ବଲିଉଡ୍‌ମୁହାଁ ମାଳବିକା

ଦକ୍ଷିଣୀ ସିନେ ଇଣ୍ଡଷ୍ଟ୍ରିର ପରିଚିତ ଅଭିନେତ୍ରୀ ମାଳବିକା ମୋହନନ୍ ଏବେ ବଲିଉଡ୍‌ମୁହାଁ ହେଇଛନ୍ତି। କୋଭିଡ୍ ସଂକ୍ରମଣ ଏବଂ ଲକ୍‌ଡାଉନ୍ କଟକଣା ଯୋଗୁଁ ଚଳଚ୍ଚିତ୍ର ଜଗତ ନିଷ୍କ୍ରିୟ ହେଇପଡ଼ିଥିଲା। ଏବେ ସରକାର ଅନୁମତି ଦେବା ଯୋଗୁଁ ଧୀରେଧୀରେ ସିନେମା କାମ କାଁ ଭାଁ ଦେଖିବାକୁ ମିଳୁଛି। ଏହା ଭିତରେ ସମ୍ଭବତଃ ମାଳବିକାଙ୍କୁ ସେମିତି କିଛି ବଡ଼ ଅଫର୍ ମିଳି ନାହିଁ। ତେଣୁ ସେ ଏକ ବିଜ୍ଞାପନ ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ପ୍ରବେଶ କରିଛନ୍ତି। ସିନେମାରେ ନ ହେଲେ ବି ମାଳବିକାଙ୍କ ପସନ୍ଦର ଅଭିନେତା ରଣବୀର କପୁରଙ୍କ ସହ ସେ ଏକ ବିଜ୍ଞାପନ ଫିଲ୍ମରେ ଅଭିନୟ କରି ବେଶ୍ ଖୁସି ହେଇଛନ୍ତି। ଉଭୟଙ୍କ ମୁହଁରେ ସ୍ମିତ ହସ ଫୁଟି ଉଠିଛି।

ମାଳବିକା ଏକ ପିଙ୍କ୍ ରଙ୍ଗର ସ୍ଲିଭିଲେସ୍ ପୋଷାକ ପିନ୍ଧିଥିବା ବେଳେ ଏକ ମିନିମଲ୍ ନେକ୍‌ପିସ୍‌ରେ ନିଜକୁ ସଜେଇଛନ୍ତି। ରଣବୀର ନୀଳରଙ୍ଗର ଏକ ବ୍ୟାନିଅନ୍ ଓ ଡେନିମ୍ ବ୍ରାଣ୍ଡର ଜିନ୍ସ ପ୍ୟାଣ୍ଟ ପିନ୍ଧିଛନ୍ତି। ରଣବୀରଙ୍କ ସହ ଅଭିନୟ କରିଥିବା ବେଳର କିଛି ଫଟୋ ମାଳବିକା ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରି ତାଙ୍କ ପ୍ରଶଂସକଙ୍କ ସହ ସିନେ ନିର୍ମାତାମାନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଉଦ୍ଦେଶ୍ୟ ହେଉଛି, ବଲିଉଡ୍‌ରେ ଯେତେ ଜଲଦି ଅଫର୍ ପାଇବା। ତଥାପି ମାଳବିକାଙ୍କ ପାଖରେ ସୁଯୋଗ ପହଞ୍ଚିଗଲାଣି। କାହିଁକି ନା ଶୁଣିବାକୁ ମିଳୁଛି ବଲିଉଡ୍‌ର ନୂଆ ଚଳଚ୍ଚିତ୍ର ‘ୟୁଦ୍ଧ’ରେ ଅଭିନେତା ସିଦ୍ଧାର୍ଥ ଚତୁର୍ବେଦୀଙ୍କ ବିପକ୍ଷର ନାୟିକା ସାଜୁଛନ୍ତି ମାଳବିକା। ଏପାଖେ ରଣବୀର କୁପରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଶମସେରା’ ମଧ୍ୟ ନିକଟ ଭବିଷ୍ୟତରେ ମୁକ୍ତିଲାଭ କରିବାକୁ ଯାଉଛି। ଏଥିରେ ରଣବୀରଙ୍କ ବିପକ୍ଷର ନାୟିକା ବାଣୀ କପୁର ଥିବା ବେଳେ ସଞ୍ଜୟ ଦତ୍ତ ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହେଇଛନ୍ତି।

ସମ୍ବନ୍ଧିତ ଖବର