ବନ୍ଦନା ମିଶ୍ର୍ର
‘‘ମୁଁ ସପ୍ତମ ଶ୍ରେଣୀରେ ପଢ଼ିବା ବେଳର କଥା। ଖରାଛୁଟି ହୋଇଥାଏ। ମାମୁଘର କଲିକତା ବୁଲିଯିବାକୁ କାର୍ଯ୍ୟକ୍ରମ ହୋଇଥାଏ। ପୁରୀ-ହାୱଡ଼ା ଏକ୍ସପ୍ରେସ୍ରେ କଲିକତା ଯିବାକୁ ବାହାରିଥାଉ। ବାବା, ମାଆ ଓ ଆମେ ଭାଇଭଉଣୀ ଦୁଇଟା ରିକ୍ସା କରି ଷ୍ଟେସନ୍କୁ ବାହାରିଲୁ। ସେତେବେଳେ ଭୁବନେଶ୍ବର ଷ୍ଟେସନ୍ ପାଖରେ ଝୁନ୍ଝୁନ୍ୱାଲା ବଗିଚା ଥାଏ। ସେହି ବଗିଚା ପାଖରେ ଅନ୍ଧାରରେ ଗୋଟାଏ ଆମ୍ବାସଡର୍ ଗାଡ଼ି ଛିଡ଼ା ହୋଇଥାଏ। ପଛ ସିଟ୍ରେ ଜଣେ ଭଦ୍ରମହିଳା ଓ ତାଙ୍କ କଡ଼ରେ ଜଣେ ଭଦ୍ରବ୍ୟକ୍ତି ବସିଥାନ୍ତି।
ରିକ୍ସାରୁ ମୋ ମାଆ ତାଙ୍କୁ ଦେଖି ଚିଲେଇବାକୁ ଲାଗିଲେ। ରଖ ରଖ କହି ରିକ୍ସାଚାଳକଙ୍କୁ ଅଟକାଇ ଦେଲେ। ତା’ପରେ ବାବାମାଆ ରିକ୍ସାରୁ ଓହ୍ଲାଇ କାର୍ ପାଖକୁ ଗଲେ। ଦେଖିଲାବେଳକୁ ଗାଡ଼ି ଭିତରେ ବଙ୍ଗଳା ଚଳଚ୍ଚିତ୍ର ନାୟକ ଉତ୍ତମ କୁମାର ଓ ନାୟିକା ସୁପ୍ରିୟା ଚୌଧୁରୀ ବସିଛନ୍ତି। ସେମାନଙ୍କୁ ଲୋେକ ଚିହ୍ନିପକାଇ ଭିଡ଼ ଜମାଇବାରୁ ଦୁହେଁ ସ୍ମିତହାସ୍ୟ ଦେଇ ଗାଡ଼ିର କାଚ ବନ୍ଦ କରିଦେଲେ। ତା’ପରେ ମୋ ବାବାମାଆଙ୍କ କଥାରୁ ଜାଣିଲି ଯେ ଚନ୍ଦ୍ରଭାଗା ପାଖରେ ତାଙ୍କର ଏକ ଫିଲ୍ମ ସୁଟିଂ ପାଇଁ ସେମାନେ ଓଡ଼ିଶା ଆସିଛନ୍ତି।
ମୋର ମନେପଡ଼ିଲା ରବି ଟକିଜ୍ରେ ମୁଁ ଦେଖିଥିବା ବଙ୍ଗଳା ସିନେମାରେ ଏ ଦୁଇ ଜଣ ଅଭିନୟ କରିଥିଲେ। ମୁଁ ସେମାନଙ୍କୁ କେତେ ଥର ଦେଖିଛି। ମୋ ମୁଣ୍ଡରେ ପଶିଲା କି ମୁଁ ବି ଟିକେ ପାଖରୁ ଦେଖିବି। ବାବାମାଆ ଟିକେ ଆଗକୁ ପଳାଇ ଥାଆନ୍ତି। ମୁଁ ସେମାନଙ୍କୁ କିଛି ନକହି ଉତ୍ତମ କୁମାର ଓ ସୁପ୍ରିୟାଙ୍କୁ ଦେଖିବାକୁ ଗାଡ଼ି ପାଖକୁ ଚାଲିଗଲି। ବାବାମାଆ ମୋତେ ଖୋଜୁଥାନ୍ତି ହେଲେ ମୁଁ ଯାଇ ସେ ଆମ୍ବାସଡର୍ ଗାଡ଼ି ପାଖରେ। କିଛି ସମୟ ପରେ ଗାଡ଼ି ପାଖରୁ ଫେରି ମୁଁ ବାବାମାଆଙ୍କୁ ଖୋଜିବା ଆରମ୍ଭ କଲି। କିନ୍ତୁ ସେମାନଙ୍କୁ ପାଇଲି ନାହିଁ। ଜୋର୍ରେ କାନ୍ଦ ଲାଗିଲା। ମୋତେ ବାବା ଖୋଜି ପାଇବା ବେଳକୁ ବହୁତ ସମୟ ବିତି ଯାଇଥିଲା। ଏ ଭିତରେ ଟ୍ରେନ୍ ଆସି ଚାଲି ଯାଇଥିଲା। ଆମେ ଆଉ ମାମୁଘରକୁ ସେଦିନ ଯାଇପାରିଲୁ ନାହିଁ। ଘରେ ମାଆ ବହୁତ ଗାଳି ଦେଲେ। ପ୍ରଥମ ଥର ଉତ୍ତମ କୁମାରଙ୍କୁ ଦେଖିବା ଓ ଟ୍ରେନ୍ ଫେଲ୍ ହେବା ଘଟଣା ମୁଁ ଏଯାଏ ଭୁଲିପାରିନାହିଁ।’’