ଓଡ଼ିଆ ଚଳଚ୍ଚିତ୍ର ଓ ଧାରାବାହିକ କ୍ଷେତ୍ରରେ ଏକ ପରିଚିତ ନାମ ପରାଗ ପଟ୍ଟନାୟକ। ଦୀର୍ଘ ୫୦ ବର୍ଷ ଧରି ସେ ଅଭିନୟ ଦୁନିଆରେ ସକ୍ରିୟ ଅଛନ୍ତି। ୧୯୮୦ ଦଶକରୁ ମଞ୍ଚ ଅଭିନୟରୁ କ୍ୟାରିୟର୍ ଆରମ୍ଭ କରିଥିବା ପରାଗ ପଟ୍ଟନାୟକ ଦୂରଦର୍ଶନର ଅନେକ ଲୋକପ୍ରିୟ ଧାରାବାହିକରେ ଭିନ୍ନ ଭିନ୍ନ ଚରିତ୍ରରେ ଆସି ଦର୍ଶକ ମହଲରେ ପରିଚିତି ହାସଲ କରିଥିଲେ। ଏ ମଧ୍ୟରୁ ଦୂରଦର୍ଶନରେ ପ୍ରସାରିତ ଧାରାବାହିକ ‘ସୁନାକାଇଁଚ’, ‘ଆକାଶ କୟାଁ ଚିଲିକା ମାଛ’, ‘ସାତ କଳସ ଆଠ ଦୀପ’ ଓ ‘ସିଆଇଡି’ ଅନ୍ୟତମ। ଦୂରଦର୍ଶନର ଟେଲିଫିଲ୍ମ ‘ଧୀରପାଣି ପଥରକାଟେ’ରେ ତାଙ୍କ ଅଭିନୟ ବି ଥିଲା ଚମତ୍କାର। ଏଥିସହ ସେ ବେଶ୍ କେତୋଟି ଓଡ଼ିଆ ଚଳଚ୍ଚିତ୍ରରେ ସହ-ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ। ଏହି କ୍ରମରେ ପ୍ରଶାନ୍ତ ନନ୍ଦଙ୍କ ‘େଗାଲାମ୍ଗିରି’ ଥିଲା ତାଙ୍କର ପଦାର୍ପଣ ଛବି। ଶ୍ରୀ ପଟ୍ଟନାୟକ ଦୂରଦର୍ଶନରେ ବହୁ ଟେଲିଫିଲ୍ମ ଓ ବୃତ୍ତଚିତ୍ର ମଧ୍ୟ ପ୍ରସ୍ତୁତ କରିଥିଲେ। ସଂପ୍ରତି ତରଙ୍ଗରେ ପ୍ରସାରିତ ଧାରାବାହିକ ‘ତାରିଣୀ ଆଖିର ତାରା’ରେ ତାରିଣୀର ଜେଜେ ଏବଂ ଜୀସାର୍ଥକର ‘ତୁ ଖରା ମୁଁ ଛାଇ’ରେ ବାବା ଚରିତ୍ରକୁ ଦର୍ଶକ ପସନ୍ଦ କରିଛନ୍ତି। ଏହାବାଦ୍ ଟେଲିସିନେମା ‘ମହିଷାସୁର’ ଓ ‘ରୋବୋଟ୍’ରେ ମଧ୍ୟ ସେ ଅଭିନୟ କରିଛନ୍ତି। ବର୍ଷୀୟାନ୍ ଅଭିନେତା-ନିର୍ଦ୍ଦେଶକ ପରାଗ ପଟ୍ଟନାୟକ ବଖାଣିଛନ୍ତି ତାଙ୍କ ସ୍କୁଲ୍ ବେଳର ଏକ ମଜାଦାର କାହାଣୀ।
ବନ୍ଦନା ମିଶ୍ର୍ର
‘‘୧୯୭୦ ମସିହାର କଥା। ମୁଁ ଭୁବନେଶ୍ବରର କ୍ୟାପିଟାଲ୍ ହାଇସ୍କୁଲ୍ରେ ନବମ ଶ୍ରେଣୀରେ ପଢୁଥାଏ। ମୁଁ ପାଠ ଭଲ ପଢୁଥିଲି, କିନ୍ତୁ ମୋର ଦୁଇଟି ଦୁର୍ବଳତା ଥିଲା-କ୍ରିକେଟ୍ ଖେଳିବା, ଆଉ ସିନେମା ଦେଖିବା। ପ୍ରତ୍ୟେକ ଗୁରୁବାର ଦିନ କଳ୍ପନା ସିନେମା ହଲ୍ରେ ନୂଆ ସିନେମା ପଡ଼େ। ମୁଁ ଆଉ ମୋ ସାଙ୍ଗ ଦିଲୁ ସ୍କୁଲ୍ରୁ ଲୁଚିକି ଯାଇ ମ୍ୟାଟିନି ସୋ’ରେ ସିନେମା ଦେଖିବାଟା ଥୟ। ଫକୀର ସାର୍ ଆମକୁ ଗଣିତ ପଢ଼ାଉଥିଲେ। ଭାରି କଡ଼ା ମିଜାଜର ଶିକ୍ଷକ। ସବୁବେଳେ ଆମକୁ କ୍ଲାସ୍ରେ କହନ୍ତି, ସିନେମା ଦେଖିଲେ ପିଲାମାନେ ତୁମ ଚରିତ୍ର ଖରାପ ହେଇଯିବ। ଯଦି ଜାଣିବି, କିଏ ସିନେମା ଦେଖୁଛ, ମାରିକି ପିଠି ଫଟେଇଦେବି। ବାପା-ମା’ଙ୍କ ପାଖକୁ ଚିଠି ପଠାଇଦେବି। ସାର୍ ଏସବୁ କହିବା ବେଳେ ଦିଲୁ ଆଉ ମୁଁ କିଛି ନ ଜାଣିଲା ଭଳିଆ ଚୁପ୍ ରହୁ। କିନ୍ତୁ ପ୍ରତି ଗୁରୁବାର ଲୁଚି ଲୁଚି ସିନେମା ଦେଖିବାଟା ସେମିତି ଚାଲିଥାଏ। କଳ୍ପନାରେ ରିଲିଜ୍ ହେଲା ‘ପ୍ରେମ୍ ପୂଜାରୀ’। ଦେବ୍ ଆନନ୍ଦ୍ ଓ ୱାହିଦା ରହମନ୍ଙ୍କ ଫିଲ୍ମ। ଆମେ ହଲ୍ରେ ପହଞ୍ଚିଲା ବେଳକୁ ପ୍ରବଳ ଭିଡ଼। ଟିକେଟ କାଉଣ୍ଟର୍ରେ ଧସ୍ତାଧସ୍ତି। ଦିଲୁ ଆଗରେ କାଉଣ୍ଟର୍ ଭିତରେ ହାତ ପୂରେଇ ଦେଇଥାଏ। ମୁଁ ତା’ କଡ଼ରେ ଭିଡ଼ ପେଲିବାରେ ବ୍ୟସ୍ତ।
ହଠାତ୍ ମୋ ସାର୍ଟ କଲାର୍ ଧରି କିଏ ପଛରୁ ଜୋର୍ରେ ଟାଣିଲା। ମୁଁ ରାଗରେ ପଛକୁ ବୁଲି ଚାହିଁଲା ବେଳକୁ ଫକୀର ସାର୍। ମୁଣ୍ଡ ଟିଣ ହୋଇଗଲା। ମୁଁ କ’ଣ କହିବି ଭାବୁଛି, ସାର୍ ମୋ ହାତକୁ ଦି’ଟଙ୍କିଆ ନୋଟ୍ଟିଏ ବଢ଼େଇଦେଇ କହିଲେ, ‘‘ଦିଲୁକୁ କହ ଆଉ ଗୋଟେ ମୋ ପାଇଁ ଆଣିବ।’’ ସାର୍ଙ୍କୁ ତାଙ୍କ ଟିକଟଟା ବଢ଼େଇଦେଇ ଦୁଇ ସାଙ୍ଗ ହଲ୍ରେ ପଶିଲୁ। ସିନେମା ଯେମିତି ଆରମ୍ଭ ହେଇଛି ଆମେ ଦି’ଜଣ ଲୁଚିକି ପାର୍। ଆମେ ଭାବିଲୁ ସ୍କୁଲ୍ ଗଲେ ସାର୍ଙ୍କଠୁ ଗାଳି ଶୁଣିବା ଥୟ। ତା’ ପରଦିନ ସାର୍ ଆମକୁ ଦେଖିଲେ, କିନ୍ତୁ କିଛି କହିଲେ ନାହିଁ। ମନରେ ଛନକା ପଶିଗଲା- ଘରକୁ ଚିଠି ଲେଖିଦେଲେ କି? ସ୍କୁଲ୍ ଛୁଟି ହେବା ପରେ ମୋତେ ଏକୁଟିଆ ଡାକି କହିଲେ, ‘‘କାଲି ଯାହା ଘଟିଲା କାହାକୁ କହିବନି, ନ ହେଲେ ମା ରି କି ...!!’’