ବନ୍ଦନା ମିଶ୍ର୍ର

Advertisment

କେବଳ ‘ଜୟୀ’ ଶବ୍ଦଟି ଉଚ୍ଚାରଣ କରିଦେଲେ ଯଥେଷ୍ଟ। ଓଡ଼ିଆ ଦର୍ଶକଙ୍କ ପାଇଁ ଆଉ ଅଧିକ କିଛି ପରିଚୟ ଲୋଡ଼ାନାହିଁ। ଓଡ଼ିଆ ଚଳଚ୍ଚିତ୍ର ହାସ୍ୟାଭିନୟରେ ସେ ବେତାଜ୍‌ ବାଦ୍‌ଶାହ। ‘ଜୟୀ’ ନାମରେ ପରିଚିତ ଜୟୀରାମ ସାମଲଙ୍କୁ ପ୍ରଥମ ସୁଯୋଗ ମିଳିଥିଲା ‘ସ୍ତ୍ରୀ’ ସିନେମାରେ। ପରେ ସେ  ‘ଯାଯାବର’, ‘ନାଗଫାଶ’ ଓ ‘ମା ଓ ମମତା’ ଆଦି ସିନେମାରେ ଅଭିନୟ କରି ଦର୍ଶକଙ୍କ ମନ ଛୁଇଁଥିଲେ। ହେଲେ ୧୯୮୨ ମସିହାରେ ମୁକ୍ତିଲାଭ କରିଥିବା ‘ଫୁଲ ଚନ୍ଦନ’ର ଡାକଅଜା ଚରିତ୍ର ପାଇଁ ଘରେ ଘରେ ପରିଚିତ ହୋଇଥିଲେ ସେ। ଦୀର୍ଘ ୫ ଦଶନ୍ଧି ମଧ୍ୟରେ ୨୦୦ରୁ  ଅଧିକ ଓଡ଼ିଆ ଛବିରେ ଅଭିନୟ କରିଥିବା ଜୟୀ ତାଙ୍କ ଜୀବନର ଅଭୁଲା ସ୍ମୃତି ବଖାଣିଛନ୍ତି।

‘‘ମୁଁ ସେତେବେଳେ କଟକ ଅନ୍ନପୂର୍ଣ୍ଣା ଥିଏଟରରେ ଅଭିନୟ କରୁଥାଏ। ଅନ୍ନପୂର୍ଣ୍ଣା ଥିଏଟରରୁ ନାଟକ ସାରି ମୁଁ ପ୍ରତିଦିନ ବକ୍ସି ବଜାରରୁ ରାତି ୧୦. ୩୦-୧୧ଟା ବେଳେ ପାଖାପାଖି ୪ କିଲୋମିଟର୍ ରାସ୍ତା ଚାଲି ଚାଲି ଘରକୁ ଫେରେ। ସେ ସମୟରେ ରାତି ୮-୯ ହୋଇଗଲେ କଟକର ରାସ୍ତାଘାଟ ପୂରା ଶୂନ୍‌ଶାନ୍‌ ହୋଇ ଯାଉଥିଲା। ମୁଁ ଚଣ୍ଡୀ ମନ୍ଦିର ପାଖରୁ ତୁଳସୀପୁର ଯିବା ବାଟରେ କନିକା ଛକ ପଡ଼େ। ସେଦିନ ଅନ୍ଧାର ରାସ୍ତାକୁ ପୁଣି ବର୍ଷା ହୋଇଥାଏ। ରାସ୍ତା ପୂରା ନିଛାଟିଆ। କନିକା ଛକରେ ମୋତେ ଅଚାନକ କିଛି ଗୋଟେ ଜନ୍ତୁ ଦେଖାଗଲା। ମୁଁ ପ୍ରଥମେ ତାକୁ ବାଛୁରୀ ବୋଲି ଭାବିଲି। ଭୟ ବି କାହିଁକି ବା କରିବି! ମୋର ଧାରଣା ଥାଏ ଯେ ବାଛୁରୀଟା ରାସ୍ତାରେ ଛିଡ଼ା ହୋଇଛି। ହେଲେ ସେ ବାଛୁରୀ ନଥିଲା। ସେ ଥିଲା କନିକା ରାଜାଙ୍କ କୁକୁର। ମୋତେ ଦେଖୁ ଦେଖୁ ସେ ଭୁକିଲା ଆଉ ମୁଁ ଛାନିଆରେ ଦୌଡ଼ିବା ଆରମ୍ଭ କଲି। ଦୌଡ଼ି ଦୌଡ଼ି ଯାଇ ବିଜୁ ପଟ୍ଟନାୟକ ଛକରେ ଏକ କାନ୍ଥ କଡ଼ରେ ଛିଡ଼ା ହେଇଗଲି। କୁକୁର ସେଠି ରହିଗଲା ଓ ମୁଁ ସେଠୁ ଘରକୁ ଫେରିଲି। ଏ ଘଟଣା ମୁଁ କେବେ ଭୁଲିପାରିବିନି।’’

ରାଜାଘର କୁକୁର ଗୋଡ଼ାଇବା କାହାଣୀ ପରେ ଜୟୀଙ୍କୁ ଜୋକମାନେ କିଭଳି ହଟହଟା କରିଥିଲେ ତାହା ସେ ବର୍ଣ୍ଣନା କରିଛନ୍ତି। ‘‘ଓଡ଼ିଆ ଛବି ‘ନୀଳମାଧବ’ ସୁଟିଂ ସମୟର କଥା । ସେଥିରେ ମୋ ସହ ହାସ୍ୟ ଅଭିନେତା ଗଡ଼ି ବି ଅଭିନୟ କରୁଥାନ୍ତି। ସେ ବହୁତ ମୋଟା ଓ ମୁଁ ଖୁବ୍‌ ପତଳା। ସିନେମାର ଏକ ଦୃଶ୍ୟ ଥାଏ, ଯିଏ ପୋଖରୀରୁ କଇଁଫୁଲ ଆଣି ପ୍ରଥମେ ଦେବ ତାଙ୍କୁ ବିବାହ କରିବେ ବୋଲି ସର୍ତ୍ତ ରଖିଥା’ନ୍ତି। ଗଡ଼ି ଗଲେ ନାହିଁ। ମୁଁ ପଶିଗଲି ପୋଖରୀ ଭିତରକୁ। ମୁଁ ପୋଖରୀରୁ ବାହାରକୁ ବାହାରିଲା ବେଳକୁ ମୋ ଦେହ ସାରା ଜୋକ ଲାଗି ଯାଇଥାନ୍ତି। ସେ ଯେଉଁ ଅବସ୍ଥା! ଯେତେ ଛଡ଼େଇଲେ ବି ଦେହରୁ ଛାଡୁ ନଥାନ୍ତି। ମୁଁ ବିକଳରେ କାନ୍ଦିଲି। ସୁଟିଂସେଟ୍‌ରେ ଲୁଣଫୁଣ ମାରି ମୋ ଦେହରୁ ସେ ଜୋକ ସବୁ କଢ଼ାଗଲା। ତା’ପରେ ଯାଇ ମୁଁ ଆଶ୍ବସ୍ତ ହେଲି।’’