‘ମୋତେ କରିଦେ କଳା ତୁଳସୀ...’, ‘ବଂଶୀରେ ପ୍ରେମରେ ତୋ ସାତସୁେର ବନ୍ଧା...’, ‘ଜାବୁଡ଼ି ଧରିବି କାଳେ ପାଦକୁ ତୋର...’ ଆଦି ଭଜନ ଶୁଣିଛନ୍ତି? ମାଣବସା ଗୁରୁବାର ଗୀତ ବା ଭଜନ ଅନ୍ତାକ୍ଷରୀ କେବେ ଦେଖିଛନ୍ତି? ଯଦି ହଁ, େତବେ ଆପଣ ନିଶ୍ଚେ ଜାଣିଥିବେ ଏହି ଗୀତର କଣ୍ଠଶିଳ୍ପୀଙ୍କୁ। ତାଙ୍କ ସ୍ବର ଯେମିତି ମଧୁର, ମଣିଷ ହିସାବରେ ବି ସେ ସେତିକି ସୁନ୍ଦର। ସେ ହେଉଛନ୍ତି ଓଡ଼ିଶାର ଲୋକପ୍ରିୟ ଗାୟିକା ମାନସୀ ପାତ୍ର।
ପିଲାବେଳୁ ମାନସୀଙ୍କର ସଂଗୀତ ପ୍ରତି ରୁଚି ଥିଲା। ସ୍ବର୍ଗତ ବାସୁଦେବ ଗୋଚ୍ଛାୟତ ଓ ସ୍ବର୍ଗତ ବନମାଳୀ ଜେନାଙ୍କଠାରୁ ସଂଗୀତ ଶିକ୍ଷା ପରେ ଚଣ୍ଡୀଗଡ଼ ଗାନ୍ଧର୍ବ ବିଶ୍ବବିଦ୍ୟାଳୟରୁ ଓଡ଼ିଶୀରେ ବିଶାରଦ କରିଥିଲେ। ଗୁରୁ ବିଶ୍ବନାଥ ମିଶ୍ରଙ୍କ ପ୍ରେରଣାରେ ୨୦୦୦ ମସିହାରେ ଆକାଶବାଣୀରେ ପ୍ରଥମେ ଜୁନିୟର୍ ଆର୍ଟିଷ୍ଟ୍ ଓ ୨୦୦୫ରେ ବି-ହାଇ ଆର୍ଟିଷ୍ଟ୍ ମାନ୍ୟତା ପାଇଥିଲେ। ତା’ପରେ ଇଟିଭିର ମହ୍ଲାର, ଓ ଟିଭିର ଆମରି ଗୀତ ଆମରି ସ୍ବର ଆଦି କାର୍ଯ୍ୟକ୍ରମରେ ଭାଗ ନେଇ ଶ୍ରୋତା ଓ ଦର୍ଶକ ମହଲରେ ପରିଚିତି ହାସଲ କରିଥିଲେ।
ମାନସୀଙ୍କ ସ୍ବକୀୟତା ହେଲା ସେ କେବଳ ଭକ୍ତିସଂଗୀତ ହିଁ ଗାଆନ୍ତି। ଦୀର୍ଘ ୨୦ବର୍ଷ ଧରି କେବଳ ଭଜନ ଗାଇ ଖୁବ୍ ସଫଳ ଓ ଲୋକପ୍ରିୟ ହୋଇପାରିଛନ୍ତି। ସେ କହନ୍ତି, ‘‘ବୋଧେ ଏଇଟା ମହାପ୍ରଭୁଙ୍କ ଇଚ୍ଛା। ତାଙ୍କରି ସେବାପାଇଁ ହୁଏତ ମହାପ୍ରଭୁ ଦୁନିଆକୁ ଆଣିଛନ୍ତି।’’ ବାଲେଶ୍ବର ରେମୁଣା ନିବାସୀ ଶିକ୍ଷକ ଭୋଳାନାଥ ପାତ୍ର ଓ ଶୋଭାରାଣୀ ପାତ୍ରଙ୍କ ଏକମାତ୍ର କନ୍ୟା ମାନସୀ ବାପାଙ୍କ ପ୍ରେରଣାରୁ ସଂଗୀତରେ ପାଦ ଦେଇଥିଲେ ଏବଂ ବିବାହ ପରେ ସ୍ବାମୀ ପ୍ରଭାତ କୁମାର ନାୟକ ହିଁ ତାଙ୍କୁ ସବୁ କ୍ଷେତ୍ରରେ ପ୍ରେରଣା ଓ ପ୍ରୋତ୍ସାହନ ଦେଇଆସୁଛନ୍ତି। ନିଜ ଆଦ୍ୟ ସଫଳତାର କାହାଣୀ ବଖାଣି ମାନସୀ କହନ୍ତି, ‘‘୨୦୦୬ରୁ ମୋ ବାହାଘର ପରେ ହିଁ ମୁଁ ସଫଳତା ପାଇଆସୁଛି। କାରଣ ସେହିବର୍ଷ ମୋର ପ୍ରଥମ ସୋଲୋ କ୍ୟାସେଟ୍ ‘ମୋହ ମାୟା ଅଢ଼େଇ ଦିନ’ ରିିଲିଜ୍ ହୋଇଥିଲା ଏବଂ ସେ କ୍ୟାସେଟ୍ର ସବୁ ଗୀତ ‘ବଉଳା ଗାଈର ଚାନ୍ଦ ବାଛୁରୀ...’, ‘ମତେ କରିଦେ କଳା ତୁଳସୀ...’, ‘ପ୍ରଭାତୁ ଉଠିବୁ ଆଲୋ ସଜନୀ ମୋର...’ ଆଦି ଗୀତ ଖୁବ୍ ଲୋକପ୍ରିୟ ହୋଇଥିଲା। ଘରେ ଘରେ ଲୋକ ମୋତେ ଜାଣିଲେ। ଏସବୁର ଶ୍ରେୟ ମୁଁ ମୋ ବାପା ଓ ସ୍ବାମୀଙ୍କୁ ଦେବି।’’
ଭଗବାନ ଯାହା ଦେଇଛନ୍ତି ସେଥିରେ ସେ ଖୁସି। ତେବେ ସଂଗୀତ ସାଧନା ପରେ କେବଳ ପରିବାରକୁ ହିଁ ସମୟ ଦିଅନ୍ତି ମାନସୀ। କାରଣ ପରିବାର ଲୋକଙ୍କ ଖୁସି ଓ ସ୍ନେହ ଥିଲେ ଭଗବାନଙ୍କ ଆଶୀର୍ବାଦ ମିଳେ ବୋଲି ତାଙ୍କ ସ୍ବାମୀ କହନ୍ତି ଏବଂ ଏହାକୁ ସେ ବି ମାନନ୍ତି। ଭବିଷ୍ୟତ ପିଢ଼ି ପାଇଁ ସେ କହନ୍ତି, ‘‘ସଂଗୀତ ଏତେ ସହଜ ବାଟ ନୁହେଁ। ପ୍ରକୃତ ଓ ସଫଳ କଳାକାର ହେବାକୁ ହେଲେ ସାଧନା ଓ ସମର୍ପଣଭାବ ନିହାତି ଜରୁରି।’’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/08/dgadgdgaczvv-2025-11-08-01-45-15.jpg)