ଜୀବନରେ ଅନେକ ଝଡ଼ ଝଞ୍ଜା ଦେଇ ଗତି କରିଛନ୍ତି ସେ। ସ୍ବାମୀଙ୍କୁ ହରାଇବା ପରେ ବହୁ ଉତ୍ଥାନ ପତ୍ତନକୁ ସାମ୍ନା କରି ସେ ଆଜି ସଫଳତା ପଥରେ। ପୁଷ୍ଟିଶସ୍ୟ ତାଙ୍କ ମୁହଁରେ ଫୁଟାଇଛି ହସ। ଯାହା କେବଳ ଶ୍ରୀ ଅନ୍ନ ଅଭିଯାନ ଯୋଗୁଁ ହୋଇଛି ସମ୍ଭବ। ଏମିତି ଜଣେ ସଫଳ ଏକାକିନୀ ମହିଳା ଉଦ୍ୟୋଗୀ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ୍ର ବ୍ରାହ୍ମଣ ଗାଁର ବାସନ୍ତୀ ମୁର୍ମୁ (୫୯)।
ଦୀର୍ଘ ୧୨ ବର୍ଷ ତଳେ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ଶିକ୍ଷକ ଥିବା ବାସନ୍ତୀଙ୍କ ସ୍ୱାମୀଙ୍କର ହଠାତ୍ ଦେହାନ୍ତ ହୋଇଗଲା। ଆଉ ସେହିଦିନଠାରୁ ଆରମ୍ଭ ହୋଇଥିଲା ତାଙ୍କର ସଂଘର୍ଷମୟ ଜୀବନ। ୩ ପୁଅଙ୍କୁ ପାଳିପୋଷି ମଣିଷ କରିବାର ଦାୟିତ୍ୱ ପଡ଼ିଲା ତାଙ୍କ ଉପରେ। ପରିବାର ଚଳାଇବା ସାଙ୍ଗକୁ ପିଲାମାନଙ୍କୁ କେମିତି ପାଠ ପଢ଼ାଇବେ ସେହି ଚିନ୍ତାରେ ପଡ଼ିଗଲେ ସେ। ଶେଷରେ ଉପାୟଶୂନ୍ୟ ହୋଇ ମାଣ୍ଡିଆ ଚାଷକୁ ଆପଣାଇ ଆରମ୍ଭ କରିଥିଲେ ସଂଘର୍ଷ। ଶ୍ରୀ ଅନ୍ନ ଅଭିଯାନ ପକ୍ଷରୁ ଏସ୍ଏମ୍ଆଇ ପଦ୍ଧତିରେ ଚାଷ କରିବା ପାଇଁ ପ୍ରଶିକ୍ଷଣ ନେଇଥିଲେ। ଆଧୁନିକ ଜ୍ଞାନକୌଶଳରେ ମାଣ୍ଡିଆ ଚାଷ କରିବା ପାଇଁ ପ୍ରୋତ୍ସାହନ ପାଇଥିଲେ ସେ। ସେ ନିଜ ଚାଷ କ୍ଷେତରେ ସଠିକ୍ ଉପାୟରେ ମାଣ୍ଡିଆ ଚାଷ କରି ବେଶ୍ ଲାଭବାନ୍ ହୋଇପାରୁଛନ୍ତି।
ଗତବର୍ଷ ସେ ଅନ୍ୟ ମହିଳାଙ୍କ ସହ ମିଶି ଭାଗ ଚାଷରେ ୪ଏକର ଜମିରେ ମାଣ୍ଡିଆ ଚାଷ କରିଥିଲେ। ସେଥିରୁ ଉତ୍ପାଦିତ ମାଣ୍ଡିଆକୁ ମଣ୍ଡିରେ ବିକ୍ରି କରିବା ସହ ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି ବିକ୍ରି କରିଥିଲେ। ଏହାସହିତ ଅଭିଯାନ ତରଫରୁ ପୁଷ୍ଟିଶସ୍ୟଭିତ୍ତିକ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତି ପ୍ରଶିକ୍ଷଣ ମଧ୍ୟ ନେଇଛନ୍ତି। ସେ ପ୍ରୋତ୍ସାହନ ପାଇ ଗତ ମାର୍ଚ୍ଚ ମାସରୁ ନିଜ ଗାଁରେ ଏକାକୀ ମିଲେଟ ଶକ୍ତି ଟିଫିନ୍ ସେଣ୍ଟର୍ର ପରିଚାଳନା ଦାୟିତ୍ବ ତୁଲାଉଛନ୍ତି। ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଜଳଖିଆ, ଗୁଲୁଗୁଲା, ମୁଡ଼୍କୀ, ପିଠା ଆଦି ପ୍ରସ୍ତୁତ କରି ସ୍ଥାନୀୟ ଅଞ୍ଚଳରେ ବିକ୍ରି କରୁଛନ୍ତି। ଟିଫିନ୍ ସେଣ୍ଟର୍ ପାଇଁ ତାଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ସାଙ୍ଗକୁ ଖାଦ୍ୟ ପ୍ରସ୍ତୁତି, ଖାତା ପରିଚାଳନା ପ୍ରଶିକ୍ଷଣ ମଧ୍ୟ ଦିଆଯାଇଛି। ପ୍ରତ୍ୟେକ ମାସରେ ୧୦-୧୫ ହଜାର ଟଙ୍କା ରୋଜଗାର କରିବା ସହ ସ୍ଥାନୀୟ ଅଞ୍ଚଳରେ ସଚେତନତା ସୃଷ୍ଟି କରୁଛନ୍ତି ବାସନ୍ତୀ। ତାଙ୍କ ଟିଫିନ୍ ସେଣ୍ଟର୍ରେ ପ୍ରତିଦିନ ପିଲାଙ୍କଠାରୁ ବୟସ୍କଙ୍କ ଭିଡ଼ ଜମୁଛି।
ନିଜ ସଫଳତାର କାହାଣୀ ବଖାଣି ବାସନ୍ତୀ କହନ୍ତି, ସ୍ୱାମୀଙ୍କ ଦେହାନ୍ତ ପରେ ମୋତେ ଚତୁର୍ଦ୍ଦିଗ ଅନ୍ଧାର ଦେଖାଯାଇଥିଲା। ଏକୁଟିଆ ପିଲାମାନଙ୍କ ବୋଝ ମୁଣ୍ଡାଇବା ପାଇଁ ମାଣ୍ଡିଆ ଚାଷକୁ ଆପଣାଇଥିଲି। ମାଣ୍ଡିଆ ଚାଷ କରି ୩ ପୁଅଙ୍କୁ ପାଠ ପଢ଼ାଇବା ସହିତ ସାନଭାଇକୁ ମଧ୍ୟ ଡାକ୍ତରୀ ପାଠ ପଢ଼ାଇବାରେ ସଫଳ ହୋଇପାରିଛି। ଶ୍ରୀ ଅନ୍ନ ଅଭିଯାନ ଗ୍ରାମାଞ୍ଚଳରେ ମୋ ଭଳି ଅନେକ ମହିଳାଙ୍କୁ ସହାୟତା ଯୋଗାଇ ଦେଇଛି। ଏବେ ମୁଁ ସ୍ବାବଲମ୍ବୀ ହେବାସହ ହସ ଖୁସିରେ ପରିବାର ଚଳାଇପାରୁଛି। ଏକାକିନୀ ମହିଳା ଭାବେ ମାର୍ଚ୍ଚ ମାସରୁ ମିଲେଟ୍ ଟିଫିନ୍ ସେଣ୍ଟର୍ ଚଳାଇବା ପାଇଁ ମୋତେ ଶ୍ରୀ ଅନ୍ନ ଅଭିଯାନ ତରଫରୁ ସହଯୋଗ ମିଳିଛି। ପୂର୍ବରୁ ମାଣ୍ଡିଆରୁ ଅଳ୍ପକିଛି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି ବିକ୍ରି କରୁଥିଲି। ମାତ୍ର ନିଜର ଦୋକାନଟିଏ ହେବା ଦ୍ବାରା ମୋତେ ରୋଜଗାରର ପଥ ମିଳିବା ସହ ମୋର ଦୁଃଖ ଦୁର୍ଦ୍ଦଶା ଦୂର ହୋଇପାରିଛି।
ରିପୋର୍ଟ: ଐଶ୍ବର୍ଯ୍ୟ ପରିଜା