ପିଲାଦିନ ଚାଲିଯାଏ ହେଲେ ପିଲାଦିନର ସ୍ମୃତି କେବେ ବି ପିଛା ଛାଡ଼େନି। ବୟସ ବଢ଼ିବା ସାଥେ ସାଥେ ପିଲାଦିନେ ଘଟିଥିବା ଖଟାମିଠା କଥା ସବୁ ବେଶି ବେଶି ମନେପଡ଼େ। ସ୍ମୃତି ଅଧିକ ଅଧିକ ପାକଳ ହେବାକୁ ଲାଗେ। କେବେ ନା କେବେ ଏକାନ୍ତରେ ଆସି ଓଠରେ ହସ ଦିଏ, ନହେଲେ ଆଖିରେ ଦୁଇ ଧାର ଲୁହ। ଆଜି ଆମ ସହ ପିଲାଦିନର ସ୍ମୃତିକୁ ବାଣ୍ଟିଛନ୍ତି ଜଣାଶୁଣା ହାସ୍ୟାଭିନେତା ତଥା ଓଲିଉଡ୍ର ଚିହ୍ନା ଚେହେରା ଜୀବନ ପଣ୍ଡା।
ବନ୍ଦନା ମିଶ୍ର୍ର
ଅଭିନେତା ଜୀବନ ପଣ୍ଡାଙ୍କ ମନଛୁଆଁ ଅଭିନୟ ଆମେ ‘ଲଭ୍ ଷ୍ଟେସନ୍’, ‘ଲଭ୍ ପାଇଁ କୁଛ୍ ଭି କରେଗା’, ‘ଗୋଲ୍ମାଲ୍ ଲଭ୍’, ‘ପିଲାଟା ବିଗିଡ଼ିଗଲା’, ‘ସଞ୍ଜୁ-ସଞ୍ଜନା’, ‘ସୁପର୍ ମିଛୁଆ’ ଭଳି ବହୁ ଚଳଚ୍ଚିତ୍ରରେ ଦେଖିଛେ। ଓଡ଼ିଆ ଚଳଚ୍ଚିତ୍ରର ଲୋକପ୍ରିୟ ହାସ୍ୟାଭିନେତା ବାପା ରାଧା ପଣ୍ଡାଙ୍କ ପଦାଙ୍କ ଅନୁସରଣ କରି ସେ ବି ହାସ୍ୟାଭିନୟରେ ମନୋନିବେଶ କରିଛନ୍ତି। ତେବେ ଅଭିନୟ ବ୍ୟତୀତ ଚିତ୍ର କରିବା ଓ ଲେଖାଲେଖି ପ୍ରତି ବି ତାଙ୍କର ରୁଚି ରହିଛି। ପିଲାଦିନେ ସେ ମାଟି, ପାଣି ଓ ବ୍ୟାଟେରି ଭିତରୁ ବାହାରୁଥିବା କଳା କାର୍ବନ୍କୁ ମିଶ୍ରଣ କରି ଚମତ୍କାର ଚିତ୍ର ସବୁ ଆଙ୍କୁଥିଲେ। ବାପାଙ୍କ ସମର୍ଥନ ଓ ପ୍ରେରଣା ପାଇ ସେ ଏପରି ନିଆରା କଳାକୁ ଆପଣାଇଥିଲେ। ଏକ ଶୃଙ୍ଖଳିତ ପରିବାରରେ ବଢ଼ିଥିବାରୁ ଜୀବନ ବିଶେଷ ଦୁଷ୍ଟାମି କରିବାର ସୁଯୋଗ ପାଇନାହାନ୍ତି। ହେଲେ ପିଲାଦିନର କିଛି କଥା ଆଜି ମଧ୍ୟ ତାଙ୍କୁ ଆନ୍ଦୋଳିତ କରେ ଏବଂ ସେ ସେସବୁକୁ ମନେପକାଇ ଆତ୍ମବିଭୋର ହୋଇଉଠନ୍ତି।
‘‘ପିଲାଦିନରୁ ମୋର ସିନେମା ପ୍ରତି ପ୍ରବଳ ଆକର୍ଷଣ ଥାଏ। ୧୯୮୧ ମସିହାର କଥା। ସେତେବେଳେ ଅମିତାଭ ବଚ୍ଚନଙ୍କ ସିନେମା ‘ଲାୱାରିସ୍’ ଆସିଥାଏ। ସେ ଫିଲ୍ମରେ ଅମିତାଭ ବଚ୍ଚନ ଗାଇଥିବା ‘ମେରେ ଅଙ୍ଗନେ ମେଁ ତୁହ୍ମାରା କ୍ୟା କାମ୍ ହେ..’ ଗୀତଟି ଖୁବ୍ ଲୋକପ୍ରିୟ ହୋଇଥାଏ। ‘ଲାୱାରିସ୍’ ଭୁବନେଶ୍ବରର ଶ୍ରୀୟା ଟକିଜ୍ରେ ପଡ଼ିଥାଏ । ଆମେ ୪/୫ ଜଣ ସାଙ୍ଗ ସିନେମାଟି ଦେଖିବାକୁ ଯୋଜନାକଲୁ ଏବଂ ଦେଖିବାକୁ ଗଲୁ ମଧ୍ୟ। ସଂଧ୍ୟା ସୋ’ ଯାଇଥାଉ ଏବଂ ସିନେମା ସରୁ ସରୁ ରାତି ୯ଟା ହୋଇଗଲା। ହେଲେ ଦୁର୍ଭାଗ୍ୟକୁ ସିନେମା ସରିବା ପରେ ଆମେ ହଲ୍ରୁ ବାହାରି ଦେଖୁ ତ ପ୍ରବଳ ବର୍ଷା ଚାଲିଛି। ପଦାକୁ ବାହାରିଲା ମାନେ ଓଦା। ଏପଟେ ଆମର ବିଳମ୍ବ ହେଉଥାଏ। ସେପଟେ ଘରେ ଆମେ କାହାକୁ କିଛି ନକହି ସିନେମା ଦେଖିବାକୁ ଆସିଥାଉ। କାଳେ ଘରେ ଛାଡ଼ି ନଥାନ୍ତେ ବୋଲି ଆମେ ସମସ୍ତେ ଲୁଚିକି ଆସିଥିଲୁ। ଚିନ୍ତାରେ ପଡ଼ିଗଲୁ, ପ୍ରବଳ ବର୍ଷାରେ ସାଇକେଲ୍ ନେଇ ଘରକୁ ଫେରିବୁ କେମିତି? ହଲ୍ରୁ ଘର ଅତିକମ୍ରେ ଅଧଘଣ୍ଟାର ରାସ୍ତା। ଯାହାବି ହେଉ, ବର୍ଷା ଟିକେ କମିଲାରୁ ଆମେ ଘରକୁ ଫେରିଲୁ। ଘରେ ପହଞ୍ଚୁ ପହଞ୍ଚୁ ରାତି ୧୦ ପାର୍। ସେଦିନ ଘରେ ଯେଉଁ ଗାଳି, ଆଉ କୁହନ୍ତୁନି। ତା’ପରଠୁ ଆଉ ସେପରି ଭୁଲ୍ ହୋଇନାହିଁ। ସେ ଦିନ ଚାଲିଯାଇଛି, କ’ଣ ଗାଳି ଶୁଣିଥିଲି ତାହା ବି ଭୁଲିଯାଇଛି। ହେଲେ କିପରି ସିନେମା ଦେଖିବା ପରେ ସାଙ୍ଗମାନଙ୍କ ସହ ବର୍ଷାରେ ଭିଜି ଭିଜି ଘରକୁ ଫେରିଥିଲି ସେ ସ୍ମୃତି ଏବେ ବି ସ୍ପଷ୍ଟ ମନେଅଛି।’’