ମୁମ୍ବାଇ: ନିଜକୁ ସିନେ ସମୀକ୍ଷକ ବୋଲି ଦାବି କରୁଥିବା କମଲ ଆର ଖାନ ତାଙ୍କ ବିବୃତ୍ତି ହେତୁ ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି | ଫିଲ୍ମ ରିଲିଜ ହେଲେ ଏହା ବିଷୟରେ ଆଲୋଚନା କରି ସେ ଅନେକ କଳାକାରଙ୍କୁ ଟାର୍ଗେଟ କରନ୍ତି, ଯେଉଁଥି ପାଇଁ ସେ ବିବାଦୀୟ ହୋଇପଡନ୍ତି | ଏବେ ତାଙ୍କୁ ମାଡ଼ ମାରିବା ପାଇଁ ଲୋକପ୍ରିୟ ହାସ୍ୟ ଅଭିନେତା କପିଲ ଶର୍ମା ତାଙ୍କ ଘରକୁ ଯାଇଥିଲେ ବୋଲି ଜଣାପଡିଛି | ପଞ୍ଜାବୀ ଗାୟକ ମିକା ସିଂ ଏକ ସାକ୍ଷାତକାରରେ ଏହି ଖୁଲାସା କରିଛନ୍ତି | |
ନିକଟରେ ଲଲନଟପକୁ ଦେଇଥିବା ଏକ ସାକ୍ଷାତକାରରେ ମିକା ସିଂ ଏହା କହିଛନ୍ତି। ଦୁବାଇରେ ମିକା ସିଂଙ୍କ ପଡ଼ୋଶୀ ହେଉଛନ୍ତି କେଆରକେ | ସେ ଜଣାଇଛନ୍ତି ଯେ, କପିଲ କେଆରକେଙ୍କ ଉପରେ ଏତେ ରାଗି ଯାଇଥିଲେ ଯେ ସେ ତାଙ୍କ ଘରକୁ ଯାଇ ସେଠାରେ ଝଗଡ଼ା କରିଥିଲେ |
ମିକାଙ୍କ କହିବା ମୁତାବକ, "ଏହା ୨୦୧୨-୨୦୧୩ର ଘଟଣା | କପିଲ ଭାଇ କେଆରକେଙ୍କ ଉପରେ ବହୁତ ରାଗିଥିଲେ | ଯେତେବେଳେ ସେ ଜାଣିବାକୁ ପାଇଲେ ଯେ କେଆରକେ ମୋର ପଡ଼ୋଶୀ, ସେ ମୋତେ ତାଙ୍କ ଘରକୁ ନେବା ପାଇଁ କହିଥିଲେ | ସେ ଚାହୁଁଥିଲେ ସଙ୍ଗେ ସଙ୍ଗେ ମୁଁ ତାଙ୍କୁ କେଆରକେଙ୍କ ଘରକୁ ନିଏ ବୋଲି। ମୁଁ ଏହା ନକରିବାକୁ ଅନୁରୋଧ କଲି। ଏହା ପରେ ଆମେ ଭୋର ୪-୫ଟାରେ କେଆରକେଙ୍କ ଘରକୁ ଗଲୁ | ସେ ଘରେ ନଥିଲେ। ତାଙ୍କ କର୍ମଚାରୀ ବାହାରକୁ ଆସି କପିଲଙ୍କୁ ଏହା କହିଥିଲେ। ଏହା ପରେ କପିଲ ରାଗରେ ପାଟି କରିବା ସହ ତାଙ୍କ ଘରର କାଚ ଭାଙ୍ଗି ଦେଇଥିଲେ | କପିଲଙ୍କୁ ନେଇ ସେ କିଛି ବିବାଦୀୟ କଥା କହିଥିବାରୁ କପିଲ ଏଭଳି ରାଗିଯାଇଥିଲେ |"