ପୃଥିବୀର ସବୁଠାରୁ ଲୋକପ୍ରିୟ ତଥା ବର୍ଣ୍ଣାଢ଼୍ୟ ଫ୍ୟାସନ୍‌ ଉତ୍ସବ ହେଉଛି ନ୍ୟୁୟର୍କରେ ବର୍ଷକୁ ଥରେ ଆୟୋଜିତ ହେଉଥିବା ମେଟ୍ ଗାଲା। ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଏ ବର୍ଷର ମେଟ୍‌ ଗାଲାକୁ ପ୍ରଥମ ଥର ଯିବେ ବୋଲି ଖବର ଆସିବା ପରେ ସେ ନେଇ ଭାରତରେ କିଛି ଦିନ ହେଲା ଅନେକ କଳ୍ପନାଜଳ୍ପନା ଚାଲିଥିଲା। ଶେଷରେ ସୋମବାର ରାତିରେ ସେ ଫ୍ୟାସନ୍‌ର ଏହି ସର୍ବବୃହତ୍‌ ମହାକୁମ୍ଭରେ ପଦାର୍ପଣ କରିଛନ୍ତି। ୨୦୨୩ ମେଟ୍ ଗାଲାର ଥିମ୍ ବିଶ୍ବବିଖ୍ୟାତ ଫ୍ୟାସନ୍ ଡିଜାଇନର୍‌ କାର୍ଲ ଲାଗରଫେଲ୍‌ଡଙ୍କୁ ଉତ୍ସର୍ଗ କରାଯାଇଥିଲା। ତେଣୁ ଆଲିଆ ଥିମ୍‌କୁ ଦୃଷ୍ଟିରେ ରଖି ଏକ ମୋତିଖଚିତ ଧଳା ଗାଉନ୍‌ ପିନ୍ଧି ଯାଇଥିଲେ। ଏକ ଲକ୍ଷ ମୋତିକୁ ନେଇ ଗାଉନ୍‌ଟିର ସୂଚୀକାମ କରାଯାଇଛି।

Advertisment

ଭାରତୀୟ ଡିଜାଇନର୍‌ ପ୍ରବଲ ଗୁରୁଙ୍ଗ ଏହି ପୋଷାକ ପ୍ରସ୍ତୁତ କରିଛନ୍ତି। ଗର୍ବର ସହ ଭାରତରେ ପ୍ରସ୍ତୁତ ପୋଷାକ ପିନ୍ଧି ମେଟ୍ ଗାଲାରେ ପ୍ରଥମ ଥର ପାଦ ଦେଇଥିବାରୁ ଆଲିୟା ନିଜକୁ ଗର୍ବିତ ଅନୁଭବ କରିଥିବାର ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମର ଏକ ବିଭାବ ହେଲା ଏଥିରେ କେବଳ ଆମନ୍ତ୍ରିତ ଅତିଥିମାନେ ଯୋଗ ଦେଇଥାନ୍ତି। ଏଥର ମେଟ୍‌ ଗାଲାରେ ଯୋଗ ଦେଇଥିବା ଅନ୍ୟ ଭାରତୀୟ ତାରକାମାନେ ହେଉଛନ୍ତି ପ୍ରିୟଙ୍କା ଚୋପ୍ରା, ଈଶା ଅମ୍ବାନୀ ଓ ନତାଶା ପୁନାଵାଲା। ଏହି ଅବସରରେ ମେଟ୍‌ ଗାଲାକୁ ନିମନ୍ତ୍ରିତ ହୋଇ ଆସିଥିବା ଟେନିସ୍‌ କିଂବଦନ୍ତି ସେରେନା ଵିଲିୟମ୍‌ସ ତାଙ୍କ ଦ୍ବିତୀୟ ଗର୍ଭଧାରଣ ସମ୍ପର୍କରେ ଘୋଷଣା କରିଥିଲେ।