ଜଣେ ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ଭାବେ ଓଡ଼ିଶାର ଘରେ ଘରେ ପରିଚିତି ଲାଭ କରିଛନ୍ତି ପ୍ରେମ୍‌ ଆନନ୍ଦ। ପିଲାଟି ଦିନରୁ ସଂଗୀତ ପ୍ରତି ରୁଚି ରଖିଥିବା ଏହି ସଂଗୀତଜ୍ଞ ତାଙ୍କ ପିଲାଦିନର ଏକ ସୁନ୍ଦର ସ୍ମୃତିକୁ ଆମ ସହ ବାଣ୍ଟିଛନ୍ତି। ଆସନ୍ତୁ ତାଙ୍କ ମୁହଁରୁ ଶୁଣିବା...

Advertisment

ବନ୍ଦନା ମିଶ୍ର୍ର

‘‘ପିଲାଦିନର ତ ଅନେକ ଘଟଣା ମୋର ମନେଅଛି। ଯେହେତୁ ମୁଁ ସଂଗୀତ ସହିତ ଯୋଡ଼ି ହୋଇ ରହିଛି ତ ଆଜି ସଂଗୀତ ସଂପର୍କିତ ଏକ ସ୍ମୃତି ପାଠକଙ୍କୁ କହିବାକୁ ଚାହିବି। ଆମ ଘର ହେଉଛି କେନ୍ଦ୍ରାପଡ଼ାର ସାନ ଗାଁ। ଆମ ଗାଁ ପାଖଦେଇ ବହି ଯାଇଛି ଲୁଣା ନଦୀ। ନଦୀ କୂଳରେ ଏକ ପୁରୁଣା ମନ୍ଦିର ଅଛି। ଏବେ ଅବଶ୍ୟ ସେ ମନ୍ଦିରର ଅଧିକାଂଶ ଭାଗ ପୋତି ହୋଇଗଲାଣି। ମାତ୍ର ମୋ ପିଲାବେଳେ ସେହି ମନ୍ଦିରଟି ପୂରା ନୂଆ ଥାଏ।

ମୁଁ ଯେଉଁ ଗୁରୁଙ୍କ ନିକଟରୁ ଗୀତ ଶିଖୁଥିଲି ସେ ମୋତେ କହିଥିଲେ କି ଯଦି ତୁ ଗଳା ଖୋଲି ଚିଲେଇ ଚିଲେଇ ଗୀତ ଗାଇବୁ ତ ତୋ ସ୍ବର ଫିଟିବ। ମୁଁ ସେହି ମନ୍ଦିର ପାଖକୁ ଯାଏ ଗୀତ ଗାଇବାକୁ। କାରଣ ସେ ଅଞ୍ଚଳଟିରେ ଆତଯାତ କମ୍‌ ଏବଂ ତାହା ବେଶ୍‌ ଖୋଲାମେଲା। ଗୀତ ଗାଇବା ପାଇଁ ସବୁଠାରୁ ଭଲ ସ୍ଥାନ। ତା’ପରେ ମନ୍ଦିର ଓ ପାଣି ପାଖରେ ବସି ଗାଇଲେ ସ୍ବର ବି ଟିକେ ଭିନ୍ନ ରକମର ଶୁଭେ। ମୁଁ ପ୍ରତିଦିନ ସ୍କୁଲ୍‌ରୁ ଆସି ସେହି ମନ୍ଦିରକୁ ଯାଏ ବଡ଼ପାଟିରେ ଗୀତଗାଏ। ମୁଁ ନଈ ଏପାଖରେ ଗୀତ ଗାଏ ଓ ନଈ ସେପାଖରେ ଥିବା ଲୋକମାନେ ମୋ ଗୀତ ଶୁଣୁଥାନ୍ତି। ପୁଣି କେତେକ ପାଖକୁ ଆସି ଦେଖନ୍ତି ମୁଁ କେମିତି ଗାଉଛି। ବେଳେ ବେଳେ ମୋତେ ଲାଜଲାଗେ ଏବଂ ମୁଁ ମନ୍ଦିର ଭିତରକୁ ପଶିଯାଏ। ଧୀରେ ଧୀରେ ଗୀତ ଶୁଣିବାକୁ ଲୋକଙ୍କ ଭିଡ଼ ଜମିଲା। ଆମ ଅଞ୍ଚଳର ଲୋ‌େକ ମୋତେ ଚିହ୍ନିଲେ।

କିଛିଦିନ ପରେ ସେମାନେ ପୂଜା, ମେଳା ଓ ଗାଁର ଅନ୍ୟ କାର୍ଯ୍ୟକ୍ରମରେ ମୋତେ ଗୀତ ଗାଇବାକୁ ଡାକିଲେ। ମୋତେ ବି ଆସ୍ତେ ଆସ୍ତେ ଲୋକଙ୍କ ସାମ୍ନାରେ ଗାଇବାର ସାହସ ମିଳିଲା। ତା’ପରେ ମୁଁ ଭବିଷ୍ୟତରେ ଜଣେ କଳାକାର ହେବି ବୋଲି ସ୍ଥିର କଲି। ମୋ ଇଚ୍ଛାକୁ ମହାପ୍ରଭୁ ଶ୍ରୀଗଜନ୍ନାଥଙ୍କ କୃପା ମିଳିଗଲା। ଏବେ ବି ମୁଁ ଯେବେ ଗାଁକୁ ଯାଏ ସେ ମନ୍ଦିରକୁ ଦେଖେ। ହେଲେ ମୁଁ ଯେଉଁଠି ବସି ଗୀତ ଗାଉଥିଲି ସେ ସ୍ଥାନ ଆଉ ନାହିଁ। ପ୍ରାୟ ପୋତି ହୋଇଗଲାଣି। ସେଠି ଏବେ ଆଉ ପିଲାଦିନ ଭଳି ଗୀତ ତ ଗାଇପାରେନି, ହେଲେ ପିଲାଦିନର ମୋ ନିଜ ଗୀତର ସ୍ବରରେ ଆଜି ମୁଁ ନିଜେ ହିଁ ହଜିଯାଏ।’’