ଏଥର ଦଶହରାରେ କେବଳ ନୂତନ ଚଳଚ୍ଚିତ୍ର ନୁହେଁ, କେତେକ ନବାଗତଙ୍କୁ ଦେଖିବାକୁ ପାଇବେ ସିନେପ୍ରେମୀ। ଏମାନଙ୍କ ଭିତରେ ସାମିଲ ହୋଇଛନ୍ତି କୁଶଳୀ ଅଭିନେତା ମନ୍ମୟ ଦେ। ସେ ଓଲିଉଡ୍ ଆକ୍ସନ୍ ଥ୍ରିଲର୍ ‘କର୍ମ’ରେ ଡେବ୍ୟୁ କରୁଛନ୍ତି।
ହିନ୍ଦୁ ଧର୍ମରେ ବିଶ୍ବାସ ରହିଛି, ମଣିଷ ତା’ର କର୍ମ ଅନୁସାରେ ଫଳ ପାଇଥାଏ। ଏପରି ଏକ ଧାର୍ମିକ ଧାରଣାକୁ ନେଇ ନିର୍ମାଣ ପଥରେ ଆଗେଇ ଚାଲିଛି ଚଳଚ୍ଚିତ୍ର ‘କର୍ମ’। ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଉକ୍ତ ଚଳଚ୍ଚିତ୍ରର ସୁଟିଂ ଓଡ଼ିଶାର ବିଭିନ୍ନ ସ୍ଥାନରେ ହେଉଛି। ‘କର୍ମ’ରେ ନାୟକ ଓ ନାୟିକା ଭୂମିକାରେ ଅଛନ୍ତି ଅନୁଭବ ମହାନ୍ତି ଓ ସୂର୍ଯ୍ୟମୟୀ ମହାପାତ୍ର। ସେହିପରି ଜଣେ ଗାଉଁଲି ଯୁବକ ଭୂମିକାରେ ଏଥିରେ ନଜର ଆସିବେ ମନ୍ମୟ। ଅଭିଜ୍ଞ ଚୌଧୁରୀ ଜୟପ୍ରକାଶ ଦାସ, ମନ୍ମୟଙ୍କ ବାପା ଭୂମିକାରେ ଅଭିନୟ କରୁଥିବା ବେଳେ ତାଙ୍କ ସହ ଅନେକ ଆବେଗପୂର୍ଣ୍ଣ ଦୃଶ୍ୟରେ ଅଭିନୟ କରିଛନ୍ତି ମନ୍ମୟ। ଏହି ଦୃଶ୍ୟାବଳି ଦର୍ଶକଙ୍କ ଆଖିରେ ଲୁହ ଆଣିଦେବ ବୋଲି ମନ୍ମୟ ମନେ କରନ୍ତି।
ମନ୍ମୟଙ୍କ ଘର ବାଲେଶ୍ବର ସହର ମୋତିଗଞ୍ଜରେ। ଜଣେ ଶିଶୁ କଳାକାର ଭାବେ ସେ ପ୍ରଥମେ ନାଟକରେ ଅଭିନୟ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ଏକାଧିକ କ୍ଷୁଦ୍ର ଚଳଚ୍ଚିତ୍ର ସହ ମ୍ୟୁଜିକ୍ ଭିଡିଓରେ ନିଜର ଯାଦୁ ଦେଖାଇଲେ। କେବଳ ଅଭିନୟ ନୁହେଁ, ମଡେଲିଂରେ ମଧ୍ୟ ମନ୍ମୟ ବେଶ୍ ସଫଳ। ତେବେ ‘ବେଷ୍ଟ୍ ସିନେ ଷ୍ଟାର୍’ ନାମକ ଏକ ଟିଭି ରିଅଲିଟି ସୋ’ର ବିଜେତା ହେବା ପରେ ତାଙ୍କ ପାଇଁ ଚଳଚ୍ଚିତ୍ର ଦୁନିଆର ଦରଜା ଖୋଲିଗଲା। ସେ ‘କର୍ମ’ରେ କାମ କରିବାର ସୁଯୋଗ ପାଇଲେ।
ମନ୍ମୟ କହନ୍ତି, ‘‘ଅଭିନୟର ଭୋକ ମୋତେ ଆଜି ସଫଳତା ଆଣିଦେଇଛି। ‘କର୍ମ’ ମୋ ପାଇଁ କେବଳ ଏକ ଚଳଚ୍ଚିତ୍ର ନୁହେଁ, ଏକ ବଡ଼ ଆହ୍ବାନ, ଯାହାକୁ ମୁଁ ସ୍ବୀକାର କରିଛି। ଆଶା କରିବି ଯେ ମୋର ଅଭିନୟ ଦର୍ଶକଙ୍କ ମନକୁ ଛୁଇଁବ ଏବଂ ଓଲିଉଡ୍ରେ ଆଗକୁ ବଢ଼ିବାର ପ୍ରେରଣା ଦେବ।’’
-ରୁଦ୍ରରଂଜନ ଶେଜପଡ଼ା