ବନ୍ଦନା ମିଶ୍ର୍ର

ଉଭୟ ଟେଲିଭିଜନ୍‌ ଓ ସିନେ ପରଦାରେ ଦମ୍‌ଦାର୍‌ ଅଭିନୟ ଜରିଆରେ ଦର୍ଶକଙ୍କ ମନ ଜିଣିପାରିଛନ୍ତି ସେ। ନିଜର ଆଗ୍ରହ ଓ ପ୍ରଚେଷ୍ଟା ବଳରେ ସେ ଗୋଟାଏ ପରେ ଗୋଟାଏ ଚମତ୍କାର ଚରିତ୍ରରେ ଅବତ୍ତୀର୍ଣ୍ଣ ହୋଇ ଓଲିଉଡ୍‌ରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ବରିଷ୍ଠ ଅଭିନେତା ଚୌଧୁରୀ ବିକାଶ ଚନ୍ଦ୍ର ଦାସ। ନିଜ ଅଭିନୟ ପାଇଁ ସେ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ବହୁ ଭାବେ ପୁରସ୍କୃତ ଓ ସମ୍ମାନିତ ହୋଇଛନ୍ତି। 

Advertisment

ସେଭଳି ଜଣେ ଉଚ୍ଚକୋଟୀର ପ୍ରତିଭାଙ୍କ ମୁହଁରୁ ତାଙ୍କ ଜୀବନର ଏକ ସ୍ମରଣୀୟ ସ୍ମୃତି ଶୁଣିବାକୁ ଚାହିବାରୁ ସେ କହନ୍ତି, ‘‘ପ୍ରତ୍ୟେକ ବୟସ କିଛି ନା କିଛି ଅଭିଜ୍ଞତା ଓ ସ୍ମୃତି ଦେଇଥାଏ। ଜୀବନଟା ହେଉଛି ସୃତିର ଏକ ଗୁଚ୍ଛ। ସେଥିମଧ୍ୟରୁ ମୋ ପିଲାଦିନର ଗୋଟାଏ କଥା ମୋର ଅଧିକାଂଶ ସମୟରେ ମନେପଡ଼େ। ମୁଁ ଯେବେ ବି କେଉଁଠି ଅଭିନୟ କରିବାକୁ ପ୍ରସ୍ତୁତ ହୁଏ ସେବେ‌ ସେବେ ଘଟଣାଟି ମନେପଡ଼େ। ସେଇ ସ୍ମୃତିଟିକୁ ମୁଁ ଆଜି ପାଠକମାନଙ୍କୁ କହିବାକୁ ଚାହିବି।’’

‘‘ମୋ ବାପା ବୃତ୍ତିରେ ଡାକ୍ତର ଥିଲେ ଓ ତାଙ୍କର ସବୁବେଳେ ଚାକିରିରେ ବଦଳି ହେଉଥିଲା। ସେଥିପାଇଁ ଆମକୁ ଅଧିକାଂଶ ସମୟରେ ଗାଁ ଛାଡ଼ି ବାହାରେ ରହିବାକୁ ପଡ଼େ। ଆମ ଗାଁ ହେଉଛି ଜଗତ୍‌ସିଂହପୁର ଜିଲ୍ଲାର ବାରଙ୍ଗ। ପୁଣି ମୋର ଦୁଇ ଦୁଇଟା ମାମୁଘର। ଜଣେ ଜନ୍ମକଲା ମା’ ଆଉ ଜଣେ ପାଳିତାମା’। ତେଣୁ ମାମୁଘର ବି ଦୁଇଟା। ଦି’ଟିଯାକ ମାମୁଘର ପ୍ରାୟ ଆମ ଗାଁ ପାଖାପାଖି। ଦଶହରା ଓ ରଜ ସମୟରେ ଆମେ ଗାଁକୁ ଯାଉ। ଗାଁରେ ଆମ ମାମୁମାନେ ନାଟକ କରନ୍ତି। ଥରେ ତାଙ୍କ ନାଟକ ପାଇଁ ଜଣେ ଶିଶୁ କଳାକାର ଦରକାର ପଡ଼ିଲା। ମୋତେ ସେତେବେଳେ ୪-୫ ବର୍ଷ ବୟସ। ସେମାନେ ମୋତେ ନେଇ ସେ ନାଟକରେ ପୂରାଇଲେ। ମୋତେ ରିହର୍ସାଲ୍‌ ଦେଇ ପ୍ରସ୍ତୁତ କରାଇଲେ। ମୋ ଚରିତ୍ରଟି ଥାଏ ଜଣେ ପଥଭ୍ରଷ୍ଟ ବାଳକର। ନାଟକରେ ମୋର ଏକ ବିଡ଼ି ଟଣା ଦୃଶ୍ୟ ଥିଲା। ନାଟକ ଆରମ୍ଭ ହେଲା। ମୋ ପାଳି ଆସିଲା। ମୁଁ ବିଡ଼ି ଟାଣି ଟାଣି ମଞ୍ଚକୁ ଗଲି। ହେଲେ ସେ ବିଡ଼ିଟି ଲିଭିଗଲା। ଏପଟେ ବିଡ଼ି ଧୂଆଁରେ ମୋର କାଶ ଆରମ୍ଭ ହେଲା। ମୁଁ ଭୟରେ ପ୍ରମ୍ପଟ୍‌ରମାନଙ୍କୁ ବାରମ୍ବାର ଚାହୁଁଥାଏ ଓ ପରାମର୍ଶ ନେଉଥାଏ। ହେଲେ ସେତେବେଳକୁ ଦୃଶ୍ୟଟି ପୂରା ବିଗିଡ଼ି ସାରିଥାଏ। ତଳେ ବସିଥିବା ଦର୍ଶକ ହୋ ହୋ ହୋଇ ହସୁଥାନ୍ତି। ସେ ସିନ୍‌ଟିକୁ ସେଇଠି ବନ୍ଦ କରି ଦିଆଗଲା। 

ତା’ପରେ ଅନେକ ଦିନ ପର୍ଯ୍ୟନ୍ତ ସେଇ ସିନ୍‌ ପାଇଁ ମୋତେ ଗାଁ ଲୋକ ଚିଡ଼ାଚିଡ଼ି କରନ୍ତି। ଅବଶ୍ୟ ମୁଁ ପିଲା ଥିଲି ବୋଲି କିଛି ବୁଝି ପାରୁ ନଥିଲି; ହେଲେ ଧୀରେ ଧୀରେ ବଡ଼ ହେବା ପରେ ମୋ ଭିତରେ ଅପମାନବୋଧ ଆସିଲା। ଯିଏ କେହି ବି ମୁଁ ପିଲାଦିନେ ମଞ୍ଚରେ ଅପମାନିତ ହୋଇଥିବା କଥା ମନେପକାଇ ଦିଅନ୍ତି, ମୁଁ ଭାରି ଖରାପ ଅନୁଭବ କରେ।’’ ‘‘ହେଲେ ସମୟକ୍ରମେ ସେଇଟା ହିଁ ହୋଇଗଲା ମୋ ପାଇଁ ବଡ଼ ଶିକ୍ଷା। ସେଇ ଗୋଟାଏ ଘଟଣା ମୋତେ ଖୁବ୍‌ ସଚେତନ କରିଛି। ମଞ୍ଚରେ ପାଇଥିବା ସେ ଅପମାନ ମୋ ମନରେ ଗାର ହୋଇ ରହିଯାଇଛି। ମୁଁ ଯେବେ ବି ଅଭିନୟ କରିବାକୁ ପ୍ରସ୍ତୁତ ହୁଏ, ସେଇ କଥା ମୋର ମନେ ପଡ଼ିଯାଏ। ମୁଁ ଭାବେ ଥରେ ଅପମାନିତ ହୋଇଛି; ଆଉ ଜୀବନରେ ଯେମିତି କେବେ ନହୁଏ। ସେଇ ଘଟଣା ମୋତେ ବୋଧହୁଏ ଅଭିନୟରେ ଅଧିକ ସଚେତନ କରେଇଛି ବୋଲି ମୁଁ ଚିନ୍ତା କରେ।’’