‘ସବୁ ମାୟାରେ ବାୟା’ ସିନେମାରୁ ଅଭିନୟ ଦୁନିଆରେ ପାଦ ଥାପନ୍ତି ସେ। ଏବେ ସୁଦ୍ଧା ୧୦୦ରୁ ଅଧିକ ସିନେମାରେ ଅଭିନୟ କରି ସାରିଲେଣି। କେବଳ ସିନେମା ନୁହେଁ, ବହୁ ଧାରାବାହିକ ଓ ଟେଲିଫିଲ୍ମରେ ମଧ୍ୟ ସେ ନିଜ ଅଭିନୟ ପରାକାଷ୍ଠା ପ୍ରଦର୍ଶିତ କରିଛନ୍ତି। ୩୭ ବର୍ଷର ଅଭିନୟ ଜୀବନ ଭିତରେ ତାଙ୍କର ଅନେକ ଅଭୁଲା ସ୍ମୃତି ରହିଛି। ଏଥର ଆମକୁ ନିଜ ଯୁବାବସ୍ଥାର ଏକ ସୁନ୍ଦର ସ୍ମୃତି ବଖାଣିଛନ୍ତି ବରିଷ୍ଠ ଅଭିନେତା ପୃଥ୍ବୀରାଜ ନାୟକ।

Advertisment

ବନ୍ଦନା ମିଶ୍ର୍ର

‘‘ପଞ୍ଚୁପାଣ୍ଡବ ସିନେମା ସୁଟିଂ ବେଳର କଥା। ସେତେବେଳେ ମୁଁ ଚଳଚ୍ଚିତ୍ର ଜଗତରେ ନୂଆ। ମାତ୍ର ୪-୫ଟା ସିନେମାରେ ଅଭିନୟ କରିଥାଏ। ସେହି ସିନେମାରେ ଓଡ଼ିଶାର ଅଧିକାଂଶ ବରିଷ୍ଠ କଳାକାର କାମ କରୁଥାଆନ୍ତି। ଉତ୍ତମଭାଇ, ଶ୍ରୀରାମଭାଇ ଥାଆନ୍ତି ଓ ପ୍ରଶାନ୍ତଭାଇନାଙ୍କ ନିର୍ଦ୍ଦେଶନାରେ ସିନେମାଟି ହେଉଥାଏ। ମୁଁ ସେତେବେଳେ ଟିକେ ଚୁପ୍‌ଚାପ୍‌ ସ୍ବଭାବର ଥିଲି। ସୁଟିଂରେ ଥାଏ। ଦିନେ ହଠାତ୍‌ ମୋ ପାଖକୁ ଏକ ଚିଠି ଆସିଲା।

ୟୁନିଟ୍‌ରେ କାମ କରୁଥିବା ଜଣେ ପିଲା ମୋତେ ଆସି ଚିଠିଟି ପୋଷ୍ଟ୍‌ ପିଅନ୍‌ ଦେଇକି ଗଲା ବୋଲି କହିଲା। ମୁଁ ଚିଠି ଖୋଲିକି ଦେଖିଲାରୁ ସେଇଟା ମୋ ନାୟିକାଙ୍କ ନାଁରେ ଆସିଥିଲା। ମାନେ ସିନେମାରେ ଯିଏ ମୋ ବିପକ୍ଷରେ ନାୟିକା ଭାବେ ଅଭିନୟ କରୁଥିଲେ ତାଙ୍କ ନାଁରେ ହିଁ ଚିଠିଟା ଆସିଥିଲା। ସେଥିରେ ଲେଖାଥିଲା,‘‘ଆପଣ ବହୁତ ସ୍ମାର୍ଟ, ଆପଣ ବହୁତ ସୁନ୍ଦର। ଆପଣ ମୋତେ ବହୁତ ଭଲ ଲାଗନ୍ତି। ବିଶେଷକରି ଆପଣ ଯେ‌ତେବେଳେ କଳା ସାର୍ଟ ପିନ୍ଧନ୍ତି; ସେତେବେଳେ ବହୁତ ସୁନ୍ଦର ଲାଗନ୍ତି।’’ ଯଦିଓ ମୋର ନାୟିକାଙ୍କ ସହ ବିଶେଷ କଥାବାର୍ତ୍ତା ନଥାଏ; ମାତ୍ର ପ୍ରଶଂସା ଶୁଣି ମୋତେ ବି ସତ ଲାଗିଲା। ମୁଁ ମନେ ମନେ ଖୁସି ହେଉଥାଏ। ଚିଠିରେ ଆହୁରି ବି ଲେଖା‌ ହୋଇଥିଲା, ‘‘ଆପଣଙ୍କ ସହିତ ମୋର ଟିକେ ଦେଖା କରିବାକୁ ଇଚ୍ଛା ହେଉଛି। ଆପଣ ଦିନ ୨ଟା ବେଳେ ଟିକେ ଖଣ୍ଡଗିରି ଆସିବେ।’’

ମେ ମାସ। ୪୨-୪୩ ଡିଗ୍ରି ତାପମାତ୍ରାରେ କେହି ଜଣେ ମୋତେ କଳାସାର୍ଟ ପିନ୍ଧି ଖଣ୍ଡଗିରି ଆସିବାକୁ ନିମନ୍ତ୍ରଣ କରୁଛି! କଥାଟା ମୋ ପାଇଁ ଟିକେ ଆଶ୍ଚର୍ଯ୍ୟଜନକ ଥିଲା। ଅଳ୍ପ କିଛି ସମୟ ମଧ୍ୟରେ ନାୟିକା ଜଣକ ସୁଟିଂ ସେଟ୍‌ ଭିତରେ ମୋ ସାମ୍ନା ଦେଇ ଗଲେ। ମୁଁ ଆଉ ନିଜକୁ ଅଟକାଇ ନପାରି ପଛରୁ ଡାକିଲି। ଉତ୍ତମଭାଇ ଓ ଶ୍ରୀରାମଭାଇ କୋଉଠି ଥିଲେ କେଜାଣି, ଆମ ପାଖକୁ ଦୌଡ଼ିଆସିଲେ। ମୁଁ ନାୟିକାଙ୍କୁ କିଛି କହିବା ପୂର୍ବରୁ ସେମାନେ ତାଙ୍କୁ କହିଲେ, ‘‘ତୋ କାମରେ ତୁ ଯା’। ଆମେ ୟା କଥା ବୁଝୁଛୁ।’’ ନାୟିକା ଜଣକ ଗଲା ପରେ ମୁଁ ଜାଣିବାକୁ ପାଇଲି ଯେ ସେଇ ଚିଠିଟିକୁ ନାୟିକାଙ୍କ ନାଁରେ ସେମାନେ ହିଁ ଲେଖିଥିଲେ। ମୋତେ ଝିଅଟିଏ ଚିଠି ଦେଲେ  ମୁଁ କେମିତି ଉଛୁଳୁମୁଛୁଳୁ ହେଉଛି ସେ କଥା ଦେଖି ମଜା ଉଠାଇବା ପାଇଁ ଉତ୍ତମଭାଇ ଓ ଶ୍ରୀରାମଭାଇ ନାୟିକାଙ୍କ ନାଁରେ ଚିଠି ଲେଖି ସେଟ୍‌ର ସେ ପିଲା ହାତରେ ପଠେଇଥିଲେ।’’