ଭୁବନେଶ୍ବର: ଦଶହରାରୁ ଦୀପାବଳି। ଓଡ଼ିଶାର କୋଣଅନୁକୋଣ ଏହି ସମୟ ଭିତରେ ହୋଇଉଠେ ପାର୍ବଣମୁଖର। ଭାରତୀୟ ସଂସ୍କୃତିରେ ସନ୍ନିବେଶିତ ମାତୃ-ଆରାଧନାର ପରମ୍ପରା ହିଁ ଏହି ପାର୍ବଣକୁ ଜନଜୀବନରେ ସଂଯୋଜିତ କରିଛି। ସମାଜରେ ନାରୀ ସମ୍ମାନନୀୟା, ଆଦରଣୀୟା, ବନ୍ଦନୀୟା ଓ ପୂଜ୍ୟା- ଏହି ଚିନ୍ତନକୁ ପୂଜାପର୍ବ ମାଧ୍ୟମରେ ପରମ୍ପରାରେ ଗୁନ୍ଥି ଦିଆଯାଇଛି। ଆଉ ଏକଥା ବି ସ୍ପଷ୍ଟ କରାଯାଇଛି କି ନାରୀକୁ ସମ୍ମାନ କଲେ ସେ ଦେବୀ, ଅସମ୍ମାନ କଲେ ସେ ଭୟଙ୍କରୀ, ଦାନବୀ । ସେ ବିଦ୍ୟା ଓ ଜ୍ଞାନଦାତ୍ରୀ ସରସ୍ବତୀ, ପୁଣି ସେ ମହିଷାସୂରମର୍ଦ୍ଦିନୀ ଦୁର୍ଗା, ସେ ତପସ୍ବିନୀ ପାର୍ବତୀ ତ ପୁଣି ଦୁଷ୍ଟଦଳିନୀ ମହାକାଳୀ।

Advertisment

ଏହି ଚିନ୍ତାଧାରାକୁ ନେଇ ଓଡ଼ିଶାର ପ୍ରଥମ ଫ୍ରିଟୁ ଏୟାର ମନୋରଞ୍ଜନ ଚା‌ନେଲ୍ ‘ମଞ୍ଜରୀ’ରେ ପ୍ରସାରିତ ହେଉଛି ଏକ ଭିନ୍ନସ୍ବାଦର ଉପସ୍ଥାପନା। ଏଥିରେ ‌ନାରୀର ଦୈବୀ ସ୍ବରୂପର ଅବତାରଣା କରିଛନ୍ତି ‘ମଞ୍ଜରୀ’ର ବିଭିନ୍ନ ଧାରାବାହିକର ପ୍ରମୁଖ ନାରୀ ଚରିତ୍ର।

ତେବେ ଏହି ଉପସ୍ଥାପନାର ବିଶେ‌ଷ ଆକର୍ଷଣ ସାଜିଛନ୍ତି ଦେଶର ବିଶିଷ୍ଟ ସାହିତ୍ୟିକ ଡ. ପ୍ରତିଭା ରାୟ। ସେ ସମାଜକୁ ସଚେତନ କରାଇ କହୁଛନ୍ତି, ‘ସମାଜରେ ଆମେ ନାରୀକୁ  କି ପ୍ରକାର ସମ୍ମାନ ଦେଉ, ତାହା ଅନୁଚିନ୍ତାର ବିଷୟ। ମନେ ରଖିବାକୁ ହେବ ଯେ ନାରୀକୁ ସମ୍ମାନ କଲେ ସେ ଦେବୀ, ଅସମ୍ମାନ କଲେ ସେ ଭୟଙ୍କରୀ, ଦାନବୀ, ମହାକାଳୀ।’

‘ମଞ୍ଜରୀ’ର ଧାରାବାହିକ ‘ବୋହୂ ଆମର ଏନଆରଆଇ’ର ଆନି, ‘‘ମୋ ଦେହେ ବୋଳିଦେ ତୋ ଦେହ କଳା’ର ଶ୍ରଦ୍ଧା, ‘ସିଂହଦ୍ବାର’ର କସ୍ତୁରୀ ଏବଂ ନଣନ୍ଦ ପୁଟୁଳି’ର ପ୍ରାପ୍ତିଙ୍କୁ ଯଥାକ୍ରମେ ମହାଲକ୍ଷ୍ମୀ, ସରସ୍ବତୀ, ପାର୍ବତୀ ଓ ମହାକାଳୀ ଭାବେ ନିଜକୁ ଉପସ୍ଥାପିତ କରିଛନ୍ତି।

ସେ ମା’ ହେଉକି ଭଗ୍ନି, କନ୍ୟା ହେଉକି ପତ୍ନୀ, ଆମ ଗହଣରେ ବିଭିନ୍ନ ରୂପରେ ଥିବା ନାରୀ ଭିତରେ ହିଁ  ପ୍ରତିଭାତ ଏହି ଦୈବ୍ୟ ସ୍ବରୂପ। ତାକୁ ସମ୍ମାନିତ କରିବାରେ ହିଁ ସାଧିତ ହୁଏ ସମାଜର କଲ୍ୟାଣ। ତେଣୁ ସେ କଲ୍ୟାଣୀ।