ନୂଆଦିଲ୍ଲୀ: ହେମା କମିଟି ରିପୋର୍ଟ ପ୍ରକାଶ ପାଇବା ପରେ ସାଉଥ ଇଣ୍ଡଷ୍ଟ୍ରିରେ ପୁଣି ଥରେ #ମିଟୁ ଅଭିଯାନ ଆରମ୍ଭ ହୋଇଯାଇଛି। ଅନେକ ଅଭିନେତ୍ରୀ ତାଙ୍କୁ ଦିଆଯାଇଥିବା ନିର୍ଯାତନା ବିଷୟରେ କହୁଛନ୍ତି। ଏବେ ଅଭିନେତ୍ରୀ ସୌମ୍ୟା ତାଙ୍କ ସହ ହୋଇଥିବା ଦୁଷ୍କର୍ମର ଖୁଲାସା କରି ଚର୍ଚ୍ଚାକୁ ଆସିଛନ୍ତି। ଜଣେ ତାମିଲ ନିର୍ଦ୍ଦେଶକ ତାଙ୍କୁ ଦୁଷ୍କର୍ମ କରିଥିଲେ ଏବଂ ପ୍ରାୟ ଏକ ବର୍ଷ ଧରି ସେ ନିର୍ଯାତନାର ଶିକାର ହୋଇଥିଲେ ବୋଲି ଦାବି କରିଛନ୍ତି।
ଜାତୀୟ ଗଣମାଧ୍ୟମ ଏନଡିଟିଭିକୁ ଦେଇଥିବା ଏକ ସାକ୍ଷାତକାରରେ ସୌମ୍ୟା କହିଛନ୍ତି ଯେ, 'ମୋର ବୟସ ୧୮ବର୍ଷ ଥିଲା ଏବଂ କଲେଜରେ ପାଠ ପଢ଼ୁଥିଲି। ଫିଲ୍ମ ଦୁନିଆ ମୋ ପାଇଁ ନୂଆ ଥିଲା ଏବଂ ମୋର ପିତାମାତା ଚଳଚ୍ଚିତ୍ର ବିଷୟରେ କିଛି ଜାଣି ନଥିଲେ। କଲେଜ ଥିଏଟର ମାଧ୍ୟମରେ ଏକ ତାମିଲ ଚଳଚ୍ଚିତ୍ରରେ କାମ କରିବାର ସୁଯୋଗ ମୋତେ ମିଳିଥିଲା। ସ୍କ୍ରିନ ଟେଷ୍ଟ ପାଇଁ ଯିବା ପରେ ମୋତେ ଅସହଜ ମନେ ହେବାରୁ ମୁଁ ଫିଲ୍ମ କରିବାକୁ ମନା କଲି। ହେଲେ ନିର୍ଦ୍ଦେଶକ ମୋ ବାପାଙ୍କୁ କହିଥିଲେ, ସ୍କ୍ରିନଟେଷ୍ଟ ପାଇଁ ବହୁତ ଟଙ୍କା ଖର୍ଚ୍ଚ ହୋଇଛି। ଫିଲ୍ମ କରିବାକୁ ହେବ। ଏହା ଶୁଣି ଇଚ୍ଛା ନଥାଇ ବି ମୁଁ ବାଧ୍ୟ ହୋଇ ଫିଲ୍ମ କରିବାକୁ ଯାଇଥିଲି।
ସେ ଆହୁରି କହିଛନ୍ତି ଯେ, ଚୁକ୍ତିରେ ଥିଲା ଯେ, ଅଭିଯୁକ୍ତର ପତ୍ନୀ ନିର୍ଦ୍ଦେଶନା ଦେବେ। ହେଲେ ଅସଲରେ ଅଭିଯୁକ୍ତ ଫିଲ୍ମର ନିର୍ଦ୍ଦେଶନା ଦେଉଥିଲେ। ସୁଟିଂ ଆରମ୍ଭ ହେବା ଯାଏ ନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟ ମୋତେ ଜଣା ନଥିଲା। ଦିନେ ସେ ମୋତେ କିଛି ଆଲୋଚନା କରିବାକୁ ଘରକୁ ଡାକିଥିଲେ । ମୁଁ ଯିବା ପରେ ପତ୍ନୀ ଘରେ ନଥିବାରୁ ସେ ମୋତେ ଚୁମ୍ବନ ଦେଇଥିଲେ। ତାଙ୍କର ଏହି କାମ ମୋତେ ଥରାଇ ଦେଇଥିଲା। ହେଲେ ଲୋକଲଜ୍ଜାକୁ ଡରି ମୁଁ କାହାକୁ କହିପାରିନଥିଲି, ଯାହାର ଫାଇଦା ସେ ବର୍ଷେ ଯାଏ ଉଠାଇଥିଲେ। ଅନେକ ଥର ଜବରଦସ୍ତି ସେ ମୋ ସହ ଶାରୀରିକ ସମ୍ପର୍କ ରଖିଥିଲେ। ମୁଁ ଏବେ ଏବିଷୟରେ କହୁଛି, କାରଣ ମୁଁ ଚାହୁଁନି କେହି ମୋ ଭଳି ନିର୍ଯାତନାର ଶିକାର ହୁଅନ୍ତୁ।