ମୁମ୍ବାଇ: ଚର୍ଚ୍ଚାରେ ବିଗ୍ ବସ୍-୧୬ର ବିଜେତା ଏମସି ଷ୍ଟାନ। ରିୟାଲିଟି ସୋ’ ବିଗ୍ ବସ୍-୧୬ରେ ବେଶୀ ସକ୍ରିୟ ନରହି ବି ସେ ବିଜୟୀ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଇନଷ୍ଟାରେ ଥିବା ତାଙ୍କର ୭୦ଲକ୍ଷ ଫଲୋୱର୍ସଙ୍କ ପାଇଁ ଏହା ସମ୍ଭବ ହୋଇଥିବା କଥା କୁହାଯାଉଥିବା ବେଳେ ସୋ’ ଜିତିବା ପରେ ତାଙ୍କ ଉପରେ ଉପହାର ବର୍ଷା ହୋଇଥିଲା। ବିଗ୍ ବସ୍ ୧୬ ଜିତିବା ପରେ ଏମସି ଷ୍ଟାନଙ୍କୁ କିଛି ଲୋକପ୍ରିୟ ସେଲିବ୍ରିଟିଙ୍କ ତରଫରୁ ଶୁଭେଚ୍ଛା ବାର୍ତ୍ତା ଏବଂ ମହଙ୍ଗା ଉପହାର ମିଳିଥିଲା।
ଏବେ ସୋ’ ଶେଷ ହେବାକୁ ୨ମାସ ବିତିଥିଲେ ବି ଷ୍ଟାନଙ୍କୁ ଉପହାର ମିଳିବା ବନ୍ଦ ହୋଇନାହିଁ। ଟେନିସ ଷ୍ଟାର ସାନିଆ ମିର୍ଜା, ଷ୍ଟାନଙ୍କୁ ଦାମୀ ଜୋତା ଓ ସନଗ୍ଲାସ ଦେଇଥିବା ଜଣାପଡ଼ିଛି, ଯାହାର ମୂଲ୍ୟ ୧.୨୧ଲକ୍ଷ ବୋଲି କୁହାଯାଉଛି। ଷ୍ଟାନ, ସାନିଆ ଦେଇଥିବା ଉପହାରର ଫଟୋ ସେୟାର କରି ତାଙ୍କୁ ଧନ୍ୟବାଦ ଦେଇଛନ୍ତି। ଧନ୍ୟବାଦ ଦେଇ ସେ ସାନିଆଙ୍କୁ ଆପା(ବଡ଼ ଭଉଣୀ)ବୋଲି ଲେଖିଛନ୍ତି। ସାନିଆ ୯୧,୦୦୦ଟଙ୍କାର ନାଇକି ଜୋତା ଓ ୩୦ହଜାର ଟଙ୍କାର ସନଗ୍ଲାସ ଦେଇଥିବା ଦେଖାଯାଇଛି।
ଏହା ପୂର୍ବରୁ ଏମସିଙ୍କୁ ରାପର ବାଦଶାହ ୫୦ଲକ୍ଷର ସୁନା ଚେନ୍ ଦେଇଥିବା ବେଳେ ତାଙ୍କ ପ୍ରେମିକା ଅନମ ଶେଖ୍ ଓରଫ ବୁବା ୪୫ଲକ୍ଷର ବିଏମଡବ୍ଲୁ ବାଇକ୍, ରୋହିତ ସେଟ୍ଟୀ ୪୫ଲକ୍ଷର ମିନି କୁପର କାର୍, ସଲମାନ ଖାନ୍ ୧୫ଲକ୍ଷର ପ୍ଲାଟିନମ ବ୍ରେସଲେଟ, ପ୍ରତିଯୋଗୀ ତଥା ଏମସିଙ୍କ ବନ୍ଧୁ ଅବଦୁ ରୋଜିକ୍ ୬ଲକ୍ଷର ସୋପାର୍ଡ ଘଣ୍ଟା ଓ ବଲିଉଡ ନିର୍ଦ୍ଦେଶକ ସାଜିଦ ଖାନ୍ ୩ଲକ୍ଷର ହୀରା ଚେନ୍ ଦେଇଥିବା କୁହାଯାଇଥିଲା।