ନସିର ସାହେବଙ୍କ ଉଦ୍ଦେଶ୍ୟ ଖରାପ, ଦମ୍ ଅଛି ଯଦି ସେ କୋର୍ଟ ଯାଆନ୍ତୁ: ମନୋଜ ତିୱାରୀ

ମୁମ୍ବାଇ: ଫିଲ୍ମ ଦି କେରଳ ଷ୍ଟୋରୀ ରିଲିଜ୍ ହେବା ପରଠାରୁ ଦଶର୍କଙ୍କ ମନ କିଣିବା ସହ ଭଲ ରୋଜଗାର କରୁଛି। ଏପର୍ଯ୍ୟନ୍ତ ଫିଲ୍ମଟି ୨୫୦କୋଟି ଆୟ କରିସାରିଥିବା ବେଳେ ବଲିଉଡର କିଛି କଳାକାର ଫିଲ୍ମକୁ ବିରୋଧ କରୁଥିବା ଦେଖାଯାଇଛି। ବଲିଉଡ ଅଭିନେତା ନସିରୁଦ୍ଦିନ ଶାହ ଓ ନୱାଜୁଦ୍ଦିନ ସିଦ୍ଦିକିଙ୍କ ଭଳି ଅଭିନେତା ଫିଲ୍ମର ସଫଳତାକୁ ନେଇ ବିବାଦୀୟ ବୟାନ ଦେଇସାରିଛନ୍ତି।

ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେକୁ ସାକ୍ଷାତକାର ଦେଇ ନାସିରୁଦ୍ଦିନ ଶାହା କହିଥିଲେ, ‘ଦି କେରଳ ଷ୍ଟୋରୀ’ ଭଳି ଫିଲ୍ମ ସଫଳ ହେବା ଦେଶ ପାଇଁ ବିପଦ। ଏବେ ତାଙ୍କର ଏଭଳି ବୟାନକୁ ନେଇ ବିଜେପି ସାଂସଦ ମନୋଜ ତିୱାରୀ ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି, “ନସିରଜୀ ଜଣେ ବହୁତ ଭଲ ଅଭିନେତା, କିନ୍ତୁ ତାଙ୍କର ଉଦ୍ଦେଶ୍ୟ ଭଲ ନୁହେଁ ଏବଂ ମୁଁ ଏହା ଭାରୀ ହୃଦୟ ସହ କହୁଛି। ନସିର ସାହେବ କାହିଁକି ସେତେବେଳେ ସ୍ୱର ଉତ୍ତୋଳନ କରିନଥିଲେ, ଯେତେବେଳେ ଚଳଚ୍ଚିତ୍ରରେ ଦୋକାନରେ ବସିଥିବା ଜଣେ ଯୁବକ ଯିବା ଆସିବା କରୁଥିବା ମହିଳାଙ୍କୁ ଅଶାଳୀନ କମେଣ୍ଟ ମାରୁଥିବା ଦର୍ଶାଯାଇଥିଲା। ‘ଦି କେରଳ ଷ୍ଟୋରୀ’ ଏବଂ ‘ଦି କଶ୍ମୀର ଫାଇଲ୍ସ’ ସତ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର। ଯଦି ତାଙ୍କର କୌଣସି ଅସୁବିଧା ଅଛି, ତେବେ ସେ କୋର୍ଟକୁ ଯାଆନ୍ତୁ। କୌଣସି ବିଷୟରେ ମନ୍ତବ୍ୟ ଦେବା ଅତ୍ୟନ୍ତ ସହଜ। ସେ ଯେପରି ଭାବେ ନିଜର ପରିଚୟ ତିଆରି କରିଛନ୍ତି, ତାହା ଜଣେ ଭାରତୀୟ ତଥା ମଣିଷ ଭାବରେ ଭଲ ନୁହେଁ। ”

ଉଲ୍ଲେଖଯୋଗ୍ୟ, ସାକ୍ଷାତକାର ନସିରୁଦ୍ଦିନ ଶାହା କହିଥିଲେ, ଭିଡ୍, ଅଫବାହ, ଫରାଜ ଭଳି ଯୋଗ୍ୟ ଚଳଚ୍ଚିତ୍ର ବକ୍ସ ଅଫିସରେ ଫ୍ଲପ୍ ହୋଇଗଲା। ଏହି ଚଳଚ୍ଚିତ୍ର ଦେଖିବା ପାଇଁ କେହି ଥିଏଟରକୁ ଗଲେ ନାହିଁ। କିନ୍ତୁ ଲେ‌ାକେ ‘ଦି କେରଳ ଷ୍ଟୋରୀ’ ଦେଖିବାକୁ ସିନେମା ହଲକୁ ଯାଉଛନ୍ତି। ମୁଁ ଏହି ଚଳଚ୍ଚିତ୍ର ଦେଖି ନାହିଁ ଏବଂ ମୁଁ ଏହା ଦେଖିବାକୁ ମଧ୍ୟ ଇଚ୍ଛା କରେ ନାହିଁ। କାରଣ ମୁଁ ଏହା ବିଷୟରେ ବହୁତ କିଛି ପଢ଼ି ସାରିଛି। ‘ଦି କେରଳ ଷ୍ଟୋରୀ’ ଭଳି ଫିଲ୍ମ ସଫଳ ହେବା ଦେଶ ପାଇଁ ବିପଦ। ଆମେ ନାଜି ଜର୍ମାନୀ ଆଡକୁ ଯାଉଛେ, ଯେଉଁଠାରେ ହିଟଲରଙ୍କ ସମୟରେ ମୁଖ୍ୟ ନେତାଙ୍କ ମାଧ୍ୟମରେ ଚଳଚ୍ଚିତ୍ର ନିର୍ମାତା ନିଯୁକ୍ତ କରାଯାଉଥିଲେ। ଏହା ଦ୍ବାରା ନିର୍ମାତା ତାଙ୍କ ଚଳଚ୍ଚିତ୍ରରେ ସରକାରଙ୍କୁ ପ୍ରଶଂସା କରିବା ସହ ଦେଶବାସୀଙ୍କ ପାଇଁ ସେ କ’ଣ କରିଛନ୍ତି ତାହା ଦେଖାଉଥିଲେ। ଏବେ ଭାରତରେ ସେଭଳି ଟ୍ରେଣ୍ଡ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର