭଲ ପାଏ। କିନ୍ତୁ, ଆଜି ରାତିରେ ଏକ କାର୍ଯ୍ୟକ୍ରମ ସାରି ଫେରୁଥିବା ସମୟରେ ଅସମ୍ଭାଳ ଭିଡ଼ ଭିତରୁ ଜଣେ ବ୍ୟକ୍ତି ମୋତେ ଜାବୁଡ଼ି ଧରିଥିଲେ। ସେ ମୋର କେଉଁ ଅଙ୍ଗକୁ ସ୍ପର୍ଶ କରିଥିଲେ, ତାହା ମୋତେ କହିବା ପାଇଁ ଘୃଣା ଲାଗୁଛି। ଆମ ଆଖପାଖର ଲୋକମାନଙ୍କ ମଧ୍ୟରେ ଏତେ ‌ଯୌନ ନୈରାଶ୍ୟ କାହିଁକି ? ପ୍ରଚାର ପାଇଁ ଆମେ ବହୁ ସ୍ଥାନକୁ ଯାଇଥିଲୁ। କିନ୍ତୁ, ଅନ୍ୟ କୌଣସି ସ୍ଥାନରେ ମୋର ଏପରି ଦୁଃଖଦ ଅନୁଭୂତି ନଥିଲା। ମୋ ସହ ଥିବା ଆଉ ଜଣେ ଅଭିନେତ୍ରୀଙ୍କ ସହ ମଧ୍ୟ ସମାନ ଘଟଣା ଘଟିଥିଲା। ସେ ପ୍ରତିକ୍ରିୟା ପ୍ରକାଶ କରିପାରିଲେ। କିନ୍ତୁ ମୁଁ ସେହି ପରିସ୍ଥିତିରେ କିଛି କରି ପାରିଲି ନାହିଁ। କାରଣ ମୁଁ ଏଭଳି ବ୍ୟବହାର ପରେ କିଛି ସମୟ ପାଇଁ ସ୍ତବ୍ଧ ହୋଇଯାଇଥିଲି।