ବନ୍ଦନା ମିଶ୍ର୍ର

Advertisment

ବୟସ ବଢ଼ିବା ସହ ଜୀବନର ଅନେକ ଭଲମନ୍ଦ ଘଟଣା ଆମେ ପାସୋରି ଯାଉ। ହେଲେ ଯଦି କିଛି ଆମ ସ୍ମୃତିରେ ସବୁବେଳେ ଝଲସୁଥାଏ ତାହା ହେଉଛି ପିଲାଦିନର ଘଟଣାବଳି। ବାଲ୍ୟକାଳର ସ୍ମୃତି ବେଳେ ବେଳେ ମଣିଷଟେ ପରି ଆମ ସାମ୍ନାରେ ଛିଡ଼ା ହୋଇ କେବେ ହସାଏ ତ କେବେ କନ୍ଦାଏ। ପିଲାଦିନେ ଗୁଡ଼ି ଉଡ଼ାକୁ ନେଇ ରହିଥିବା ଏକ ସୁନ୍ଦର ସ୍ମୃତିକୁ ଆମ ସହ ବାଣ୍ଟିଛନ୍ତି ସିନେଅଭିନେତା-ନିର୍ଦ୍ଦେଶକ ଶ୍ରୀତମ ଦାସ। ସଂପ୍ରତି ଶ୍ରୀତମ ତରଙ୍ଗ ପରିବାର ମହାମୁକାବିଲାର ବିଚାରକ ଥିବାବେଳେ ତାଙ୍କ ଅଭିନୀତ ‘ଅନ୍ତର୍ଯ୍ୟାମୀ’ ଓ ‘ଆରୋହୀ’ ମୁକ୍ତି ଅପେକ୍ଷାରେ ରହିଛି।

‘‘ମୋସହର କଟକରେ ଗୁଡ଼ିଉଡ଼ା ଆନନ୍ଦ ନିଆରା। ଗଳିକନ୍ଦିରୁ ନେଇ ନଈପଠାଯାଏ, ଶୀତଦିନେ ସବୁଠି ଗୁଡ଼ିଉଡ଼ା ହୁଏ। ଛୋଟ ବେଳେ ଗୁଡ଼ି ଉଡ଼େଇବା ଓ କଟିଗଲା ପରେ ଉଡୁଥିବା ଗୁଡ଼ିକୁ ଦଉଡ଼ି ଦଉଡ଼ି ଧରିବାକୁ ଆମେ ସାଙ୍ଗମାନେ ଏକ ବଡ଼ ସଫଳତା ବୋଲି ଭାବୁଥିଲୁ। ଭଲ ଡିଜାଇନ୍‌ର ଗୁଡ଼ି କିଣିବା, ସୂତାରେ ମାଞ୍ଜା ଦେବା, ସୁନ୍ଦରିଆ ନଟେଇରେ ଗୁଡ଼ି ଉଡ଼ାଇବାରେ ସବୁ ପିଲାଙ୍କର ମନ। ସେତେବେଳେ ଆମେ ସବୁ ଦଳବାନ୍ଧି ଗୁଡ଼ି ଉଡ଼ାଉଥିଲୁ ଏବଂ କାହାର ଗୁଡ଼ି କଟିଗଲେ ତାକୁ ଧରିବା ପାଇଁ ତା’ ପଛେ ପଛେ ଧାଉଁଥିଲୁ।

ମୋତେ ସେତେବେଳେ ୧୦ କି ୧୧ ବର୍ଷ । ଥରେ ମୁଁ ଆକାଶରୁ ଖସୁଥିବା ଏକ କଟା ଗୁଡ଼ିକୁ ଧରିବା ପାଇଁ ତା’ ପଛେ ପଛେ ‌ଦଉଡ଼ିଲି। ଗୁଡ଼ିଟାକୁ ଧରିବା ନିଶା ଏତେ ଜୋର୍‌ ଥିଲା ଯେ ଗୋଟାଏ ଘରର ଛାତରୁ ଅନ୍ୟ ଏକ ଘରର ଛାତକୁ ଡେଇଁ ପଡ଼ିଲି। ଦୁଇ ଛାତ ମଝିରେ ଦୂରତା ଥିଲା ପ୍ରାୟ ୬ ଫୁଟ୍। ଷ୍ଟଣ୍ଟ୍‌ମ୍ୟାନ୍‌ଙ୍କ ଭଳି ଏ ଛାତରୁ ସେ ଛାତକୁ ଡେଇଁ ଗୁଡ଼ିଟିକୁ ଧରିପକାଇଲି। ତା’ପରେ ଦୁଇ ଘର ମଝିରେ ଥିବା ବାରି ଭିତରକୁ ଡେଇଁପଡ଼ିଲି। ବାରିରେ ମେଞ୍ଚାଏ ଭଙ୍ଗା କାଚ ପଡ଼ିଥିଲା। ସେ କାଚ କେତେଟା ମୋ ଗୋଡ଼ରେ ଗଳିଗଲା। ଗୋଡ଼ରୁ ଝରଝର ହୋଇ ରକ୍ତ ବାହାରୁଥାଏ, ମୋର କିନ୍ତୁ ଖାତିର ନଥାଏ। ମୁଁ ସେ ଗୁଡ଼ିକୁ ଧରି ଯୁଦ୍ଧ ଜିତିଥିବା ସୈନିକଟେ ଭଳି ମନ ଖୁସିରେ ଘରକୁ ଫେରିଆସିଲି। ତା’ପରେ ଘରେ ମୋ ଗୋଡ଼ ଖଣ୍ଡିଆ ହୋଇଥିବା ଦେଖିବା ପରେ ଯାହା ହୋଇଥିବ ଆପଣ ବୁଝି ପାରୁଥିବେ।
ଏବେ ସେ ଛାତକୁ ଦେଖିଲେ ମୋତେ ଡର ଲାଗେ। ମୁଁ ଚାହିଲେ ବି ଆଉ ସେପରି ଦୁଃସାହସ କରିପାରିବିନି। ମାତ୍ର ଏତିକି କହିବି ଗୁଡ଼ି ପ୍ରତି ଥିବା ସେ ଆକର୍ଷଣ ମୋର ଏବେ ବି କମିନି। ଗୁଡ଼ି କଟିଲେ ମୋତେ ଦେଖିବାକୁ ଆଜି ବି ଭଲଲାଗେ।’’