ମେଗାଷ୍ଟାର ଅମିତାଭଙ୍କୁ ଦାଦା ସାହେବ ଫାଲ୍‌କେ ପୁରସ୍କାର

ମୁମ୍ବାଇ: ବଲିଉଡ୍‌ର ମେଗାଷ୍ଟାର ଅମିତାଭ ବଚ୍ଚନଙ୍କୁ ଚଳିତ ବର୍ଷ ମର୍ଯ୍ୟଦାଜନକ ଦାଦା ସାହେବ ଫାଲ୍‌କେ ପୁରସ୍କାର ପ୍ରଦାନ କରାଯିବ। ଆଜି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଟ୍ବିଟ୍‌ କରି ଏହି ସୂଚନା ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ତାଙ୍କ ଟ୍ବିଟ୍‌ରେ ଉଲ୍ଲେଖ କରିଛନ୍ତି, କିମ୍ବଦନ୍ତୀ କଳାକାର ଅମିତାଭ୍‌ ବଚ୍ଚନ ଯିଏକି ଦୁଇ ପିଢ଼ି ଧରି ଦର୍ଶକମାନଙ୍କୁ ଭରପୂର ମନୋରଞ୍ଜନ ଦେଇଛନ୍ତି, ତାଙ୍କୁ ଚଳିତବର୍ଷ ଦାଦା ସାହେବ ଫାଲ୍‌କେ ପୁରସ୍କାର ମିଳୁଥିବାରୁ ସମଗ୍ର ଦେଶ ଓ ଅନ୍ତର୍ଜାତୀୟ ଗୋଷ୍ଠୀ ଖୁସି ଅଛନ୍ତି। ବଲିଉଡ଼୍‌ର ସର୍ବାଧିକ ଲୋକପ୍ରିୟ ଅଭିନେତା ଅମିତାଭ ବଚ୍ଚନ ପ୍ରଖ୍ୟାତ କବି ହରିବଂଶ ରାୟ ବଚନଙ୍କ ସୁପୁତ୍ର ଏବଂ ୧୯୪୨ ଅକ୍ଟୋବର ୧୧ ତାରିଖରେ ତାଙ୍କର ଜନ୍ମ। ଟେଲିଭିଜନ ପ୍ରୋଗ୍ରାମ୍‌ ‘କୌନ୍ ବନେଗା କରୋଡ଼ପତି’କୁ ସର୍ବାଧିକ ଲୋକପ୍ରିୟ କରାଇବାରେ ତାଙ୍କର ଭୂମିକା ସବୁଠୁ ଗୁରୁତ୍ବପୂର୍ଣ୍ଣ । ଅମିତାଭ୍‌ ବଚ୍ଚନ ହେଉଛନ୍ତି ପ୍ରଥମ ଏସୀୟ ବ୍ୟକ୍ତି, ଯାହାଙ୍କର ମହମ ମୂର୍ତ୍ତି ଲଣ୍ଡନର ମାଡମ୍‌ ତୁଷାଦ ମ୍ୟୁଜିୟମ୍‌ରେ ସ୍ଥାନ ପାଇଥିଲା। ଭାରତ ସରକାର ତାଙ୍କୁ ୧୯୮୪ରେ ପଦ୍ମଶ୍ରୀ, ୨୦୦୧ରେ ପଦ୍ମଭୂଷଣ ଏବଂ ୨୦୧୫ରେ ପଦ୍ମବିଭୂଷଣ ସମ୍ମାନ ପ୍ରଦାନ କରିଛନ୍ତି। ବଚ୍ଚନଙ୍କୁ ବଲିଉଡ଼୍‌ର ‘ଆଙ୍ଗ୍ରି ୟଙ୍ଗମ୍ୟାନ୍‌’ ବୋଲି କୁହାଯାଇଥାଏ। ସଚ୍ଚିନ୍ ତେନ୍ଦୁଲକରଙ୍କୁ ଯେମିତି କ୍ରିକେଟ୍‌ର ଭଗବାନ ବୋଲି କୁହାଯାଏ, ଅନୁରୂପ ଭାବେ ବିଗ୍‌ ବିଙ୍କୁ ଅଭିନୟ ଜଗତର କିମ୍ବଦନ୍ତୀ ପୁରୁଷ ଭାବେ ଚିତ୍ରଣ କରାଯାଇଥାଏ।

ସମ୍ବନ୍ଧିତ ଖବର