ମୁମ୍ବାଇ: ବଲିଉଡ ଅଭିନେତା ମନୋଜ କୁମାରଙ୍କ ବିୟୋଗରେ ପୂରା ଦେଶ ଶୋକ ମନାଉଛି। ୮୭ ବର୍ଷୀୟ ଏହି ଅଭିନେତା ଇଣ୍ଡଷ୍ଟ୍ରିରେ ବହୁତ ଦିନ ବିତାଇଛନ୍ତି। ଅନେକ ସୁପରହିଟ୍ ଫିଲ୍ମ ଦେଇଛନ୍ତି। ଦେଶର ମନୋରଞ୍ଜନ ଶିଳ୍ପ ପ୍ରତି ତାଙ୍କ ଅବଦାନ ଅତୁଳନୀୟ।
ଆଜି ୫ ଏପ୍ରିଲରେ ତାଙ୍କୁ ଶେଷ ବିଦାୟ ଦିଆଯାଇଛି। ଶେଷ ବିଦାୟ ପୂର୍ବରୁ ତାଙ୍କ ମୃତଦେହକୁ ଘରକୁ ଅଣାଯାଇଥିଲା। ଯେଉଁଠାରେ ସମସ୍ତେ ମନୋଜ କୁମାରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ଧାଇଁ ଆସିଥିଲେ। ସମସ୍ତେ ଫୁଲ ଅର୍ପଣ କରି ତାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଥିଲେ। କିନ୍ତୁ ତାଙ୍କ ପତ୍ନୀ ଶଶୀ ଗୋସ୍ୱାମୀଙ୍କ ଅବସ୍ଥା ସମସ୍ତଙ୍କ ଆଖିରେ ଲୁହ ଆଣିଦେଇଥିଲା। ଶଶୀ ଗୋସ୍ବାମୀ ତାଙ୍କ ସ୍ବାମୀଙ୍କ ଶରୀର ଉପରେ ମୁଣ୍ଡ ପିଟି ପିଟି କାନ୍ଦି କାନ୍ଦି ଲୋଟି ଯାଇଥିଲେ।
ମନୋଜ କୁମାରଙ୍କ ପତ୍ନୀ ଶଶୀ ଏବଂ ପୁଅ କୁନାଲ ଗୋସ୍ୱାମୀଙ୍କ ଭିଡିଓ ଇଣ୍ଟରନେଟରେ ଭାଇରାଲ୍ ହେବା ପରେ ସମସ୍ତଙ୍କ ହୃଦୟକୁ ଏହା କଷ୍ଟ ଦେଇଛି। ଭିଡିଓରେ ଧଳା ସାଲୱାର ସୁଟ୍ ଏବଂ କପାଳରେ ଏକ ବଡ଼ କଳା ବିନ୍ଦି ପିନ୍ଧିଥିବା ପତ୍ନୀ ନିଜ ଉପରୁ ନିୟନ୍ତ୍ଣଣ ହରାଇ କାନ୍ଦୁଛନ୍ତି। ପୁଅ ତାଙ୍କୁ ପାଖରୁ ଧରିଥିବା ବେଳେ ଅନ୍ୟ କିଛି ଲୋକ ତାଙ୍କ ହାତରେ ଏକ ଗେଣ୍ଡୁ ହାର ଦେଉଥିବାର ଦେଖିବାକୁ ମିଳିଛି।
ଭିଡିଓରେ, ଅଭିନେତା ମନୋଜ କୁମାରଙ୍କ ପତ୍ନୀ କାନ୍ଦି କାନ୍ଦି ତାଙ୍କୁ ଶେଷ ବିଦାୟ ଦେଉଛନ୍ତି। ସେ ତାଙ୍କୁ ଏକ ମାଳ ପିନ୍ଧାଇ, ତାଙ୍କୁ କୁଣ୍ଢେଇ ପକାଇ ଚୁମ୍ବନ ଦେଉଥିବାର ଦେଖିବାକୁ ମିଳିିଛି।