ମୁମ୍ବାଇ: ଗ୍ଲାମର ଦୁନିଆରେ ଭାଗ୍ୟ ଚମକିବା ଏତେ ସହଜ ନୁହେଁ। ଅଭିନେତାଙ୍କଠାରୁ ଆରମ୍ଭ କରି ଗାୟକ ପର୍ଯ୍ୟନ୍ତ, ସମସ୍ତେ ନିଜର ସ୍ବତନ୍ତ୍ର ପରିଚୟ ତିଆରି କରିବା ପାଇଁ ବହୁତ ସଂଘର୍ଷ କରନ୍ତି। ଏଭଳି ଅନେକ କଳାକାର ନିଜର ଭାଗ୍ୟ ବଦଳାଇଥିବା ବେଳେ ଗାୟକ ମିକା ସିଂହ ସେମାନଙ୍କ ମଧ୍ୟରୁ ଜଣେ। ଦିନେ ୭୫ଟଙ୍କା ଦରମା ପାଉଥିବା ଗାୟକ ଏବେ ଏକ ପ୍ରାଇଭେଟ ଜେଟର ମାଲିକ। 

Advertisment

ବଲିଉଡ ସେଲିବ୍ରିଟିମାନେ ଫିଲ୍ମରୁ ଟଙ୍କା ରୋଜଗାର କରନ୍ତି, କିନ୍ତୁ ଅଧିକାଂଶ ଷ୍ଟାର ନିବେଶ ମାଧ୍ୟମରେ ମଧ୍ୟ ବହୁତ ଟଙ୍କା ରୋଜଗାର କରନ୍ତି। ମିକା ସିଂହ ମଧ୍ୟ ନିବେଶ ମାଧ୍ୟମରେ ନିଜର ସମ୍ପତ୍ତି ବଢ଼ାଇଛନ୍ତି। ଏକ ସାକ୍ଷାତକାରରେ, ମିକା ସିଂହ ପ୍ରକାଶ କରିଛନ୍ତି ଯେ, ଦିନେ ତାଙ୍କର ଦରମା ମାତ୍ର ୭୫ଟଙ୍କା ଥିଲା। ହେଲେ ଆଜି ସେ ୯୯ଟି ଘରର ମାଲିକ ଅଟନ୍ତି। 

ତାଙ୍କ କହିବା ମୁତାବକ, "ଯେତେବେଳେ ମୁଁ ମୋ କ୍ୟାରିୟର ଆରମ୍ଭ କଲି, ମୋର ଦରମା ୭୫ ଟଙ୍କା ଥିଲା। ମୁଁ କମ୍ ଦରମାରେ କାମ କରୁଥିଲି ବୋଲି କେବେ ଅନୁତାପ କରିନଥିଲି। କିଶୋର ବୟସରେ ୭୫ ଟଙ୍କା ମୋ ପାଇଁ ବହୁତ ବଡ଼ ଥିଲା। କ୍ୟାରିୟର ଆରମ୍ଭରେ ମୁଁ ଗିଟାର ବଜାଇଥିଲି, ଗୀତ ଗାଇଥିଲି, ଭଜନ ସନ୍ଧ୍ୟାରେ ସଙ୍ଗୀତ ପରିବେଷଣ କରିଥିଲି, କୀର୍ତ୍ତନ ଏବଂ କୱାଲି ଗାଇଥିଲି। ଏପରି କୌଣସି ଧାର୍ମିକ ସ୍ଥାନ ନାହିଁ ଯେଉଁଠାରେ ମୁଁ ସଙ୍ଗୀତ ପରିବେଷଣ କରିନାହିଁ। ତା’ପରେ, ମୁଁ ଦଲେର (ମେହେନ୍ଦି) ପାଜୀଙ୍କୁ ଭେଟିଲି। ଏହା ପରେ ମୋ କ୍ୟାରିୟର ମୋଡ଼ ବଦଳିଥିଲା।"

୯୯ଟି ଘର କିଣିବା ପଛର କାହାଣୀ ବିଷୟରେ ପଚରାଯିବାରୁ ସେ କହିଥିଲେ, '୨୦୧୨ରେ ମୁଁ ମୋର ପ୍ରଥମ ଘର କିଣିଥିଲି। ଏହା ମୋର ପ୍ରିୟ ଘର ମଧ୍ୟରୁ ଗୋଟିଏ। ମୋତେ ସେଠାକାର ପରିବେଶ ଏତେ ଭଲ ଲାଗିଲା ଯେ ମୁଁ ଗୋଟିଏ କୋଠାରେ ଛଅଟି ଫ୍ଲାଟ୍ ନେଇଥିଲି। କିଛି ଲୋକ ଅଛନ୍ତି ଯେଉଁମାନେ ସନଗ୍ଲାସ୍, ଅଳଙ୍କାର ଏବଂ ଜୋତାରେ ଟଙ୍କା ଖର୍ଚ୍ଚ କରନ୍ତି। ମୁଁ ବିଶ୍ୱାସ କରେ ଯେ, ଆମକୁ ଟଙ୍କା ରୋଜଗାର କରିବା ଉଚିତ ଏବଂ ଏହାକୁ ଭାବି ଚିନ୍ତି ଖର୍ଚ୍ଚ କରିବା ଉଚିତ। ମୋର ଏକ ୧୦୦ଏକର ଜମି ଅଛି ଯାହା ମୋର ଏକ ମୂଲ୍ୟବାନ ସମ୍ପତ୍ତି ମଧ୍ୟରୁ ଗୋଟାଏ। କିନ୍ତୁ ଏହା ମଧ୍ୟ ମନେ ରଖିବା ଗୁରୁତ୍ୱପୂର୍ଣ୍ଣ ଯେ ଏହି ଜମି ଯୋଗୁଁ ପ୍ରାୟ ୧୫୦ପରିବାର ସେମାନଙ୍କର ଜୀବିକା ନିର୍ବାହ କରୁଛନ୍ତି। ଅନେକ ଲାଭଜନକ ବ୍ୟବସାୟ ସହିତ ଚାଷ ମଧ୍ୟ ହେଉଛି।”

ଯଦି ଆମେ ତାଙ୍କ ମୋଟ ସମ୍ପତ୍ତି ଦେଖିବା ତେବେ ସେ ମୋଟ ୪୫୦କୋଟିର ମାଲିକ ଅଟନ୍ତି।