ମେଗା ଧାରାବାହିକ ‘ମୋ ଅଗଣାର ତୁଳସୀ ତୁ’

ସୁଦୂର ସମ୍ବଲପୁରର ନିପଟ ମଫସଲରେ ବଢ଼ିଥିବା ଝିଅଟି ତା’ର ସ୍ୱପ୍ନକୁ ସତ କରିବାକୁ ରାଜଧାନୀ ଭୁବନେଶ୍ୱରକୁ ଚାଲିଆସିଛି। ଏଠାକାର ପରିସ୍ଥିତି ଓ ପରିବେଶରେ ପହଞ୍ଚି ଜଣକ ଘରେ ତାକୁ ରହିବାକୁ ପଡ଼ିଛି। ହାଣ୍ଡିଶାଳ ସମ୍ଭାଳିବାର ଭାର ନେଇଥିବା ସେଇ ଝିଅଟି କିନ୍ତୁ ଏକ ବିରାଟ କମ୍ପାନୀର ବ୍ରାଣ୍ଡ ଆମ୍ବାସଡାର ହେବାକୁ ସକ୍ଷମ ହୋଇଛି। ‘ମୋ ଅଗଣାର ତୁଳସୀ ତୁ’ ସୁଟିଂସେଟ୍‌ରେ ଏମିତି କିଛି ଦୃଶ୍ୟର ସୁଟିଂ ଚାଲିଥିବା ବେଳେ ଗୋଟିଏ ସମ୍ଭ୍ରାନ୍ତ ପରିବାରର ନିୟମ କାନୁନ ଏବଂ ଅନ୍ୟ ଗୋଟିଏ ଗାଉଁଲି ଝିଅର ସିନ୍ଦୂରର ସୁରକ୍ଷାର ଚିତ୍ର ଦେଖିବାକୁ ମିଳିଛି।

ନିପଟ ମଫସଲ ଗାଁର ଝିଅ ତୁଳସୀ ପରିବାରର ବୋଝ ହାଲୁକା କରିବା ଓ ଭାଇର ଅପରେସନ୍‌ କରିବାକୁ ତତ୍ପର ହୋଇପଡ଼ିଛି। ତା’ହାତ ତିଆରି କ୍ରିମ୍‌ର ଦୋକାନ ଖୋଲି କିଛି ରୋଜଗାର କରି ଏସବୁ ଦୁଃଖ ଦୂର କରିବାକୁ ସେ ଚେଷ୍ଟା କରିଛି। କିନ୍ତୁ ବିଧିର ବିଧାନ ଭିନ୍ନ। ତୁଳସୀ ଭୁବନେଶ୍ୱର ଆସି ପ୍ରତିଷ୍ଠିତ ଶିଳ୍ପପତି ଚିତ୍ରା ସାମନ୍ତରାୟଙ୍କ ହାଣ୍ଡିଶାଳ ସମ୍ଭାଳିବା ଦାୟିତ୍ୱ ନେଇଛି। ନିଜ ଦାୟିତ୍ୱ ସମ୍ଭାଳୁଥିବା ତୁଳସୀକୁ ସାମନ୍ତରାୟ ପରିବାର ସଦସ୍ୟ ଆପଣାଇ ନେଇଛନ୍ତି। ତାକୁ ସାଧାରଣ ରୋଷେୟାରୁ କମ୍ପାନୀର ବ୍ରାଣ୍ଡ ଆମ୍ବାସଡାର କରାଯାଇଛି। ହେଲେ ତୁଳସୀ ଭିତରେ ସେଭଳି କିଛି ପରିବର୍ତ୍ତନ ଆସିନାହିଁ ବରଂ ସେ କାଲି ଯାହା ଥିଲା ଆଜି ବି ସେମିତି ରହିଛି। ହଠାତ ତୁଳସୀର ନିକଟତର ହେଉଛନ୍ତି ଶିଳ୍ପପତି ଚିତ୍ରା ସାମନ୍ତରାୟଙ୍କ ବଡ଼ପୁଅ ଚନ୍ଦନ। ସମୟ ଓ ପରିସ୍ଥିତି ତୁଳସୀକୁ ଏମିତି ଏକ ମୋଡ଼ରେ ଛିଡ଼ା କରିଦେଉଛି ଯେଉଁଠି ସେ ଆତ୍ମହତ୍ୟାର ରାସ୍ତା ବାଛିନେଉଛି। ତେବେ ତୁଳସୀ ଜୀବନରେ ଚନ୍ଦନର ଭୂମିକା କିଭଳି ରହୁଛି ଓ ଉଭୟଙ୍କୁ ସାମନ୍ତରାୟ ପରିବାର କେମିତି ଗ୍ରହଣ କରୁଛନ୍ତି ତାକୁ ନେଇ କାହାଣୀ ଗତିଶୀଳ ହୋଇଛି।

ଏଥିରେ ଅଙ୍କିତ, ହିରଣ୍ୟମୟୀ, ଡେଜି, ସୋମା ହୋତା, ନମିତା ପ୍ରମୁଖ ଚରିତ୍ରରେ ଅଭିନୟ କରୁଛନ୍ତି। ଏବେ ଜି ସାର୍ଥକରେ ପ୍ରସାରିତ ହେଉଥିବା ମେଗାଧାରାବାହିକ ‘ମୋ ଅଗଣାର ତୁଳସୀ ତୁ’ର ନିର୍ଦ୍ଦେଶନା ଦେଉଛନ୍ତି ସରୋଜ ଦାସ, ସଂଳାପ ରଚନା କରୁଛନ୍ତି ଆଲୋକ ରାୟ ଏବଂ ପ୍ରଯୋଜନା କରୁଛନ୍ତି ବିଜୟ କାଣ୍ଡୋଇ।

ସମ୍ବନ୍ଧିତ ଖବର