ବନ୍ଦନା ମିଶ୍ର୍ର
‘ହାକିମ ବାବୁ’, ‘ଶେଷ ପ୍ରତୀକ୍ଷା’, ‘ରଣଭୂମି’, ‘ହସ ଲୁହ ଭରା ଦୁନିଆ’, ‘ଛବିର ମଣିଷ’, ‘ଅଗ୍ନି ସଙ୍କେତ’ ଓ ‘ଅଜାତି’ ପରି ସଫଳ ଓଡ଼ିଆ ସିନେମାର ନିର୍ଦ୍ଦେଶନା ଦେଇଥିବା ପ୍ରଣବ ଦାସଙ୍କୁ କିଏ ବା ନଜାଣନ୍ତି! ତାଙ୍କ ଜନ୍ମ କଟକରେ। ସେ ସେଠାରେ ରେଭେନ୍ସା କଲେଜିଏଟ୍ ସ୍କୁଲ୍ରେ କିଛି ବର୍ଷ ଅଧ୍ୟୟନ କରିବା ପରେ ପରବର୍ତ୍ତୀ ସମୟରେ ଭୁବନେଶ୍ବରର ସେଣ୍ଟ୍ ଜୋସେଫ୍ କନ୍ଭେଣ୍ଟ୍ ସ୍କୁଲ୍ରେ ନାମ ଲେଖାନ୍ତି। ମାତ୍ର ବାପାଙ୍କର ହଠାତ୍ ବଦଳି ହୋଇଯାଏ ବାଙ୍କୀ। ଏହା ତାଙ୍କ ଜୀବନର ମୋଡ଼ ବଦଳାଇଦେଲା। ସହରର ଇଂରାଜୀ ମିଡିୟମ୍ ସ୍କୁଲ୍ରେ ପାଠ ପଢୁଥିବା ପିଲା ଯେତେବେଳେ ଯାଇ ଏକ ମଫସଲ ସ୍କୁଲ୍ରେ ନାମ ଲେଖାଇଲା, ତାକୁ ବି ଚପଲ ନପିନ୍ଧି ସ୍କୁଲ୍ ଯିବାକୁ ହେଲା, ସ୍କୁଲ୍ ବ୍ୟାଗ୍ ଥାଇ ଅନ୍ୟ ପିଲାଙ୍କ ସହ ସମାନ ହେବାକୁ ବସ୍ତାନି କାନ୍ଧରେ ଥୋଇ ପଢ଼ିବାକୁ ଯିବାକୁ ପଡ଼ିଲା। ଜୀବନକୁ ଭିନ୍ନ ଭାବେ ଜିଇବାର କୌଶଳ ଆପଣାଇବାକୁ ପଡ଼ିଲା। ତେବେ ଗ୍ରାମାଞ୍ଚଳରେ ବାଲ୍ୟ ଜୀବନ ଅତିବାହିତ କରିବା ବେଳର ଅନେକ ମିଠା ମିଠା ସ୍ମୃତି ତାଙ୍କ ମନରେ ଆଙ୍କିହୋଇ ରହିଛି। ଜଣାଶୁଣା ସିନେ ନିର୍ଦ୍ଦେଶକ ପ୍ରଣବ ଦାସ କିପରି ସିନେମା ଦେଖିବା ପାଇଁ ଘରୁ ଟଙ୍କା ଚୋରିକରି ମାଡ଼ ଖାଇଥିଲେ ସେ ସଂପର୍କରେ ଅବତାରଣା କରିଛନ୍ତି।
‘‘ସେ ସମୟରେ ମୋ ବାପାଙ୍କର ଦରମା ବହୁତ କମ୍ ଥାଏ। ବାପା ଯାହା ବି ରୋଜଗାର କରନ୍ତି; ତାକୁ ଆଣି ବୋଉ ହାତରେ ଧରେଇ ଦିଅନ୍ତି। ମୋ ବୋଉ ଘର ଚଳାଏ। ବୋଉ ଏକ ଟ୍ରଙ୍କ୍ରେ କୋଲପ ପକାଇ ଟଙ୍କାରଖେ। ହେଲେ ମୁଁ କେବ ବି ଦେଖି ନଥିଲି କି ମୋ ବୋଉ ସେଥିରେ କ’ଣ ରଖେ। ହେଲେ ଟଙ୍କା ରଖୁଥିବ ବୋଲି ଅନୁମାନ କରିଥିଲି। ବାଙ୍କୀରେ ସେତେବେଳେ ନୂଆକରି ଏକ ସିନେମା ହଲ୍ ଖୋଲିଥାଏ। ହଠାତ୍ ମୋ ମନରେ ସିନେମା ଦେଖିବାର ଝୁଙ୍କ୍ ଉଠିଲା। ଶିବ ବୋଲି ମୋର ଜଣେ ସାଙ୍ଗ ଥାଏ। ସେ ସବୁବେଳେ ମୋତେ ଆସି ସିନେମା ଦେଖି ଯିବାକୁ ଉସୁକାଏ। ଥରେ ମୁଁ ତା’ ଟଙ୍କାରେ ଯାଇ ସିନେମା ଦେଖି ଆସିଲି। ପରବର୍ତ୍ତୀ ସମୟରେ ଯେତେବେଳେ ନୂଆ ସିନେମା ପଡ଼ିଲା, ଦୁଇ ଜଣଙ୍କ ପାଇଁ ଟିକେଟ୍ କାଟିବା ଦାୟିତ୍ବ ମୋ ଉପରେ ପଡ଼ିଲା। ହେଲେ ମୋ ପାଖରେ ଟଙ୍କା ନଥାଏ! କ’ଣ କରିବି ବୋଲି ଭାବି ଭାବି ମୁଁ ବୋଉର ସେ ଟ୍ରଙ୍କ୍ ଖୋଲିବା କଥା ଚିନ୍ତାକଲି। ଥରେ ବୋଉ ଶୋଇଥିବା ବେଳେ ଚୁପ୍ ଚୁପ୍ ଯାଇ ତା’ ତକିଆ ତଳୁ ଚାବି ଆଣି ଟ୍ରଙ୍କ୍ ଖୋଲିଲି। ସେଥିରୁ ଟଙ୍କା ନେଇ ସିନେମା ଦେଖିବାକୁ ପଳାଇଗଲି। ହଲ୍ରେ ବସି ସିନେମା ସିନା ଦେଖୁଥାଏ, ହେଲେ ଜମାରୁ ମଜା ଲାଗୁ ନଥାଏ। ଘରୁ ଟଙ୍କା ଚୋରେଇଛି ବୋଲି ମନରେ ତ ଛନକା ଥାଏ, ତେଣୁ ମଜା ବା ଲାଗିବ କୁଆଡୁ?
ସେଦିନ ବି ସିନେମା ଖୁବ୍ ବିଳମ୍ବରେ ସରିଲା। ଘରକୁ ଫେରିଲା ବେଳକୁ ବୋଉ ଏକ ଲମ୍ବା ବେତ ଧରି ଜଗିକି ବସିଥାଏ। ମୋତେ ପଚାରିଲା ଟଙ୍କା କୋଉଠୁ ପାଇଲୁ? ମୁଁ ଯେତେ ମିଛ କହିଲେ ବି ବୋଉ ହାତରେ ଧରାପଡ଼ିଲି। ବହେ ମାଡ଼ ଖାଇଲି। ସେଦିନ ବୋଉ ମୋତେ ଖୁବ୍ ଜୋର୍ ପିଟିଲା। ବାପା ଆସି ବୋଉ ଉପରେ ବିରକ୍ତହେଲେ। ମୋତେ ଡାକି ଚୋରି ନକରିବାକୁ ଓ କାହାକୁ ନକହି ଘରୁ ନଯିବାକୁ ବୁଝାଇ କହିଲେ। ସେଇଦିନଠୁ ନା ମୁଁ କେବେ ଚୋରି କରିଛି ନା କେବେ ନକହି ଘରୁ ଯାଇଛି। ଏବେ ବି ମୁଁ ଘରୁ ୧୦ ମିଟର୍ ବାଟ ଗଲେ ‘ଟିକେ ଆସୁଛି’ ବୋଲି କହିକି ଯାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/02/fhfshfsxbbvbv-2025-11-02-00-25-46.jpg)