ମୁମ୍ବାଇ : କିଛି ଦିନ ତଳେ ରାସ୍ତାକଡ଼ରେ ପ୍ଲାଷ୍ଟିକ ଫିଙ୍ଗୁଥିବାରୁ ଅନୁଷ୍କା ଶର୍ମା ଜଣେ ଯୁବକଙ୍କୁ ଗାଳି ଦେଉଥିବାର ଦେଖିବାକୁ ମିଳିଥିଲା । ଏହାର ଏକ ଭିଡ଼ିଓ ବିରାଟ କୋହଲି ନିଜ ଟ୍ଵିଟର ଆକାଉଣ୍ଟରେ ଅପ୍ଲୋଡ଼ କରି ଏପରି ନ କରିବା ପାଇଁ ଲୋକମାନଙ୍କୁ ଉପଦେଶ ଦେଇଥିଲେ । ତେବେ ଏହି ଭିଡ଼ିଓ ଭାଇରାଲ ହେବା ପରେ ଭିଡ଼ିଓରେ ନଜର ଆସୁଥିବା ଯୁବକ ଏବଂ ତାଙ୍କ ମା’ ଅନୁଷ୍କାଙ୍କୁ ଗାଳି କରିବା ସହ ଏହା ତାଙ୍କର ପବ୍ଲିସିଟି ଷ୍ଟଣ୍ଟ ଥିଲା ବୋଲି କହିଥିଲେ । ତେବେ ଏତେ ସବୁ ଭିତରେ କାର୍ ଭିତରେ ବସିଥିବା ଯୁବକ ଜଣଙ୍କର ପରିଚୟ ମିଳି ପରି ନ ଥିଲା । କିନ୍ତୁ ଏବେ ଯୁବକଙ୍କ ପରିଚୟ ମିଳିଛି ଏବଂ ସେ ମଧ୍ୟ ବଲିଉଡ଼୍ ଫିଲ୍ମରେ ପୂର୍ବରୁ କାମ କରି ସାରିଛନ୍ତି ବୋଲି ଜଣାପଡ଼ିଛି ।
ବଲିଉଡ଼୍ର ବଡ଼ ବଡ଼ କଳାକାରମାନଙ୍କ ସହ ଭିଡ଼ିଓରେ ନଜର ଆସୁଥିବା ଯୁବକ କେତେକ ଫିଲ୍ମରେ ଶିଶୁ କଳାକାର ଭାବରେ କାମ କରିଥିଲେ ବୋଲି ଏବେ ତାହାର କିଛି ଫଟୋ ଭାଇରାଲ ହୋଇଛି । ଯୁବକଙ୍କ ନାମ ଅର୍ହାନ ସିଂ। ୧୯୯୬ରେ ରିଲିଜ ହୋଇଥିବା ଶାହାରୁଖ୍ ଖାନ୍ଙ୍କ ଫିଲ୍ମ ‘ଇଙ୍ଗ୍ଲିଶ ବାବୁ ଦେଶୀ ମ୍ୟାମ୍’ରେ ଅର୍ହାନ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ ବୋଲି ଜଣା ପଡ଼ିଛି । ଏହା ସହ ମାଧୁରୀ ଦୀକ୍ଷିତ୍ଙ୍କ ସହ ଫିଲ୍ମ ‘ରାଜା’ ଏବଂ ସାହିଦ୍ କପୁରଙ୍କ ସହ ଫିଲ୍ମ ‘ପାଠଶାଲା’ରେ ଅର୍ହାନ କାମ କରି ସାରିଥିବା ଜଣା ପଡ଼ିଛି ।