ଇଣ୍ଟରନେଟରୁ ‘ଉରୀ’ ଫିଲ୍ମ ଡାଉନ୍‌ଲୋଡ୍‌ କରୁଥିବା ବେଳେ ଡାଉନ୍‌ଲୋଡ୍‌ ହେଲା ଏଭଳି ଭିଡିଓ, ଆଶ୍ଚର୍ଯ୍ୟ ହେଲେ ଯୁବକ

ମୁମ୍ବାଇ : ଜାନୁଆରୀ ୧୧ରେ ରିଲିଜ୍‌ ହୋଇଥିଲା ଫିଲ୍ମ ‘ଉରୀ-ଦ ସର୍ଜିକାଲ ଷ୍ଟ୍ରାଇକ୍‌’ । ଏହି ଫିଲ୍ମ ସହ ଅନୁପମ ଖେର୍‌ଙ୍କ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ୍‌ ମିନିଷ୍ଟର’ ରିଲିଜ ହୋଇଥିବା ବେଳେ ଫିଲ୍ମଟି ଭଲ ବ୍ୟବସାୟ କରି ପାରି ନ ଥିଲା । ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ୍‌ ମିନିଷ୍ଟର’କୁ ପଛରେ ପକାଇ ଏବେ ସବୁ ସିନେମା ହଲରେ ଆଗେଇ ଚାଲିଛି ଫିଲ୍ମ ‘ଉରୀ-ଦ ସର୍ଜିକାଲ ଷ୍ଟ୍ରାଇକ୍‌’ ।

ଫିଲ୍ମକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ଫିଲ୍ମ ଡାଉନ୍‌ଲୋଡ୍‌କୁ ନେଇ ଆଲୋଚନା ଆରମ୍ଭ ହୋଇଛି । କିଛି ଦିନ ହେବ କୌଣସି ଫିଲ୍ମ ରିଲିଜ୍‌ ହେବା ପରେ ତାହା ଅନ୍‌ଲାଇନ୍‌ ଲିକ୍‌ ହେବାର ସମସ୍ୟା ଉପୁଜିଛି । ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଫିଲ୍ମ ନିର୍ମାତା । କିନ୍ତୁ ଉରୀର ନିର୍ମାତା ଏହି ସମସ୍ୟାର ସମାଧାନ ପାଇଁ ଏକ ଭଲ ବାଟ ବାଛିଥିବା ଜଣା ପଡ଼ିଛି । ଫିଲ୍ମ ଡାଉନ୍‌ଲୋଡ କରିବା ମାତ୍ରେ ଏକ ଅଲଗା ଭିଡିଓ ଡାଉନ୍‌ଲୋଡ୍‌ ହେଉଛି । ଯେଉଁଥିରେ ଅଭିନେତ୍ରୀ ୟାମୀ ଗୌତମ ଏବଂ ଅଭିନେତା ବିକି କୌଶଲଙ୍କୁ କିଛି କହୁଥିବାର ଦେଖା ଯାଉଛି ।

ଭିଡିଓରେ,”ସର୍ଜିକାଲ ଷ୍ଟ୍ରାଇକ୍‌ ୦୪୦୦ ଘଣ୍ଟାରେ ଆରମ୍ଭ ହେବାକୁ ଯାଉଛି । ବିରୋଧୀ ପକ୍ଷଙ୍କୁ ଜଣା ହିଁ ପଡ଼ିବନି କି କ’ଣ ହେଲା” ବୋଲି କହୁଛନ୍ତି ୟାମୀ । ଏହା ପରେ ବିକି କୌଶଲ କହୁଛନ୍ତି,”ଠିକ୍‌ ସେହି ଭଳି ଯେମିତି ଆମେ ଆପଣଙ୍କ ସ୍କ୍ରିନ୍‌ ଭିତରେ ପଶିଗଲୁ ଏବଂ ଆପଣ ଜାଣି ପାରିଲେ ନାହିଁ । ସିନେମା ଘରକୁ ଯାଇ ଗର୍ବରେ ଫିଲ୍ମ ଦେଖନ୍ତୁ । ଲୁଚି ଲୁଚି ବେଆଇନ୍‌ ଭାବରେ ନୁହେଁ” ବୋଲି କହୁଥିବା ଦେଖା ଯାଇଛି । ଫିଲ୍ମର ଲିକ୍‌ ଏବଂ ବେଆଇନ୍‌ ଭାବେ ହେଉଥିବା ଡାଉନ୍‌ଲୋଡ୍‌କୁ ରୋକିବା ପାଇଁ ଏଭଳି ଭିନ୍ନ ଉପାୟ ବାଛିଛନ୍ତି ଫିଲ୍ମ ନିର୍ମାତା । ଫିଲ୍ମକୁ ଡାଉନ୍‌ଲୋଡ କରିବା ପରେ ଫିଲ୍ମ ପରିବର୍ତ୍ତେ ୟାମୀ ଏବଂ ବିକିଙ୍କ ଏହି ଭିଡିଓ ଡାଉନ୍‌ଲୋଡ ହେଉଥିବା ଦେଖାଯାଇଛି ।

ସମ୍ବନ୍ଧିତ ଖବର