ବଡ଼ ପରଦାରେ ନଜର ଆସିବେ ‘ମେରି ଆଶିକି ତୁମ୍‌ ସେ ହି’ର ନାୟିକା ରାଧିକା

ଲୋକପ୍ରିୟ ଟେଲି-ଧାରାବାହିକ ‘ମେରି ଆଶିକି ତୁମ୍‌ ସେ ହି’ରେ ମୁଖ୍ୟ ନାୟିକା ‘ଇଶାନି’ ଭୂମିକାରେ ଅଭିନୟ କରିଥିବା ନବାଗତା ସୁନ୍ଦରୀ ରାଧିକା ମଦନଙ୍କ କଥା ଆପଣଙ୍କର ନିଶ୍ଚୟ ମନେଥିବ! ଦିଲ୍ଲୀର ଝିଅ ରାଧିକା ସେହି ପ୍ରଥମ ଧାରାବାହିକରୁ ହିଁ ବେଶ୍‌ ସଫଳତା ହାସଲ କରିଥିଲେ ଏବଂ ଟେଲିଭିଜନ୍‌ ଦୁନିଆର ଅନ୍ୟତମ ପରିଚିତ ମୁହଁ ପାଲଟି ଯାଇଥିଲେ। କିନ୍ତୁ ସେ ଧାରାବାହିକ ପରେ ଗତ ଦୁଇବର୍ଷ ହେଲା ଛୋଟପରଦାରେ ତାଙ୍କୁ ଆଉ ଦେଖିବାକୁ ମିଳୁନାହିଁ। କାରଣ ହେଉଛି, ସେ ଏବେ ବଡ଼ ପରଦାକୁ ଆସିବାଲାଗି ପ୍ରସ୍ତୁତ ହେଉଛନ୍ତି। ଇତିମଧ୍ୟରେ ସେ ଦୁଇଟି ଫିଲ୍ମ ବି ପାଇ ସାରିଲେଣି। ଗୋଟିଏ ହେଉଛି, ଆକ୍ସନ୍‌-କମେଡି ଫିଲ୍ମ ‘ମର୍ଦ କୋ ଦର୍ଦ ନହିଁ ହୋତା’। ଏଥିରେ ତାଙ୍କର ନାୟକ ଭାବେ ନିଜ ଅଭିନୟ ଜୀବନ ଆରମ୍ଭ କରୁଛନ୍ତି ପୁରୁଣା ଅଭିନେତ୍ରୀ ଭାଗ୍ୟଶ୍ରୀ (‘ମୈନେ ପ୍ୟାର୍‌ କିୟା’ର ନାୟିକା)ଙ୍କ ପୁଅ ଅଭିମନ୍ୟୁ ଦାସାନି। ରାଧିକାଙ୍କର ଦ୍ୱିତୀୟ ଫିଲ୍ମଟି ହେଉଛି, ବିଶାଳ ଭାରଦ୍ୱାଜ୍‌ଙ୍କର ‘ଛୁରିଆଁ’।

ରାଧିକା କହିଛନ୍ତି, ଏଇ ଦୁଇବର୍ଷ ଭିତରେ ସେ ଅନେକ ଟେଲି-ଧାରାବାହିକର ଅଫର୍‌ ପାଇଥିଲେ ମଧ୍ୟ ଗ୍ରହଣ କରି ନ ଥିଲେ। କାରଣ ସେହି ଏକାଧରଣର ଭୂମିକାରେ ଅଭିନୟ କରିବାକୁ ସେ ଚାହୁ ନ ଥିଲେ। ବଦଳରେ ସେ ଫିଲ୍ମ ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ। ରାଧିକା ଆହୁରି କହିଛନ୍ତି, ସଫଳ ହେବାଲାଗି କେହିଜଣେ ଗଡ୍‌-ଫାଦର୍‌ ନିହାତି ଦରକାର ବୋଲି ସେ ଭାବନ୍ତିନାହିଁ। ଦକ୍ଷତା ଥିଲେ ସୁଯୋଗ ନିଶ୍ଚୟ ମିଳେ। ଅନ୍ୟପକ୍ଷରେ କାହାର ପୁଅ ବା ପୁତୁରା ବୋଲି ସୁଯୋଗ ପାଇଥିଲେ ମଧ୍ୟ ଗୋଟିଏ ଦୁଇଟି ଫିଲ୍ମ ଭିତରେ ହିଁ ନିଜକୁ ପ୍ରମାଣିତ କରିବାକୁ ହୁଏ।

ସମ୍ବନ୍ଧିତ ଖବର