ହିମାଂଶୁ ପରିଜାଙ୍କ ନିର୍ଦ୍ଦେଶିତ ଓଡ଼ିଆ ଛବି ‘କେମିତି ଏ ସଂପର୍କ’ରେ ନାୟିକା ଏଲିନାଙ୍କ ବୟଫ୍ରେଣ୍ଡ୍ ଭୂମିକାରେ ଅଭିନୟ କରିଥିବା ଆଇମନ୍ ପ୍ରଧାନଙ୍କୁ ଖୁବ୍ ଶୀଘ୍ର ଏକ ନୂଆ ସିନେମାରେ ଦେଖିବାକୁ ମିଳିବ। ରାଜା ଡି’ଙ୍କ ନିର୍ଦ୍ଦେଶିତ ‘ଘମାଘୋଟ’ରେ ସେ ମାର୍କୋ ଚରିତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି। କୌତୂହଳର ବିଷୟ ହେଉଛି, ଋଷୀୟ ଯୁବକ ମାର୍କୋ କିନ୍ତୁ କନ୍ଧମାଳର କୁଇ ଭାଷା କହୁଛନ୍ତି। ଏହା ପଛରେ କି ରହସ୍ୟ ରହିଛି, ତାହା ଜାଣିବାକୁ ଆପଣଙ୍କୁ ‘ଘମାଘୋଟ’ର ମୁକ୍ତିଲାଭଯାଏ ଅପେକ୍ଷା କରିବାକୁ ପଡ଼ିବ।
ଆଇମନ୍ ଏଥିରେ ଅଭିନୟ କରିବା ସହ ଫାଇଟ୍ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ, ଫିଲ୍ମରେ ଅନେକ ଫାଇଟ୍ ସିନ୍ ରହିଛି। ଏଥିପାଇଁ ଟିମ୍ ସହ ପାଖାପାଖି ୨୦ ଦିନ ଅଭ୍ୟାସ କରିବାକୁ ପଡ଼ିଥିଲା। ଜାତୀୟ କିକ୍ ବକ୍ସିଂରେ ସ୍ବର୍ଣ୍ଣ ହାସଲ କରିଥିବା ଆଇମନ୍ଙ୍କୁ ପିନାକି ଶ୍ରୀଚନ୍ଦନଙ୍କ ନିର୍ଦ୍ଦେଶିତ ‘ନିୟତି’ରେ ଆକ୍ସନ୍ ଡିରେକ୍ଟର ଭାବେ ବ୍ରେକ୍ ମିଳିଥିଲା। ସେ ପୃଥ୍ବୀରାଜ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ତଥା ଅମ୍ଳାନଙ୍କ ଅଭିନୀତ ‘ଭାଇ’ରେ ମଧ୍ୟ ଫାଇଟ୍ ମାଷ୍ଟର୍ ଭାବେ କାର୍ଯ୍ୟ କରିଥିଲେ। ଅଭିନୟ ତାଙ୍କର ନିଶା ଓ ଆକସନ୍ ନିର୍ଦ୍ଦେଶନା ପେସା। ସେ ଏବେ ଏହି ଦୁଇ କ୍ଷେତ୍ରରେ ସକ୍ରିୟ ଅଛନ୍ତି ଏବଂ ଆଗକୁ ମଧ୍ୟ ଏହି ଯାତ୍ରା ଜାରି ରହିବ ବୋଲି କହିଛନ୍ତି ଆଇମନ୍।