ଓଡ଼ିଶାର ଗାଡି ଚାଳକଙ୍କ ପାଇଁ ଯମରାଜା ପଠାଇଲେ ମେସେଜ !

ହେ ମୋର ବଗୁଲିଆ ବାଇକ ଚାଳକମାନେ | ତୁମ ଦୁଃଖ ମୁଁ ବୁଝିପାରୁଛି ରେ | ଆଗରୁ ଢୋକେ ଢୋକେ ନାଲି ପାଣି ସେବନ କରି ରାସ୍ତାରେ ସାପ ଭଳିଆ ବାଇକ ଚାଳନାକୁ ତୁମେ ସବୁ ମିସ କରୁଥିବ | ଚକମକିଆ ଚଷମା ସହ ରଙ୍ଗିଲା ଚୁଟିକୁ ଦେଖାଇବା ପାଇଁ ତୁମେମାନେ ହେଲମେଟ ପିନ୍ଧୁ ନଥିଲ | କାଳେ ଏବେ ପୁଲିସିଙ୍କ ହାବୁଡ଼ରେ ପଡି ତଣ୍ଡ ଗଣିବାକୁ ପଡିବ ବୋଲି ଡରରେ ହେଲମେଟ ପିନ୍ଧୁଛ | ଯମପୁରୀରେ ରହି ବି ମୁଁ ଦେଖିପାରୁଥିଲି କିଭଳି ତୁମେ ମାନେ ପୂର୍ବରୁ ଗାଡି ଚଳାଉଥିଲ | ତମକୁ ମିଛ ମତେ ସତ, ସବୁବେଳେ ଈଶ୍ୱରଙ୍କୁ ଡାକୁଥିଲି ଏ ବଗୁଲିଆ ଟୋକା ଯମପୁରୀକୁ ନ ଆସନ୍ତୁ | କିନ୍ତୁ ତମ ଭିତରୁ କିଛି ଏମିତି ନବରଙ୍ଗରେ ଷ୍ଟାଇଲମାର୍କା ଗାଡି ଉଡାଉଥିଲ ଯେ ଶେଷରେ ଦୁର୍ଘଟଣାର ଶିକାର ହୋଇ ଜୀବନ ହାରି ଦେଉଥିଲ |

ମୋର ଆସିଷ୍ଟାଣ୍ଟ(ଯମଦୂତ) ମାନେ ଯାଉଥିଲେ ଓ ତୁମକୁ ଆଣି ମୋ ପାଖରେ ହାଜର କରାଉଥିଲେ | ଏବେ ବୋଧେ ଟିକେ ସୁଧୁରିଛି, ତେବେ ତୁମମାନଙ୍କୁ ଯାଇ ଡାଇରେକ୍ଟ ତ ଭେଟିପାରିବିନି ତଥାପି ମୋର ବାହାନକୁ ମର୍ତ୍ତ୍ୟକୁ ପଠାଇଛି | ସେମାନଙ୍କ ପାଖରୁ କିଛି ଶିଖ | ମୋତେ ଯୁଆଡେ ଯିବାର ଥାଏ ଏମାନେ ମତେ ନେଇଯାନ୍ତି | ତେବେ ମୋର ରାଜଧାନୀରେ ଟିକେ କାମ ଥିବାରୁ ମୋର ଶିଷ୍ୟମାନଙ୍କୁ ପଠାଇଥିଲି | ଏହି ଶିଷ୍ୟ(ମଇଁଷି) ମାନେ ଭୁବନେଶ୍ୱରର ଜାଭିୟର ଛକରେ ରାସ୍ତା ଆରପଟକୁ ଯାଇଥାନ୍ତେ | କିନ୍ତୁ ଟ୍ରାଫିକ ବତୀରେ ନାଲି ଆଲୁଅ ଜାଳିବାରୁ ଘଡ଼ିଏ ଅଟକିଯାଇଥିଲେ | ଜେବ୍ରା କ୍ରସିଂ ପୂର୍ବରୁ ଛିଡା ହେବାର ନିୟମକୁ ଏମାନେ ଠିକ ମାନିଛନ୍ତି | ତୁମେମାନେ ବି ମନେରଖ, ଯେତେବେଳେ ଟ୍ରାଫିକରେ ନାଲିବତୀ ଜଳୁଥିବ ସେତେବେଳେ ଜେବ୍ରାକ୍ରସିଂ ପୂର୍ବରୁ ହିଁ ଠିଆ ହୋଇଯିବ ନଚେତ ବାଳୁଙ୍ଗାଙ୍କ ଭଳି ଗାଡି ଚଳାଇ, ଟ୍ରାଫିକ ବତୀ ନ ଦେଖି ଚଳାଇଲେ ମୋ ପାଖକୁ ଆସିଯିବ |”

Imag Source: Times of India

ବି.ଦ୍ର: କାହାକୁ କଟାକ୍ଷ କରିବା ଆମର ଉଦ୍ଦେଶ୍ୟ ନୁହେଁ | ଏହି ଲେଖାଟି ସମ୍ପୂର୍ଣ୍ଣ କାଳ୍ପନିକ |

ସମ୍ବନ୍ଧିତ ଖବର