ବନ୍ଦନା ମିଶ୍ର୍ର
ସିନେମାର କାହାଣୀରେ ନାୟକନାୟିକାଙ୍କ ଗୁରୁତ୍ବ ଯେତିକି ପାର୍ଶ୍ବ ଅଭିନେତାଅଭିନେତ୍ରୀଙ୍କ ଗୁରୁତ୍ବ ବି ସେ ତୁଳନାରେ କିଛି କମ୍ ନୁହେଁ। କାରଣ ନାୟକନାୟିକାଙ୍କ ଚରିତ୍ରକୁ ବଳିଷ୍ଠ କରିବାରେ ପାର୍ଶ୍ବ ଚରିତ୍ରମାନଙ୍କର ଭୂମିକା ଉଲ୍ଲେଖନୀୟ। ଏହି କ୍ରମରେ ମନେପଡ଼ନ୍ତି ଓଲିଉଡ୍ର ବରିଷ୍ଠ ଅଭିନେତା ବ୍ରଜ ସିଂ। ୧୯୮୬ରୁ ‘ବଗୁଲାବଗୁଲି’ରୁ ସିନେଅଭିନୟ ଆରମ୍ଭ କରି ସେ ପାଖାପାଖି ଶହେ ଛବିରେ ଅଭିନୟ କରିଛନ୍ତି। କେବେ ସେ ହାସ୍ୟାଭିନୟରେ ଥାଆନ୍ତି ତ କେବେ ଖଳନାୟକୀରେ। ବିଭିନ୍ନ ରକମର ଚରିତ୍ରରେ ଅବତୀର୍ଣ୍ଣ ହୋଇ ଦର୍ଶକଙ୍କ ମନ ମୋହିଥିବା ବ୍ରଜ ସିଂ ତାଙ୍କର ପିଲାଦିନର ଏକ ସ୍ମୃତିକୁ ଆମ ସହ ବାଣ୍ଟିଛନ୍ତି।
ବ୍ରଜ ସିଂହ କହନ୍ତି, ‘‘ପିଲାଟି ଦିନରୁ ମୋର ସିନେମା ଦେଖିବା ଭାରି ପସନ୍ଦ ଥିଲା। ମୁଁ ସେତେବେଳେ ଅଷ୍ଟମ ଶ୍ରେଣୀରେ ପଢୁଥାଏ। ହିନ୍ଦୀ ଚଳଚ୍ଚିତ୍ରର ଦୁଇ ଲୋକପ୍ରିୟ ନାୟକ ଧର୍ମେନ୍ଦ୍ର ଓ ଜିତେନ୍ଦ୍ରଙ୍କ ଅଭିନୀତ ‘ଧରମବୀର’ ହଲ୍ରେ ପଡ଼ିଥାଏ। ସେ ସମୟରେ ସେହି ସିନେମାଟି ସୁପର୍ହିଟ୍ ହୋଇଥାଏ। ଏହା ଜାଣିବା ପରେ ‘ଧରମବୀର’ ଦେଖିବାକୁ ମୋ ମନ ଛନଛନ ହେଲା। ଘରେ ତ ସିନେମା ଦେଖିବାକୁ ଛାଡ଼ିବେନି। ମୁଁ ଜଣେ ପରିଚିତଙ୍କୁ କହି ୨ଟି ଟିକେଟ୍ ବନ୍ଦୋବସ୍ତ କଲି। ସେତେବେଳେ ବାଲ୍କୋନି ଟିକେଟ୍ ଦର ୨ ଟଙ୍କା ୧୦ ପଇସା। ଆଉ ତଳେ ବସିଲେ ପଛଟା ୧ଟଙ୍କା ୩୨ ଓ ଆଗଟା ଥାଏ ୧ଟଙ୍କା ୦୬ ପଇସା। ମୋତେ ଦୁଇଟି ୧.୩୨ ବାଲା ଟିକେଟ୍ ମିଳିଥାଏ। ମ୍ୟାଟିନି ସୋ’ ଥାଏ ୩ରୁ ୬। ମୁଁ ଘରେ ନକହି ଜଲ୍ଦି ଜଲ୍ଦି ସିନେମା ହଲ୍ ଆଡ଼େ ଧାଉଁଥାଏ। ହଠାତ୍ ବାଟରେ ଆମ ସାହିର ଜଣେ ପିଲା ମୋ ସହ ଦେଖା ହେଇଗଲା। ‘ଧରମବୀର’ ଟିକେଟ୍ ସେତେବେଳେ କଳାବଜାରୀ ହେଉଥାଏ। ମୋ ପାଖରେ ଯୋଡ଼େ ଟିକଟ ଅଛି ଜାଣି ସେ ମୋତେ ଅନୁନୟବିନୟ ହୋଇ ଗୋଟେ ଟିକେଟ୍ ମାଗିଲା। ମୁଁ ତା’ ହାତକୁ ଟିକେଟ୍ ବଢ଼େଇଦେଲି। ଆମେ ଦୁହେଁ ସାଙ୍ଗହୋଇ ଗଲୁ। ମୁଁ ଯାଇ ହଲ୍ରେ ବସି ସିନେମା ଦେଖିବା ଆରମ୍ଭ କରିଦେଲି।
ସିନେମାର ଗୋଟାଏ ସିନ୍ ଦେଖି ମୁଁ ଖୁସି ହୋଇ ସେ ପିଲାକୁ କ’ଣ ଗୋଟେ କହିବାକୁ କଡ଼ ମୋଡ଼ିଲାରୁ ଦେଖିଲି ସେ ସେଠି ନାହିଁ। ମୋ କଡ଼ରେ ଆଉ ଜଣେ ଲୋକ! ମାନେ ସେ ପିଲା ମୋଠାରୁ ଟିକେଟ୍ ନେଇ ଅନ୍ୟଜଣଙ୍କୁ ବ୍ଲାକ୍ରେ ବିକି ଦେଇ ଚାଲିଯାଇଛି। ଯାହା ହେଉ, ମୁଁ ସିନେମା ଦେଖିଲି। ଏମିତି ଅନେକ ସମୟ ବିତିଗଲା। ହଠାତ୍ ମୋ ଗୋଡ଼ଟା ତଳେ ଘଷି ହେବାରୁ ବାଲି ରଚ ରଚ ଲାଗିଲା। ପାଦଟା ତଳେ ଘୋଷାରି ହେବାରୁ ମୁଁ ଚପଲଟାକୁ ଖୋଜିଲି। ହେଲେ ଚପଲ ପାଇଲିନାହିଁ। ସେଇଠି ମୁଁ ଅନୁଭବ କଲି କି ସିନେମା ଦେଖିବା ପାଇଁ ମୁଁ ଯେଉଁଭଳି ନିଶାରେ ଦୌଡ଼ିଥିଲି; ଚପଲଟି ଅଧାବାଟରେ ମୋ ଗୋଡ଼ରୁ ଖସିଯାଇଛି। ହେଲେ ସିନେମା ନିଶା ମୋତେ ଏତେ ଘାରିଥିଲା ଯେ ମୁଁ ତାହା ଜାଣିପାରି ନାହିଁ। ବେଳେ ବେଳେ ଏକଥା ମୋତେ ଆଶ୍ଚର୍ଯ୍ୟ କରେ। ମୁଁ ସିନେମା ପ୍ରେମରେ ପିଲାଟି ଦିନରୁ ହିଁ ଏମିତି ପଡ଼ିଛି। ପାଦରୁ ଚପଲ ଖସିଗଲା ଅଥଚ ମୁଁ ଜାଣିପାରିଲି ନାହିଁ।’’