ଅଭିନୟର ବାଦଶାହ ମିହିର ଦାସ ଆଜି ସଶରୀରେ ଆମ ପାଖରେ ନାହାନ୍ତି ସତ, ହେଲେ ତାଙ୍କର କଥା ଓ କାମ ସଦା ତାଙ୍କର ଉପସ୍ଥିତିକୁ ଜାହିର କରିବ।୨୦୧୯ ମସିହାରେ ‘ସମ୍ବାଦ ଡିଜିଟାଲ୍’କୁ ଏକ ସ୍ବତନ୍ତ୍ର ସାକ୍ଷାତକାର ଦେଇ ସେ ବିଭିନ୍ନ ପ୍ରସଙ୍ଗରେ ନିଷ୍କପଟ ଭାବେ ନିଜର ଭାବନାକୁ ବ୍ୟକ୍ତ କରିଥିଲେ। ଆସନ୍ତୁ ପୁଣି ଥରେ ତାଙ୍କର ସେଇ ସାକ୍ଷାତକାରକୁ ଦେଖିବା ଓ ପଢ଼ିବା।
ପ୍ରଶ୍ନ: ଆପଣ ବିଭିନ୍ନ ଚରିତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି। ଏମିତି କିଛି ଚରିତ୍ର ଅଛି କି ଯାହାକୁ ଅନିଚ୍ଛା ସତ୍ତ୍ୱେ ଆପଣ କରିଛନ୍ତି?
ଉତ୍ତର: ତାହାର ସଂଖ୍ୟା ବହୁତ କମ୍। ଯେଉଁଟା ଜୁଟିଲା ତାହା ନିଶ୍ଚିତ ଏକ ଚରିତ୍ର ବୋଲି ଭାବି ମୁଁ ତାହାକୁ କରେ। ଥରେ ଏମିତି ଏକ ଚରିତ୍ର ମିଳିଥିଲା। ମାତ୍ର ପର ପର୍ଯ୍ୟାୟରେ ତାହା ଖୁବ୍ ଫଳପ୍ରଦ ପ୍ରମାଣିତ ହୋଇଛି। ପ୍ରଥମରୁ ସେ ଚରିତ୍ର କରିବି ନାହିଁ ବୋଲି ଜିଦ ଧରିଥିଲି। ନିର୍ଦ୍ଦେଶକ ବୁଝାଇବା ପରେ ମୁଁ ତାହା କଲି ଓ ସୁଫଳ ମଧ୍ୟ ପାଇଲି।
ପ୍ରଶ୍ନ: କିଛି ବର୍ଷ ତଳେ ଆପଣଙ୍କର ‘ମୁଁ ତା’ର କିଏ’ ବୋଲି ଏକ ଚଳଚ୍ଚିତ୍ର ରିଲିଜ୍ ହୋଇଥିଲା। ସେଥିରେ ମିହିର ଦାସ ଜଣେ ସ୍ୱଳ୍ପ ବୟସ୍କାଙ୍କ ସହ ପ୍ରେମ କରୁଥିବାର ନଜର ଆସିଛନ୍ତି। ବାସ୍ତବ ଜୀବନରେ ଆପଣ ଏହାକୁ କିପରି ଦେଖନ୍ତି? ବାସ୍ତବ ଜୀବନରେ ପ୍ରେମ ପାଇଁ ବୟସର ଆବଶ୍ୟକତା ନାହିଁ ବୋଲି ଭାବନ୍ତି କି?
ଉତ୍ତର: ଏକଥା ସତ ଯେ ପ୍ରେମର ବୟସ ନାହିଁ। ସେ ଘଟଣା ବା ଦୁର୍ଘଟଣା କେତେବେଳେ, କେଉଁଠି ଓ କାହା ସହିତ ବି ଘଟିପାରେ। ମୁଁ ଏକଥା ବିଶ୍ୱାସ କରେ। ବୟସ ସାଙ୍ଗେ ତା’ର କିଛି ନେଣଦେଣ ନାହିଁ। ନ ହେଲେ ଯିଏ ଲେଖିଲେ, ଯିଏ ନିର୍ଦ୍ଦେଶନା ଦେଲେ ଓ ଯିଏ ଅଭିନୟ କଲେ, ତାହା ସେମାନଙ୍କ ମନକୁ ଆସିଲା କେମିତି?
ପ୍ରଶ୍ନ: ଆପଣଙ୍କ ବଡ଼ ପୁଅ ଅମ୍ଳାନ ବିବାହ କରୁଛନ୍ତି। ତେବେ ବୋହୂ ଆପଣଙ୍କ ପସନ୍ଦର ନା ଅମ୍ଳାନ ନିଜେ ପସନ୍ଦ କରିଛନ୍ତି?
ଉତ୍ତର: ସମୟ ତାକୁ ଯୋଗେଇ ଦେଇଛି। ମୋର ପାରିବାରିକ ଓ ସ୍ୱାସ୍ଥ୍ୟଗତ କାରଣରୁ ମୁଁ ବୋହୂଟିଏ ଖୋଜୁଥିଲି। ସେ ସମୟରେ ଭଗବାନ ସେମିତି କିଛି କଥା ଘଟାଇଲେ। ସେମାନେ ପରସ୍ପରଙ୍କୁ ପସନ୍ଦ କଲେ ଓ ସମସ୍ତେ ସେମାନଙ୍କୁ ପସନ୍ଦ କରିବା ପରେ କଥା ଆଗକୁ ବଢ଼ିଛି।
ପ୍ରଶ୍ନ: ଆପଣଙ୍କ ପତ୍ନୀଙ୍କ ଚାଲିଯିବାକୁ ଅନେକ ବର୍ଷ ହେଲାଣି। ଏବେ ବି କ’ଣ ମିହିର ଦାସ କେବେ ନା କେବେ ପତ୍ନୀଙ୍କୁ ମନେପକାନ୍ତି?
ଉତ୍ତର: ମନେ ତାକୁ ପକାଯାଏ ଯାହାକୁ ଭୁଲାଯାଏ। ତା’ର ଉପସ୍ଥିତି ଏବେ ବି ରହିଛି। ତାହାକୁ ଶବ୍ଦରେ କହିବା କାଠିକର ପାଠ। ସେ ଅଛି ବୋଲି ମୁଁ ୧୦ ବର୍ଷ କାଳ ଦୁଇଟା ପିଲାଙ୍କୁ ଏତେ ବାଟ ଆଣିପାରିଛି। ସେ ଚାଲିଯାଇଛି ବା ନାହିଁ ମୁଁ ଏପରି ଭାବେ ନାହିଁ।
ପ୍ରଶ୍ନ: ପ୍ରତ୍ୟେକ ମଣିଷଙ୍କ ଭିତରେ କିଛି ଅଭାବ ନିଶ୍ଚୟ ରହିଥାଏ। ମିହିର ଦାସଙ୍କ ଜୀବନରେ ବି ଏମିତି କିଛି ଅଭାବ ଅଛି କି ଈଶ୍ୱର ଦେଖା ଦେଲେ ସେ ତାହାକୁ ମାଗିନେବେ?
ଉତ୍ତର: ଯଦିଓ ଈଶ୍ୱରଙ୍କୁ ଡାକିବାର ପ୍ରଥା ଓ ପ୍ରଣାଳୀ ମୋତେ ଜଣା ନାହିଁ ମାତ୍ର ମୁଁ ପ୍ରତିଥର ଈଶ୍ୱରଙ୍କୁ ଜଣାଏ ଯେ ପ୍ରଭୁ ମୋତେ ଗର୍ବ ଅହଂକାର ଦିଅନାହିଁ। ଆଉ ଲଢ଼େଇ କରିବା ପାଇଁ ଶକ୍ତି ଦିଅ। ଅଭାବଟି ବି ବି ମଣିଷକୁ ଦରକାର, ଅନୁଚିନ୍ତା ମଧ୍ୟ ଦରକାର। ନହେଲେ ମଣିଷ ଉତ୍ପାତ ହେବ। ନିଜକୁ ନିୟନ୍ତ୍ରଣରେ ରଖିବା ପାଇଁ ନିଜ ଭିତରେ ଅଭାବ ଟିକେ ରହୁ।
ପ୍ରଶ୍ନ: ମିହିର ଦାସଙ୍କ ନାମରେ ଏକ ଅଭିଯୋଗ ଅଛି କି ସେ ସୁଟିଂ ସେଟ୍ରେ ସବୁବେଳେ ବିଳମ୍ବରେ ପହଞ୍ଚନ୍ତି। କାହିଁକି?
ଉତ୍ତର: ଯଦି ମୁଁ ବିଳମ୍ବରେ ପହଞ୍ଚି ଥାଆନ୍ତି ତା’ହେଲେ କ’ଣ ୪୦ ବର୍ଷ ହେଲା ମୋତେ ଦାନ ପାଣି ମିଳୁଥାନ୍ତା?ମୁଁ ସୁଟିଂ ସେଟ୍ରେ ନୁହେଁ ବରଂ ଅନେକ ସମୟରେ ମୋ ପରିବାରରେ ବିଳମ୍ବରେ ପହଞ୍ଚେ। ବେଳେ ବେଳେ ସେଥିପାଇଁ ନିଜକୁ ଦୋଷ ଦିଏ। ହଁ, ବେଳେ ବେଳେ ସମସ୍ତଙ୍କର ହବା ଆଶାରେ ଟିକେ ଭୁଲ୍ ହୋଇଯାଇ ଥାଇପାରେ।
ପ୍ରଶ୍ନ: ନିକଟରେ ଆପଣ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ମନୋନୀତ ହୋଇଛନ୍ତି। ଆପଣଙ୍କ ପରି ଜଣେ ସଫଳ କଳାକାରଙ୍କ ପାଇଁ ପୁରସ୍କାର ବା ସମ୍ମାନର ଆବଶ୍ୟକତା ରହିଛି ବୋଲି ଆପଣ ଭାବନ୍ତି କି?
ଉତ୍ତର: ପୁରସ୍କାର ପ୍ରତ୍ୟେକ କଳାକାର ପାଇଁ ଜରୁରୀ। ମୋ ପାଇଁ ମଧ୍ୟ। ଏ ଦିନରେ , ଏ ସମୟରେ ଏଭଳି ପୁରସ୍କାରର ଗୁରୁତ୍ୱ ଓ ମହତ୍ୱ ଆହୁରି ଟିକେ ଅଧିକ।
ସାକ୍ଷାତକାର : ବନ୍ଦନା ମିଶ୍ର
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/Mihir-Interview.jpg)