ଆଧ୍ୟାତ୍ମିକ ବିଷୟବସ୍ତୁ ଉପରେ ଆଧାରିତ ଚଳଚ୍ଚିତ୍ର ‘ମନସ୍ବୀ’ର ଟିଜର୍ ଲୋକାର୍ପଣ ହେଇଛି। ରିଙ୍କୁ ଠକ୍କର, ଅର୍ଚ୍ଚନା ଦୁବେ ଓ ପ୍ରତୀକ ସାଙ୍ଘବୀଙ୍କ ସହଯୋଗ ଏବଂ ଜୟେଶ୍‌ ରାଜପାଲଙ୍କ ଦ୍ବାରା ନିର୍ମିତ ଏଇ ଚଳଚ୍ଚିତ୍ରର ଟିଜର୍‌ ମଧ୍ୟପ୍ରଦେଶର ଇନ୍ଦୋର ପ୍ରେକ୍ଷାଳୟରେ ଲୋକାର୍ପିତ ହୋଇଛି। ଏଥିରେ ବଲିଉଡ୍‌ର ସମୀକ୍ଷକ କୋମଲ ନାହଟା ଯୋଗ ଦେଇଥିଲେ। ନିର୍ଦ୍ଦେଶକ ମନୋଜ ଠକ୍କର ଏହାର କାହାଣୀ ଓ ସଂଳାପକାରଙ୍କୁ ଅଶେଷ କୃତଜ୍ଞତା ଜଣାଇଛନ୍ତି। ‘ମନସ୍ବୀ’ ଚଳଚ୍ଚିତ୍ରକୁ ଭାରତ ସମେତ ମରିସସ୍, ଶ୍ରୀଲଙ୍କା ଓ ନେପାଳର ରାଷ୍ଟ୍ରପତି ବଧେଇ ଜଣାଇଛନ୍ତି। ଏହି ଚଳଚ୍ଚିତ୍ରକୁ ଅଷ୍ଟ୍ରେଲିଆ ସରକାର ମଧ୍ୟ ପୁରସ୍କୃତ କରିଛନ୍ତି।

Advertisment

‘ମନସ୍ବୀ’ର ନାୟକ ସତ୍ୟକାମ ଜଣେ ସିବିଆଇ ଅଧିକାରୀ। ଆଧ୍ୟାତ୍ମିକ ଭାବଧାରାରେ ସୁବବେଳେ ଅନୁପ୍ରାଣିତ ସତ୍ୟକାମ ମଧ୍ୟଭାରତରେ ହେଉଥିବା ଶିଶୁ ହତ୍ୟାକୁ ନେଇ ବେଶ୍ ଚିନ୍ତିତ ହୁଅନ୍ତି। ଏହା ଭିତରେ ତାଙ୍କର ଆଧ୍ୟାତ୍ମିକ ଗୁରୁ ଅଘୋରୀ ବାବାଙ୍କ ସହ ସାକ୍ଷାତ ହେଉଛି। ଗୁରୁଙ୍କ ପ୍ରେରଣାରେ ସେ ଅନୁଭବ କରୁଛନ୍ତି ଜଣେ ଅନାଥ ହେଲେ କ’ଣ ହୁଏ। ଅଘୋରୀ ବାବା ତାଙ୍କୁ ଅଧିକ ସଚେତନ କରିବାକୁ ଯାଇ ବୌଦ୍ଧ ଭିକ୍ଷୁ ଲାମାଜୀଙ୍କ ସହ ଭେଟ କରାଉଛନ୍ତି। ଏହି ଦୁଇ ଗୁରୁଙ୍କ ସାନ୍ନିଧ୍ୟରୁ ସତ୍ୟକାମଙ୍କ ଭିତରେ ଏକ ଅଦ୍ଭୁତ ଶକ୍ତି ଜାଗ୍ରତ ହୁଏ। ସେ ଶିଶୁ ହତ୍ୟାର କାରଣ ଖୋଜିପାଆନ୍ତି। ଏହା ମଧ୍ୟରେ ଜଣେ ବିବେକୀ ବନ୍ଧୁ ରବି ମିତ୍ତଲଙ୍କ ସହ ସତ୍ୟକାମଙ୍କର ଦେଖାହୁଏ। ଯିଏ ବୃତ୍ତିରେ ଚାଟାର୍ଡ ଆକାଉଣ୍ଟାଣ୍ଟ କିନ୍ତୁ ସିନେମା ନିର୍ମାଣ ପାଇଁ ଉତ୍ସାହିତ ହୁଅନ୍ତି। ଏ ଦୁହେଁ ପୁଣି ପହଞ୍ଚନ୍ତି ସ୍ବାମୀଜୀ ଶଶାଙ୍କ ଚତୁର୍ବେଦୀଙ୍କ ନିକଟରେ, ଯିଏ ଅଧିକାଂଶ ସମୟ ହିମାଳୟରେ ବିତାଇଥାନ୍ତି। ଭିକ୍ଷୁ ଲାମାଜୀଙ୍କ ଛାତ୍ର ତଥା ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ଛାତ୍ର ବିଶାଲ ଚୌଧୁରୀ ଏମାନଙ୍କ ସଂସ୍ପର୍ଶକୁ ଆସନ୍ତି। ଏଇଠୁ ଆରମ୍ଭ ହୁଏ ଆଧ୍ୟାତ୍ମିକତାର ବିଶାଳ ଯାତ୍ରା। ନିକଟରେ ଏଇ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିଛି। ଏହା ଦର୍ଶକଙ୍କୁ ଆକୃଷ୍ଟ କରିବ ବୋଲି ଆଶା କରାଯାଉଛି।