‘କାଶିଆ-କପିଳା’ରେ ମିହିର ଦାସଙ୍କ ସ୍ଥାନ ନେଇଥିଲେ ଏହି ଅଭିନେତା, କାରଣ ଜାଣନ୍ତି କି ?

ଭୁବନେଶ୍ୱର: ଦିନ ଥିଲା ଯେତେବେଳେ ଅଭିନେତା ମିହିର ଦାସ ପ୍ରଯୋଜକ ବାସୁଦେବ ତ୍ରିପାଠୀଙ୍କ ‘ଚନ୍ଦନ ଆର୍ଟସ’କୁ ମନେ କରୁଥିଲେ ନିଜର ହୋମ୍‌ ପ୍ରଡ଼କ୍‌ସନ୍‌। ମିହିର ଏହି ପ୍ରଯୋଜନା ସଂସ୍ଥାର ପ୍ରଥମ ସିନେମା ଆଣ୍ଟି ଛୁରୀ ତଣ୍ଟି କାଟେ,ଦ୍ୱିତୀୟ ଛବି ‘ଶୁଭଦ୍ରା’,ତୃତୀୟ ଚଳଚ୍ଚିତ୍ର‘ବସୁଧା’ଏବଂ ଚତୁର୍ଥ ଚିତ୍ର ‘ସାବିତ୍ରୀ’ରେ ଅଭିନୟ କରିଥିଲେ।
ସେ ସମୟରେ ଏମିତି ଏକ ମାନିଆ ହୋଇଯାଇଥିଲା ଯେ,ପ୍ରଯୋଜକ ବାସୁଦେବ ତ୍ରିପାଠୀ ସିନେମା ତିଆରି କରିବେ ମାନେ,ସେଥିରେ ମିହିର ଦାସ ନିଶ୍ଚିୟ ରହିବେ। ଖାଲି ସେତିକି ନୁହେଁ ମିହିର ଦାସଙ୍କ ଶାଳକ ଶିବୁ ଜେନାଙ୍କୁ ମଧ୍ୟ ବାସୁଦେବ ତ୍ରିପାଠୀ ‘ସାବିତ୍ରୀ’ରେ ସଙ୍ଗୀତ ନିର୍ଦ୍ଦେଶକ ଭାବେ ବ୍ରେକ୍‌ ଦେଇଥିଲେ। ଏବେ ବୁଝ ିପାରୁଥିବେ ଯେ,ମିହିର ଓ ବାସୁଦେବଙ୍କ ସଂପର୍କ କେତେ ମଧୁର ଥିଲା।

କିନ୍ତୁ କ’ଣ ହେଲା କେଜାଣି ପ୍ରଯୋଜକ ବାସୁଦେବ ତ୍ରିପାଠୀ ଯେତେବେଳେ ତାଙ୍କର ପଞ୍ଚମ ସିନେମା ‘କାଶିଆ କପିଳା’ର କାମ ଆରମ୍ଭ କଲେ ,ସେତେବେଳେ ମିହିର ଆଉ ଧରାଛୁଆଁ ଦେଇ ନଥିଲେ। ଏହି ସିନେମାର ସ୍କ୍ରିପ୍ଟ ପ୍ରସ୍ତୁତି ବେଳେ ବାସୁଦେବ ତ୍ରିପାଠୀଙ୍କ ଆଖିରେ ମିହିର ଦାସ ଥିଲେ।ଏହା ଦୁଇଟି ହିରୋର ଫିଲ୍ମ ଥିଲା।ଗୋଟିଏ ଭୂମିକାରେ ଶ୍ରୀତମ ଦାସଙ୍କୁ ଓ ଅନ୍ୟଟିରେ ମିହିର ଦାସଙ୍କୁ ନେବା ପାଇଁ ସେ ସ୍ଥିର କରିଥିଲେ।ମିହିରଙ୍କ ପାଇଁ ଯେଉଁ ରୋଲ୍‌ଟି ଲେଖା ଯାଇଥିଲା ତାହା ବେଶ୍‌ ଚ୍ୟାଲେଂଜିଂ ଥିଲା।ଏହି ଭୂମିକା ଥିଲା ଜଣେ ଭିନ୍ନକ୍ଷମ ଯୁବକର। ବାସୁ ବାବୁ ଭାବିଥିଲେ ଏହି ଭୂମିକାକୁ ମିହିରଙ୍କ ଛଡ଼ା ଅନ୍ୟ କେହି କଳାକାର ନ୍ୟାୟ ଦେଇ ପାରିବେନି ଓଡ଼ିଶାରେ। ମିହିରଙ୍କୁ ଅଫର୍‌ ଦିଆଯାଇଥିଲା ଓ ସେ ରାଜି ବି ହୋଇଥିଲେ। କିନ୍ତୁ ଶେଷ ସମୟରେ ଏଥିରୁ ଓହରି ଯାଇଥିଲେ ମିହିର ।


ପ୍ରଯୋଜକ ବଡ଼ ଚିନ୍ତାରେ ପଡ଼ିଯାଇଥିଲେ,କାରଣ ସେ ଅନ୍ୟ ପ୍ରମୁଖ କଳାକାର ମାନଙ୍କଠୁଁ ଡ଼େଟ୍‌ ନେଇ ସାରିଥିଲେ ଏବଂ ସୁଟିଂ ଆରମ୍ଭ ପାଇଁ ଆନୁସାଙ୍ଗିକ ବ୍ୟବସ୍ଥା ମଧ୍ୟ କରିସାରିଥିଲେ।ତାଙ୍କୁ ଏହି ଚିନ୍ତାରୁ ମୁକ୍ତ କରାଇଥିଲେ ‘କାଶିଆ କପିଳା’ର ନିର୍ଦ୍ଦେଶକ ଜିତେନ୍ଦ୍ର ମହାପାତ୍ର। ସେ ଦିନେ ଆସି କହିଲେ,‘‘ସାର୍‌,ମିହିର ଭାଇଙ୍କ ସ୍ଥାନରେ ଆଉ ଜଣଙ୍କୁ ନେବା ଏବଂ ସୁଟିଂ ଆରମ୍ଭ କରିବା। ବାସୁବାବୁ ହଠାତ୍‌ କିଛି ବୁଝି ପାରିନଥିଲେ।ଉଭୟ ପ୍ରଯୋଜକ ଓ ନିର୍ଦ୍ଦେଶକ ଯାଇଥିଲେ ଅଶ୍ରୁମୋଚନଙ୍କ ପାଖକୁ।ଅଶ୍ରୁମୋଚନ ଉଭୟଙ୍କ ପୂର୍ବ ସିନେମା ‘ସାବିତ୍ରୀ’ରେ ଏକ ଗେଷ୍ଟ୍‍ ରୋଲ୍‌ କରିଥିଲେ।ପ୍ରଯୋଜକ ଅଶ୍ରୁମୋଚନଙ୍କୁ ଚୁକ୍ତିବଦ୍ଧ କରିଥିଲେ ଏବଂ ମିହିରଙ୍କୁ ଜାଗା ନେଇଥିଲେ ସିନେମାରେ ଅଶ୍ରୁ।ଏହି ଭୂମିକା ପାଇଁ ଅଶ୍ରୁମୋଚନ ଉଚ୍ଚପ୍ରଶଂସିତ ଓ ପୁରସ୍କୃତ ମଧ୍ୟ ହୋଇଥିଲେ।

ମିହିର ଦାସଙ୍କ ହାତରେ ସେତେବେଳେ ଅବଶ୍ୟ ଅନ୍ୟ ସିନେମା କାମ ଥିଲା। ତା’ଛଡ଼ା ଭିନ୍ନକ୍ଷମର ଭୂମିକା ପୂର୍ବରୁ ସେ ସାଧୁ ମେହରଙ୍କ ନିର୍ଦ୍ଦେଶିତ ‘ଗୋପରେ ବଢ଼ୁଛି କଳା କହ୍ନେଇ’ରେ କରି ସାରିଥିଲେ ବୋଲି‘କାଶିଆ କପିଳା’ରେ କାମ କରିବାକୁ ଆଗ୍ରହୀ ନଥିଲେ।

ସମ୍ବନ୍ଧିତ ଖବର