ପିଲାଟିଏ ମାଟ୍ରିକ୍ ପରୀକ୍ଷା ଦେଇ ଘରେ ଥାଏ। ଏହି ସମୟରେ ତା’ର ଜଣେ ସଂପର୍କୀୟ ମାମୁ ସିନେମା ନିର୍ମାଣ କରୁଥାନ୍ତି। ତାଙ୍କୁ ଏହି କାମରେ ସାହାଯ୍ୟ କରିବାକୁ ମାମୁ କହନ୍ତି। ପିଲାଟି ସେହି କାମରେ ମନଦେଇ ଲାଗିଯାଏ। ସମୟକ୍ରମେ ସେ ଗ୍ଲାମର ଦୁନିଆର ମୋହରେ ବାନ୍ଧି ହୋଇ ନିଜର ଇଭେଣ୍ଟ୍ ମ୍ୟାନେଜମେଣ୍ଟ କଂପାନି ଆର୍ ଆର୍ ଇଭେଣ୍ଟସ୍ ପ୍ରତିଷ୍ଠା କରେ। ଭଲ ରୋଜଗାର ହେବା ପରେ କେତେକ ସିନେମାକୁ ଫାଇନାନ୍ସ କରେ। ଶେଷରେ ସେ ୨୦୧୪ରେ ଦିଲୀପ ପଣ୍ଡାଙ୍କ ନିର୍ଦ୍ଦେଶନାରେ ଏକ ବିଗ୍ ବଜେଟ୍ ଓଡ଼ିଆ-ଭୋଜପୁରୀ ଦ୍ବିଭାଷୀ ସିନେମା ‘ଟାଇଗର୍’ ନିର୍ମାଣ କରେ।
ଇଏ ହେଉଛି ଯୁବ ପ୍ରଯୋଜକ ରମେଶ ବାରିକଙ୍କ କାହାଣୀ। ମାତ୍ର ୪୦ ବର୍ଷ ବୟସରେ ପଦାର୍ପଣ କରିବା ବେଳକୁ ୨୩ଟି ଓଡ଼ିଆ ସିନେମା ଓ ଟେଲିସିନେମା ନିର୍ମାଣ କରିସାରିଲେଣି ରମେଶ। ରମେଶ ବାରିକଙ୍କ ପ୍ରଯୋଜିତ ଉଲ୍ଲେଖନୀୟ ସିନେମା ମଧ୍ୟରେ ରହିଛି ‘ଟାଇଗର୍’, ‘ଅରୁନ୍ଧତୀ’, ‘କଟକ ୱେଡ୍ସ ସମ୍ବଲପୁର’, ‘ଇଏ ବି ଗୋଟେ ଲଭ୍ଷ୍ଟୋରି’, ‘ଦେଖା ହେଲା ପ୍ରେମ ହେଲା’, ‘ଇନ୍ଦ୍ରଜାଲ’, ‘ସବୁ ଏ ଲଭ୍ ପାଇଁ’, ‘ଦିଲ୍ରେ ଅଛି ତୋରି ନାଁ’, ‘ରୋମିଓ ଜୁଲିଅଟ୍’, ‘ରୋଲ୍ ନଂ-୨୭ ସୁଜାତା ସେନାପତି’, ‘ମହାବାହୁ’, ‘ପୁଷ୍କରା’ ଓ ‘ବସ୍’। ଏବେ ତାଙ୍କ ପ୍ରଯୋଜିତ ‘ହାତକଡ଼ି’ ମୁକ୍ତି ପ୍ରତୀକ୍ଷାରେ ଥିବା ବେଳେ ଦୁଇଟି ନୂଆ ଛବି ‘ଆଜିର ରେବତୀ’ ଏବଂ ‘ସ୍ପଟ୍ ବୟ’ ଫ୍ଲୋରରେ ରହିଛି।
ତେବେ ନିର୍ଦ୍ଦେଶନା ଦେବା ଲାଗି ରମେଶଙ୍କ ମନରେ ପ୍ରବଳ ଆଗ୍ରହ ରହିଛି। ଏନେଇ ସେ କହନ୍ତି, ‘‘ପ୍ରକୃତରେ ନିର୍ଦ୍ଦେଶକ ହେବା ଲାଗି ମୁଁ ଏ ଲାଇନ୍କୁ ଆସିଥିଲି, ହେଲେ ବ୍ୟାବସାୟିକ ବ୍ୟସ୍ତତା ହେତୁ ଆଉ ସମୟ ପାଇଲିନି। କେବଳ ପ୍ରଯୋଜନାରେ ରହିଗଲି। କିନ୍ତୁ ଖୁବ୍ ଶୀଘ୍ର ମୁମ୍ବାଇ ଯାଇ ସେଠି କାମ ଶିଖିବି। ତା’ପରେ ନିର୍ଦ୍ଦେଶକ ହେବି।’’ ସେ ଜଣେ ସ୍ବପ୍ନର ସୌଦାଗର। ଆଗକୁ ସିନେମାକୁ ନେଇ ତାଙ୍କର ଅନେକ ସ୍ବପ୍ନ ଅଛି। ଏକ ହିନ୍ଦୀ ସିନେମା ନିର୍ମାଣ ଲାଗି ରମେଶ ବାରିକ ପ୍ରାରମ୍ଭିକ ପ୍ରସ୍ତୁତି ବି ଜାରି ରଖିଛନ୍ତି।
-ଶିବଶଙ୍କର ଓଝା