ମୁମ୍ବାଇ: ନିର୍ଦ୍ଦେଶକ ଓମ୍ ରାଉତଙ୍କ ଫିଲ୍ମ ‘ଆଦିପୁରୁଷ’କୁ ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚା ହେଉଛି। ଏହି ଚଳଚ୍ଚିତ୍ରରେ ‘ରାମାୟଣ’ର ଚରିତ୍ରକୁ ଭୁଲ ଭାବେ ଉପସ୍ଥାପନ କରାଯାଇଥିବା ନେଇ ଏବଂ ଫିଲ୍ମର ସଂଳାପକୁ ନେଇ ବିବାଦ ଆରମ୍ଭ ହୋଇଛି। ଏହି ସମୟରେ ଫିଲ୍ମର ଲେଖକ ମନୋଜ ମୁନ୍ତାଶିର ମୁମ୍ବାଇ ପୁଲିସର ସୁରକ୍ଷା ଲୋଡିଛନ୍ତି। କୁହାଯାଉଛି ଯେ ବିବାଦ ମଧ୍ୟରେ ମନୋଜ ମୁନ୍ତାଶିର ନିଜ ଜୀବନ ଉପରେ ବିପଦ ଥିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି। ଏବେ ମୁନ୍ତାଶିରଙ୍କ ଆବେଦନ ଉପରେ ବିଚାର କରିବା ପରେ ମୁମ୍ବାଇ ପୁଲିସ ସୁରକ୍ଷା ଯୋଗାଇବା ନେଇ ନିଷ୍ପତ୍ତି ନେବ ବୋଲି ଜଣାପଡ଼ିିଛି।
ସୁପରଷ୍ଟାର ପ୍ରଭାସ, ଅଭିନେତ୍ରୀ କ୍ରିତି ସାନନ୍ ଏବଂ ସୈଫ ଅଲି ଖାନଙ୍କ ଅଭିନୀତ ଚଳଚ୍ଚିତ୍ର 'ଆଦିପୁରୁଷ' ଶୁକ୍ରବାର ଅର୍ଥାତ୍ ଜୁନ୍ ୧୬ରେ ମୁକ୍ତିଲାଭ କରିଥିଲା। ମୁକ୍ତିଲାଭ କରିବା ପରେ ଏବେ ଫିଲ୍ମଟି ବକ୍ସ ଅଫିସରେ ଭଲ ଆୟ କରୁଥିବା ଦେଖିବାକୁ ମିଳିଛି। ଫିଲ୍ମଟି ୨ଦିନରେ ୧୫୦କୋଟିରୁ ଅଧିକ ଆୟ କରିଥିବା ବେଳେ କିଛି ଦିନ ମଧ୍ୟରେ ୨୦୦କୋଟି କ୍ଲବରେ ସାମିଲ ହେବ ବୋଲି ଆଶା କରାଯାଉଛି। ତେବେ ଫିଲ୍ମରେ ଅତି ନିମ୍ନ ମାନର ସଂଳାପ କେତୋଟି ରହିଛି, ଯାହାକୁ ନେଇ ବିବାଦ ଆରମ୍ଭ ହୋଇଛି। ସଂଳାପଗୁଡ଼ିକ ହେଲା: ‘ମରେଗା ବେଟେ’, ‘ବୁଆ କା ବଗିଚା ହୈଁ କ୍ୟା’ ଏବଂ ‘ଜଲେଗି ତେରେ ବାପ୍ କି’ ଇତ୍ୟାଦି।
'ଆଦିପୁରୁଷ' ଫିଲ୍ମକୁ ସାରା ଦେଶରେ ବିରୋଧ କରାଯାଉଛି। ଫିଲ୍ମ ନିର୍ମାତାମାନେ ହିନ୍ଦୁ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ କରି ଫିଲ୍ମର ପ୍ରଦର୍ଶନ ଉପରେ ରୋକ ଲଗାଇବାକୁ ଦାବି କରାଯାଉଛି। କେବଳ ଏତିକି ନୁହେଁ, ବିଜେପି ସମେତ ସମସ୍ତ ରାଜନୈତିକ ଦଳର ନେତାମାନେ ମଧ୍ୟ ଏହି ଫିଲ୍ମକୁ ବିରୋଧ କରୁଛନ୍ତି ଏବଂ ଏହା ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି।