ସ୍ମରଣୀୟ ସତ୍ୟଜିତ

ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା-ନିର୍ଦ୍ଦେଶକ ସତ୍ୟଜିତ ରାୟଙ୍କ ୧୦୦ତମ ଜନ୍ମତିଥି ଆଗାମୀ ମେ’ ମାସରେ ପାଳନ କରାଯିବ। ଏଥିପାଇଁ କେବଳ ବଙ୍ଗଳା କି ହିନ୍ଦୀ ସିନେମା ଜଗତ ନୁହେଁ, ଭାରତ ସରକାର, ପଶ୍ଚିମବଙ୍ଗ ସରକାର ଏପରିକି ସାରା ଦେଶର ସତ୍ୟଜିତ୍‌ପ୍ରେମୀ ମଧ୍ୟ ଏହି ଜନ୍ମତିଥି ପାଳନରେ ନିଜକୁ ସହଭାଗୀ କରିବାକୁ ଆଗଭର ହେଇଛନ୍ତି। ସତ୍ୟଜିତ ରାୟ ଏକାଧାରରେ ଜଣେ ସିନେମା ନିର୍ଦ୍ଦେଶକ, ସଂଳାପ ଲେଖକ, ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାତା, ଉପନ୍ୟାସ ଲେଖକ, ଗୀତିକାର, ସଙ୍ଗୀତ ନିର୍ଦ୍ଦେଶକ ପତ୍ରିକା ସମ୍ପାଦକ ଏବଂ ଚିତ୍ରଶିଳ୍ପୀ ଥିଲେ। ତାଙ୍କ ନିର୍ମିତ ଚଳଚ୍ଚିତ୍ର ବିଶ୍ବ ସିନେଜଗତକୁ ପ୍ରଭାବିତ କରିଥିଲା। ତାଙ୍କର ଏହି ଅବିସ୍ମରଣୀୟ ଅବଦାନ ପାଇଁ ତାଙ୍କୁ ଭାରତ ସରକାର ମର୍ଯ୍ୟାଦାଜନକ ‘ଭାରତ ରତ୍ନ’ ଉପାଧିରେ ବିଭୂଷିତ କରିଛନ୍ତି।

ସତ୍ୟଜିତ ୧୯୨୧ ମେ’ ୨ତାରିଖରେ ନଦିଆ ଜିଲ୍ଲାର ଚକଦା ଗାଁରେ ଜନ୍ମଗ୍ରହଣ କରିଥିଲେ। ମାତ୍ର ୧୫ ବର୍ଷ ବୟସ ହେଇଥିବା ବେଳେ ସେ ବଙ୍ଗଳା ସିନେମା ପ୍ରତି ଆକୃଷ୍ଟ ହେଇଥିଲେ। ସେ ପ୍ରତିଟି ନୂଆ ଚଳଚ୍ଚିତ୍ର ଦେଖୁଥିଲେ ଏବଂ ପ୍ରତି ଚଳଚ୍ଚିତ୍ରର ସମୀକ୍ଷା ନିଜ ଖାତାରେ ଲେଖୁଥିଲେ। ଏହା ତାଙ୍କର ଅଭ୍ୟାସରେ ପରିଣତ ହେଇଯାଇଥିଲା। ପ୍ରେସିଡେନ୍ସ କଲେଜରେ ପଢ଼ୁଥିବା ବେଳେ ସିନେମା ତାଙ୍କ ପାଇଁ ନିଶାରେ ପରିଣତ ହେଇଯାଇଥିଲା। ପଢ଼ା ସରିବା ପରେ ସେ ଏକ ବିଜ୍ଞାପନ ଏଜେନ୍ସିରେ ଚିତ୍ରକର ଭାବେ ଯୋଗ ଦେଇଥିଲେ। ଦେଶ ସ୍ବାଧୀନ ହେବା ପରେ ସେ କୋଲକାତାରେ ଏକ ଫିଲ୍ମ ସୋସାଇଟି ପ୍ରତିଷ୍ଠା କରି ଏହା ମାଧ୍ୟମରେ ନିୟମିତ ସିନେମା ପ୍ରଦର୍ଶିତ କରିବା ସହ ସିନେମା ସମ୍ପର୍କରେ ଚର୍ଚ୍ଚା କରୁଥିଲେ। ସେହି ସମୟରେ ବଙ୍ଗଳା ଭାଷାରେ ପ୍ରକାଶିତ କିଛି ଖବର କାଗଜରେ ତାଙ୍କ ଲିଖିତ ସିନେମା ସମ୍ପର୍କିତ ସମାଲୋଚନାତ୍ମକ ଲେଖା ପ୍ରକାଶ ପାଉଥିଲା। ସେ ଭାବିଥିଲେ ତାଙ୍କ ସମାଲୋଚନା ବଙ୍ଗଳା ସିନେମାର ଚିରାଚରିତ ଧାରାରେ ପରିବର୍ତ୍ତନ ଆଣିବ। ହେଲେ ସେମିତି କିଛି ଘଟି ନଥିଲା। ଏହା ମଧ୍ୟରେ ସେ ବିଭୂତି ଭୂଷଣ ବନ୍ଦୋପାଧ୍ୟାୟଙ୍କ ଲିଖିତ ‘ପଥେର୍‌ ପାଞ୍ଚାଲି’ ଉପନ୍ୟାସ ପୁସ୍ତକର ପ୍ରଚ୍ଛଦ ଛବି ଆଙ୍କି ସାରିଥିଲେ। ୧୯୫୦ରେ ତାଙ୍କୁ ଇଂଲଣ୍ଡରେ ଥିବା ତାଙ୍କ ଅଫିସର୍‌ ମୁଖ୍ୟ କାର୍ଯ୍ୟାଳୟକୁ ଯିବାକୁ ପଡ଼ିଲା। ସେଠାରେ ରହିବା ସମୟରେ ସେ ୯୯ଟି ଚଳଚ୍ଚିତ୍ର ଦେଖିଥିଲେ। ଭିଟୋରିଓ ଡି. ସିକାଙ୍କ ସମାନ୍ତରାଳ ସିନେମା ‘ବାଇସାଇକେଲ୍ ଥିଭସ’ ତାଙ୍କୁ ଗଭୀର ଭାବେ ପ୍ରଭାବିତ କରିଥିଲା। ସେହି ଚଳଚ୍ଚିତ୍ରଟି ଦେଖି ସେ ପ୍ରେକ୍ଷାଳୟରୁ ବାହାରିବା ବେଳେ ପ୍ରତିଜ୍ଞା କରିଥିଲେ, ସେ ଚଳଚ୍ଚିତ୍ର ନିର୍ମାଣ କରିବେ।

୧୯୫୨ରେ ସେ ଉପନ୍ୟାସ ‘ପଥେର ପାଞ୍ଚାଲି’କୁ ନେଇ ସିନେମା ତିଆରି କରିବା ଆରମ୍ଭ କଲେ। ପ୍ରାୟ ଅଢ଼େଇ ବର୍ଷର ସୁଟିଂ ପରେ ଏହି ସିନେମାଟି ୧୯୫୫ରେ ମୁକ୍ତିଲାଭ କଲା। ଏହି ସିନେମାଟି ବିଶ୍ବ ସିନେମା ଜଗତରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିଲା। ସେ ଜୀବନକାଳ ମଧ୍ୟରେ ୨୯ଟି ସିନେମା ନିର୍ମାଣ କରିଥିଲେ। ତାଙ୍କର ସଫଳ ସିନେମା ମଧ୍ୟରେ ଅଭିନେତା ସୌମିତ୍ର ଚାଟାର୍ଜୀ ହିଁ ମୁଖ୍ୟ ଚରିତ୍ର ସାଜିଥିଲେ। ବିଂଶ ଶତାବ୍ଦୀର ପଞ୍ଚମ ଓ ଷଷ୍ଠ ଦଶକରେ ୟୁରୋପରେ ସିନେମା ବିପ୍ଳବ ଚାଲିଥିବା ବେଳେ କେବଳ ଦୁଇଜଣ ପ୍ରାଚ୍ୟ ନିର୍ଦ୍ଦେଶକ ବିଶ୍ବବ୍ୟାପୀ ଚହଳ ସୃଷ୍ଟି କରିଥିଲେ, ସେମାନେ ଥିଲେ, ଭାରତର ସତ୍ୟଜିତ ରାୟ ଏବଂ ଜାପାନର ଆଜିରୋ କୁରୋସାୱା। ସତ୍ୟଜିତଙ୍କ ଚଳଚ୍ଚିତ୍ରଗୁଡ଼ିକ ଆଗକୁ ଯାଇ ଫ୍ରାନ୍ସିସ୍ ଫୋର୍ଡ କପୋଲା, ମାର୍ଟିନ୍ ସ୍କୋର୍ସିଜି, ଷ୍ଟାନଲୀ କୁବ୍ରିଜ, ଷ୍ଟିଭେନ୍ ସ୍ପଲବର୍ଗ, ଓ ଏଲିଆ କାଜନଙ୍କ ପରି ଅନେକ ବିଶ୍ବବିଖ୍ୟାତ ସିନେମା ନିର୍ମାତାଙ୍କୁ ପ୍ରଭାବିତ କରିପାରିଥିଲା। ଅପରିଚିତ ଓ ଅନଭିଜ୍ଞ କଳାକାରଙ୍କୁ ନେଇ ବାସ୍ତବ ଜୀବନର ଅତି ପରିଚିତ ଚରିତ୍ରରେ ରୂପାନ୍ତରିତ କରିବାରେ ସତ୍ୟଜିତ ଥିଲେ ସିଦ୍ଧହସ୍ତ।

ପୁରୀ ଜଗନ୍ନାଥ ମନ୍ଦିରକୁ ଶ୍ରୀଚୈତନ୍ୟଙ୍କ ଆଗନର କାହାଣୀ ଉପରେ ପର୍ଯ୍ୟବସିତ ଚଳଚ୍ଚିତ୍ର ‘ନୀଳାଚଳେ ମହାପ୍ରଭୁ’ ଥିଲା ସତ୍ୟଜିତଙ୍କ ଅବିସ୍ମରଣୀୟ ସିନେ ସୃଷ୍ଟି। ଏହାବ୍ୟତୀତ ଅପର ସଂସାର, ଅପରାଜିତ, ଅଭିଯାନ, ଆଶଣି ସଂକେତ, ଚାରୁଲତା, କାପୁରୁଷ, ଗଣଶତ୍ରୁ, ଦେବୀ, କାଞ୍ଚନଜଙ୍ଘା, ନଷ୍ଟନୀଡ଼, ମହାନଗର, ତିନକନ୍ୟା, ମହାପୁରୁଷ, ନାୟକ, ବଙ୍କୁ ବାବୁର ବନ୍ଧୁ, ଅରଣ୍ରେର ଦିନରାତ୍ରି, ପ୍ରତିଦ୍ବନ୍ଦ୍ବୀ, ସୀମାବଦ୍ଧ, ଜନ ଅରଣ୍ୟ, ହୀରକ ରାଜାର ଦେଶେ, ପିକୁ, ଘରେ ବାଇରେ, ଶାଖା ପ୍ରଶାଖା, ଆଗନ୍ତୁକ, ହିନ୍ଦୀ ସିନେମା ସତରଞ୍ଜ କେ ଖିଲାଡ଼ି, ହିନ୍ଦୁସ୍ତାନୀ ଆଦି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇ ସେ ଅନେକ ଅପ୍ରତିଦ୍ବନ୍ଦ୍ବୀ ସିନେ ସ୍ରଷ୍ଟାଙ୍କୁ ଚକିତ କରିଥିଲେ।

ସମ୍ବନ୍ଧିତ ଖବର