ଚା’ ଦୋକାନରେ ଖଟି କରୁଥିବାବେଳେ ଏହି ଲୋକପ୍ରିୟ ଅଭିନେତାଙ୍କୁ ମିଳିଥିଲା ପ୍ରଥମ ସିନେମା

ମୁମ୍ବାଇ: ମନୋଜ ବାଜପେୟୀ ବଲିଉଡ଼୍‍ର ଜଣେ ଚର୍ଚ୍ଚିତ ଅଭିନେତା। ସେ ପ୍ରଖ୍ୟାତ ନିର୍ଦ୍ଦେଶକ ଶେଖର କପୁରଙ୍କ ‘ବ୍ୟାଣ୍ଡିଟ୍‌ କୁଇନ୍‌’ ଜରିଆରେ ସିନେ ଦୁନିଆରେ ପାଦ ଥାପିଥଲେ ହେଲେ ଦର୍ଶକ ତାଙ୍କୁ ରାମ ଗୋପାଲ ବର୍ମାଙ୍କ ନିର୍ଦ୍ଦେଶିତ ‘ସତ୍ୟା’ରେ ଭଲଭାବେ ଚିହ୍ନିଲେ। ଏଇ ନିକଟରେ ସେ ଏକ ସାକ୍ଷାତକାରରେ ମନୋଜ ନିଜର ସଂଘର୍ଷମୟ ଜୀବନର ଫର୍ଦ ଖୋଲିଛନ୍ତି । ସେ କହିଛନ୍ତି ଯେ ବଲିଉଡରେ ଅନେକ ବର୍ଷ ଧରି କାମ କରିବାପରେ ବି ତାଙ୍କୁ କୌଣସି ଖାସ୍‌ ପ୍ରକାରର କଳାକାର ବୋଲି କେହି କହୁନାହାନ୍ତି। ଏହା ତାଙ୍କ ପାଇଁ ଗର୍ବର କଥା ବୋଲି ସେ ମନେ କରନ୍ତି।

ମନୋଜଙ୍କର ପୈତୃକ ଘର ନେପାଳ ସୀମାବର୍ତ୍ତୀ ବିହାରର‘ବେଲ୍‌ଓ୍ଵା’ଗ୍ରାମରେ। ତାଙ୍କ ବାପା ଥିଲେ ଜଣେ କୃଷକ ,ଯାହାଙ୍କର ସେ ଥିଲେ ଦ୍ୱିତୀୟ ସନ୍ତାନ। ସେ ଏକ ହିନ୍ଦୀ ମିଡ଼ିଅମ୍‌ ବୋଡ଼ିଂ ସ୍କୁଲରେ ପାଠ ପଢ଼ୁଥିଲେ।ସତରବର୍ଷ ପର୍ଯ୍ୟନ୍ତ ସେ ପାଟନା ଓ ବାରାଣାସୀ ବ୍ୟତୀତ ଅନ୍ୟ କୌଣସି ବଡ଼ ସହର ଦେଖିନଥିଲେ।ମନୋଜ କିନ୍ତୁ ପିଲାଦିନରୁ ଅଭିନେତା ହେବାର ସ୍ୱପ୍ନ ଦେଖିଥିଲେ।ଦିନେ ସେ ଜାଣିବାକୁ ପାଇଲେ ଯେ,ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ଦିଲ୍ଲୀର ନେସ୍‌ନାଲ୍‌ ସ୍କୁଲ୍‌ ଅଫ୍‌ ଡ୍ରାମାରେ ପଢ଼ିଲେ ଭଲ ହେବ।ଏଣୁ ସେ ଦିଲ୍ଲୀ ଗଲେ,କିନ୍ତୁ ସେଥିରେ ଆଡ଼୍‍ମିଶନ୍‌ ପାଇଁ ତାଙ୍କୁ ସୁଯୋଗ ମିଳିଲା ନାହିଁ।ଏହାପରେ ସେ କିନ୍ତୁ ଘରକୁ ଫେରିନଥିଲେ।

ଦିଲ୍ଲୀରେ ରହି ଥିଏଟର୍‌ରେ କାମ କରିଲେ।ମନୋଜ୍‌ ବାଜ୍‌ପେୟୀ ପ୍ରଥମେ ସମ୍ଭବ ଥିଏଟର୍‌ ଗ୍ରୁପ୍‌ରେ ଏବଂ ତା’ପରେ ବେରିଜନ୍‌ଙ୍କ ଗ୍ରୁପ୍‌ରେ କାମ କରିଲେ। ପ୍ରଖ୍ୟାତ ମଞ୍ଚ ବ୍ୟକ୍ତିତ୍ୱ ଏନ୍‌.କେ.ଶର୍ମା ତାଙ୍କର ଥିଏଟର ଗ୍ରୁପ୍‌ରେ ଅଭିନୟ କରିବାକୁ ଏବଂ ନିର୍ଦ୍ଦେଶନାରେ ସହକାରୀ ହେବାପାଇଁ ମାସିକ ଅଠର ଶହ ଟଙ୍କା ଦେଉଥିଲେ। ସେଥିରେ ବି କେବେହେଲେ ଅସନ୍ତୁଷ୍ଟ ହେଉନଥିଲେ ମନୋଜ। ଦିଲ୍ଲୀରେ ପ୍ରାୟ ଦଶ ବର୍ଷ ଧରି ମନୋଜ ବାଜ୍‌ପେୟୀ ଥିଏଟର୍‌ରେ କାମ କରିଲେ।
ସେଠାରେ ଏବେକାର ନାମୀ ନିର୍ଦ୍ଦେଶକ ତିଗ୍‌ମାଂଶୁ ଧୂଲିଆ ଶେଖର କପୁର୍‌ଙ୍କ ଫିଲ୍ମ ‘ବ୍ୟାଣ୍ଡିଟ୍‌ କୁଇନ୍‌’ରେ କାଷ୍ଟିଂ ଡ଼ାଇରେକ୍ଟର ଭାବେ କାର୍ଯ୍ୟ କରୁଥିଲେ। ଦିନେ ମନୋଜ୍‌ ଏକ ନୁକ୍‌କଡ଼ ଚା’ଦୋକାନରେ ଖଟି କରୁଥିବାବେଳେ ତିଗ୍‌ମାଂଶୁ ତାଙ୍କର ସ୍କୁଟର୍‌ରେ ସେଠାରେ ପହଁଞ୍ଚଲେ।ଏବଂ କହିଲେ ନିର୍ଦ୍ଦେଶକ ଶେଖର କପୁର୍‌ ତାଙ୍କୁ ଦେଖା କରିବାକୁ ଚାହାଁନ୍ତି।ଏକଥା ଶୁଣି ନିଜକାନକୁ ବିଶ୍ୱାସ କରି ପାରିଲେନି ମନୋଜ। ସେ ଭାବିଲେ ତିଗ୍‌ମାଂଶୁ ବୋଧ ହୁଏ ମିଛ କହୁଛନ୍ତି। କିନ୍ତୁ ପରେ ତିଗ୍‌ମାଂଶୁ ମନୋଜଙ୍କୁ ମୁମ୍ବାଇରେ ଶେଖର କପୁରଙ୍କ ସହିତ ଦେଖା କରାଇଲେ। ବାସ୍‌ ତା’ପରେ ମନୋଜଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଗଲା।

ନିର୍ଦ୍ଦେଶକ ଶେଖର କପୁର୍‌ ତାଙ୍କର ବହୁଚର୍ଚ୍ଚିତ ସିନେମା ‘ବ୍ୟାଣ୍ଡିଟ୍‌ କୁଇନ୍‌’ରେ ବ୍ରେକ୍‌ ଦେଲେ ମନୋଜ୍‌ ବାଜ୍‌ପେୟୀଙ୍କୁ।‘ବ୍ୟାଣ୍ଡିଟ୍‌ କୁଇନ୍‌’ରେ କାମ କରିବାପରେ ଶେଖର କପୁର୍‌ ମନୋଜଙ୍କୁ ‘ମୁମ୍ବାଇ’ ଆସିବାପାଇଁ ପରାମର୍ଶ ଦେଲେ। ତାଙ୍କ କଥା ମାନି ମନୋଜ ବାଜ୍‌ପେୟୀ ମୁମ୍ବାଇ ଆସି ବଲିଉଡ଼୍‍ରେ ତାଙ୍କର କ୍ୟାରିଅର୍‌ କରିଲେ।ମୁମ୍ବାଇ ଆସିବାପରେ ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ମନୋଜ ବାଜ୍‌ପେୟୀଙ୍କୁ ‘ସତ୍ୟା’ ଫିଲ୍ମରେ ଭିକୁ ମହାତ୍ରେ ଭୂମିକାରେ ଅଭିନୟ କରିବାର ସୁଯୋଗ ଦେଇଥିଲେ।ଏହି ଫିଲ୍ମ ତାଙ୍କ କ୍ୟାରିଅର୍‌ର ଟର୍ଣ୍ଣିଂ ପଏଣ୍ଟ୍‌ ହୋଇଥିଲା।‘ସତ୍ୟା’ରୁ ସେ ଲୋକପ୍ରିୟତା ଅର୍ଜନ କରିଥିଲେ।ଏହି ଚଳଚ୍ଚିତ୍ରରେ ଅଭିନୟ ଲାଗି ମନୋଜ ବାଜ୍‌ପେୟୀ ଶ୍ରେଷ୍ଠ ସହ-ଅଭିନେତା ଭାବେ ରାଷ୍ଟ୍ରୀୟ ପୁରସ୍କାର ଲାଭ କରିଥିଲେ।

ସମ୍ବନ୍ଧିତ ଖବର