ହେତୁ ପାଇବା ଦିନରୁ ସଂଗୀତକୁ ଆପଣେଇ ନେଇଥିଲେ ସେ। ତିନି ବର୍ଷ ବୟସରୁ ‘ଆହେ ନୀଳଶଇଳ’ ଗୀତ ଗାଇ ଘରେ ସଂଗୀତର ସୁମଧୁର ମାହୋଲ୍‌ ସୃଷ୍ଟି କରୁଥିଲେ। ସେଦିନରୁ ଆଜି ପର୍ଯ୍ୟନ୍ତ ପାଖାପାଖି ୫୦ ବର୍ଷର ବୃତ୍ତିଗତ ଜୀବନ ଭିତରେ ୫୦୦୦ରୁ ଊର୍ଦ୍ଧ୍ବ ଗୀତ ଗାଇ ସାରିଥିବା ଏହି ଗାୟିକାଙ୍କ ଅବଦାନ ଓଡ଼ିଆ ସଂଗୀତ ଦୁନିଆ ପାଇଁ ଅତୁଳନୀୟ। ପାଞ୍ଚଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ସଂଗୀତ ନାଟକ ଏକାଡେମୀ ପୁରସ୍କାର ଓ ଆହୁରି ଅନେକ ସମ୍ମାନ-ସ୍ବୀକୃତି ତାଙ୍କ ଦକ୍ଷତାର ପରିଚୟ ପ୍ରଦାନ କରେ। ବିବାହ ପୂର୍ବରୁ ଗୀତା ମିଶ୍ର ଓ ବିବାହ ପରେ ଗୀତା ଦାଶ ନାମରେ ଓଡ଼ିଶାର ଘରେ ଘରେ ପରିଚିତ ଏହି ଗାୟିକା ତାଙ୍କ ପିଲାଦିନର ଏକ ସୁନ୍ଦର ସ୍ମୃତି ଆମ ସହ ବାଣ୍ଟିଛନ୍ତି।

Advertisment

ବନ୍ଦନା ମିଶ୍ର୍ର

‘‘ମୋତେ ସେତେବେଳେ ବୟସ ମାତ୍ର ୭ ବର୍ଷ। ମୁଁ ରେଡିଓରେ ଗୀତ ଶୁଣିବାକୁ ବହୁତ ଭଲପାଉଥିଲି। ହେଲେ ଯେବେ ବି ଗୀତ ଶୁଣୁଥିଲି ମୋ ମନରେ ଏକ କୌତୂହଳ ସୃଷ୍ଟି ହେଉଥିଲା। ମୁଁ ସବୁବେଳେ ଭାବେ, ରେଡିଓ ଭିତରେ କିଏ ଅଛି? ରେଡିଓରେ ଗୀତ ଗାଉଥିବା ସେ ଲୋକମାନଙ୍କୁ ମୁଁ ଦେଖିବାକୁ ବ୍ୟାକୁଳ ହେଉଥାଏ। ଥରେ ବାପା ଘରେ ନଥାନ୍ତି। ମାଆ ତାଙ୍କ କାମରେ ବ୍ୟସ୍ତ ଥାଆନ୍ତି। ମୁଁ ରେଡିଓ ଭିତରେ ଥିବା ସେ ଲୋକମାନଙ୍କୁ ଦେଖିବି ବୋଲି ଚିନ୍ତା କରି ରେଡିଓକୁ ଫୋପାଡ଼ି ଭାଙ୍ଗିଦେଲି। ହେଲେ ରେଡିଓ ଭିତରେ କାହାକୁ ନପାଇ ମୁଁ ଖୋଜିବା ଆରମ୍ଭ କଲି। ଗୋଟେ କାଠି ପୂରେଇ ତା’ ଭିତରଟାକୁ ଘାଣ୍ଟି ପକାଇଲି। ହେଲେ କାହାକୁ ବି ନପାଇ ନିରାଶ ହେଇଗଲି। ତା’ପରେ ମାଆ ଯେତେବେଳେ ମୋ କାରନାମା ଦେଖିଲେ, ସେ ସବୁ ବୁଝିଗଲେ। ରେଡିଓ ପଡ଼ିକି ଭାଙ୍ଗିଯାଇଛି ବୋଲି ମୁଁ ମିଛ କହିଲି। ହେଲେ ସତ କ’ଣ ସେ ଜାଣିଥିଲେ। କାରଣ ମୁଁ ଅଧିକାଂଶ ସମୟରେ ଘରେ ପଚାରୁଥିଲି, ରେଡିଓ ଭିତରେ କିଏ ଗୀତ ଗାଉଛି? ସେ ଜାଣିସାରିଥିଲେ ଯେ ମୁଁ ଉତ୍ସୁକତାବଶତଃ ଏପରି କରିଛି। ରେଡିଓ ଭିତରେ କାହାକୁ ନପାଇ ମୋ ମନ ଦୁଃଖହେଲା। ମାଆ ମୋତେ ଯେଉଁ ଭାତ ଖାଇବାକୁ ଦେଇଥିଲେ ମୁଁ ତାକୁ ଚକଟି ଅଠା କରି ସେ ଭଙ୍ଗା ରେଡିଓକୁ ବହୁତ କଷ୍ଟରେ ଯୋଡ଼ିଲି। ହେଲେ କିଛି ସମୟ ପରେ ପୁଣି ସେ ଅଠା ଅକାମୀ ହୋଇଗଲା।

ସଂଧ୍ୟାରେ ବାପା ଘରକୁ ଆସିଲେ। ମୁଁ ଭାବିଥିଲି, ବାପା ଭୀଷଣ ରାଗିବେ। ହେଲେ ବାପା ରାଗିଲେ ନାହିଁ, ବରଂ ସେ ମୋ ଭିତରର ଉତ୍ସୁକତାକୁ ବୁଝି ପାରିଥିଲେ। ସେଇଠୁ ଆରମ୍ଭ ହେଲା ମୋର ସଂଗୀତ ଶିକ୍ଷା। ସେ ସମୟରେ କ୍ଷୀରୋଦ ଚନ୍ଦ୍ର ପୋଥାଳ ବୋଲି ସାଲେପୁରରେ ଜଣେ ବଡ଼ ଗୀତିକାର ଥାଆନ୍ତି। ବାପା ତାଙ୍କୁ ଯାଇ ଭେଟିଲେ। ତାଙ୍କର କଟକ ଅଲ୍ ଇଣ୍ଡିଆ ରେଡିଓ ସହ ଯୋଗାଯୋଗ ଅଛି କି ନାହିଁ, ତାହା ଜାଣିବାକୁ ଚାହିଲେ।  ଯୋଗକୁ କଟକ ରେଡିଓ ସେଣ୍ଟର୍‌କୁ ତାଙ୍କର ଯା’ଆସ ଥାଏ। ବାପା ତାଙ୍କୁ ମୋତେ ଥରେ ରେଡିଓ ସେଣ୍ଟର୍ ଦେଖାଇଦେବାକୁ ଅନୁରୋଧ କଲେ। ସେ ରାଜି ହେଲେ ମଧ୍ୟ। ମୋର ମନେଅଛି, ମୁଁ କ୍ଷୀରୋଦ ସାର୍‌ଙ୍କ ସହ ବସ୍‌ରେ କଟକ ଯାଇଥିଲି। ‘ଶିଶୁ ସଂସାର’ କାର୍ଯ୍ୟକ୍ରମରେ ମିଶିଥିଲି। ସେଦିନ ବଡ଼ଭାଇ ନଦିଆବିହାରୀ ମହାନ୍ତି ଓ ଅପା ବୀଣା ମହାନ୍ତି ମୋତେ ବିଭିନ୍ନ କଥା ପଚାରିଥିଲେ। ତା’ପରେ ଅନେକ ବାର ରେଡିଓ ଷ୍ଟେସନ୍‌ ଗଲି। ରେଡିଓରେ ଶିଶୁମାନଙ୍କ ପାଇଁ ନିଆଯାଉଥିବା ଅଡିସନ୍ ଦେଇ ପାସ୍ କଲି। ଦିନେ ରେଡିଓରେ କ୍ଷୀରୋଦ ସାର୍ ଲେଖିଥିବା ‘ଆଈ ବାଛୁଥିଲା ଖଇ’ ଗୀତଟିକୁ ଗାଇଲି। ସେ ଦିନର ଖୁସି ମୁଁ କେବେ ଭୁଲି ପାରିବି ନାହିଁ।