ଭୁବନେଶ୍ୱର: କେବେ ନକ୍ସଲ୍ ତ ପୁଣି କେବେ ଗୁଣ୍ଡା ,କେବେ ଖଳ ରାଜନେତା ଭୂମିକାରେ ଅଭିନୟ କରି ଚର୍ଚ୍ଚିତ ହୋଇଛନ୍ତି ମନୋଜ ମିଶ୍ର। ପ୍ରଥମେ ନାସନାଲ୍ ସ୍କୁଲ୍ ଅଫ୍ ଡ୍ରାମାରେ ଅଭିନୟ ପ୍ରଶିକ୍ଷଣ କରିଥିଲେ ଅଭିନେତା ମନୋଜ ମିଶ୍ର। ତା’ପରେ ସେ ବି ଅନ୍ୟ କଳାକାରଙ୍କ ଭଳି ବଲିଉଡ଼୍ରେ କ୍ୟାରିଅର୍ କରିବାକୁ ଲାଗି ଆସିଥିଲେ ମୁମ୍ବାଇ। ସେଠି ବି ‘ମିଶନ୍ କାଶ୍ମୀର୍’,‘ସତ୍ତା’ଭଳି କେତୋଟି ହାତଗଣତି ହିନ୍ଦୀ ଫିଲ୍ମରେ ଅଭିନୟ କରିଥିଲେ ମନୋଜ।
୨୦୦୩ରେ ପ୍ରଯୋଜକ ପ୍ରଦୀପ ଭୋଳ ମନୋଜ ମିଶ୍ରଙ୍କୁ ତାଙ୍କ ପ୍ରଯୋଜିତ ‘ସୁନାଶଂଖାଳି’ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିବା ଲାଗି ଅଫର୍ ଦେଇଥିଲେ। ଏହାକୁ ସ୍ୱୀକାର କରି ମନୋଜ ମିଶ୍ର ଓଲିଉଡ଼୍କୁ ଆସିଥିଲେ।ରବି କିନ୍ନାଗୀଙ୍କ ନିର୍ଦ୍ଦେଶିତ ତଥା ବଙ୍ଗଳା ଷ୍ଟାର୍ ଜିତ୍,ସ୍ୱସ୍ତିକା,ବର୍ଷା ପ୍ର୍ରିୟଦର୍ଶିନୀ,ମିହିର ଦାସ ଓ ହର ପଟ୍ଟନାୟକ ପ୍ରମୁଖ ଅଭିନୀତ‘ସୁନାଶଂଖାଳି’ମନୋଜଙ୍କର ପ୍ରଥମ ସିନେମା ହୋଇଥିଲେ ବି ଦର୍ଶକ ତାଙ୍କୁ ପ୍ରକୃତରେ ଚିହ୍ନିଥିଲେ ଲୋକପ୍ରିୟ ନିର୍ଦ୍ଦେଶକ ଚକ୍ରଧର ସାହୁଙ୍କ ସୁନୀଲ କୁମାର ,ଅନୁ ଚୌଧୁରୀ, ଆମେଲି ପ୍ରମୁଖ ଅଭିନୀତ ଫିଲ୍ମ ‘ତୁମକୁ ପାରୁନି ତ ଭୁଲି’ରେ।ଏଥିରେ ଖଳନାୟକ ମୁନ୍ନା ଚରିତ୍ର ନିଭାଇ ବେଶ୍ ପ୍ରଶଂସା ସାଉଁଟିଥିଲେ ମନୋଜ ମିଶ୍ର।
ଏହପରେ ଆଉ ଓଲିଉଡ଼୍ରୁ ନିଜକୁ ଦୂରେଇ ରଖିନଥିବା ମନୋଜ ଇତିମଧ୍ୟରେ ୩୦ରୁ ଅଧିକ ଓଡ଼ିଆ ଛବିରେ ଅଭିନୟ କରି ସାରିଲେଣି।ଦର୍ଶକ ତାଙ୍କୁ ପୁଣି ଏକ ଖଳନାୟକ ରାଜନେତା ଭୂମିକାରେ ଦେଖିବାକୁ ପାଇଥିଲେ।ଏଠାରେ ଯେଉଁ ଓଡ଼ିଆ ସିନେମାର କଥା କୁହାଯାଉଛି,ତାହା ହେଲା ଶ୍ରୀଧର ମାର୍ଥାଙ୍କ ପ୍ରଯୋଜିତ ତଥା ନିରଞ୍ଜନ ବେହେରାଙ୍କ ନିର୍ଦ୍ଦେଶିତ ‘ଯୋଗୀ’। ଏଥିରେ ମନୋଜ ମିଶ୍ରଙ୍କୁ ମିଳିଥିଲା ଏକ ଦମ୍ଦାର୍ ଭୂମିକା।ଏଥିରେ ମହିଳା ରାଜନେତା ଭୂମିକାରେ ଥିବା ଅଭିନେତ୍ରୀ ସ୍ମିତା ମହାନ୍ତିଙ୍କ ସହିତ ମନୋଜ ମିଶ୍ରଙ୍କର ଜବରଦସ୍ତ ଟକ୍ରାଟକରି ରହଥିଲା ,ଯାହା ଦର୍ଶକଙ୍କୁ ପସନ୍ଦ ଆସିଥିଲା । ସବୁ ବେଳେ ଚର୍ଚ୍ଚାରେ ଥାଆନ୍ତି ଏହି ଓଲିଉଡ ଅଭିନେତା ଠିକ୍ ସେହିପରି ସେ ତୁ ମୋ ଲଭ୍ ଷ୍ଟୋରିରେ ନକ୍ସଲ ଭୂମିକାରେ ପ୍ରଭାବଶାଳୀ ଅଭିନୟ କରିଥିଲେ।